୧୫ ବର୍ଷ ଧରି ସ୍ୱାଧୀନ ପ୍ରାର୍ଥୀଙ୍କ କବଜାରେ ଥିବା ଚମ୍ପୁଆରୁ ଏଥର ଜିତିବ କିଏ ? ନବୀନଙ୍କୁ ସନାଙ୍କ ସମର୍ଥନ, ଶଙ୍ଖ ଟିକେଟରେ ଲଢିବେ ମୀନାକ୍ଷୀ । 

266

କନକ ବ୍ୟୁରୋ : (ସୁବ୍ରତ ଦାସ) :  ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବିଧାନସଭା ମଣ୍ଡଳୀ ଅନେକ ସମୟରେ ଏକ ବିସ୍ମୟ ଭେଟି ଦେଇ ଆସିଛି । ଏହି ଆଦିବାସୀ ଅଧ୍ୟୁଷିତ ବିଧାନସଭା ଆସନରୁ ଗତ ଦୁଇଟି ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ । ଏଥର ମଧ୍ୟ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ତାଲିକା ଝୁଲି ରହିଥିଲା । ଶେଷରେ ଦଳ ଜଣେ ମହିଳା ପ୍ରାର୍ଥୀ ମିନାକ୍ଷୀ ମହାନ୍ତଙ୍କ ନାମ ଘୋଷଣା କରିଛି ।

ଚଳିତ ବିଧାନସଭାରେ ଚମ୍ପୁଆର ସ୍ୱାଧୀନ ବିଧାୟକ ସନାତନ ମହାକୁଡ଼ ଏଥର ନିଜେ ପ୍ରତିଦ୍ୱନ୍ଦିତା କରୁ ନ ଥିବା ବେଳେ ବିଜୁ ଜନତା ଦଳର ପ୍ରାର୍ଥୀ ମିନାକ୍ଷୀ ମହନ୍ତଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରି ଆଜି ତାଙ୍କର ପ୍ରାର୍ଥୀପତ୍ର ଦାଖଲ ବେଳେ ଉପସ୍ଥିତ ଥିଲେ । ‘‘ମୁଁ ବିଜୁ ଜନତା ଦଳରେ ନାହିଁ । ତେବେ ଅସଂପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ମୁଁ ବିଜୁ ଜନତା ଦଳ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଛି’’ ବୋଲି କହିଛନ୍ତି ସନାତନ ।

ନିଜର ସଂପତ୍ତି ନେଇ ଚର୍ଚ୍ଚାରେ ଥିବା ସନାତନ ଗତ ୨୦୧୪ ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ବିଜୟୀ ହୋଇଥିଲେ । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଥିଲେ ବିଜୁ ଜନତା ଦଳର ବିଦ୍ରୋହୀ ପ୍ରାର୍ଥୀ କୁଶ ଆପଟ, ଯିଏ ସ୍ୱାଧୀନ ପ୍ରାର୍ଥୀ ରୂପେ ଲଢ଼ିଥିଲେ । ମହାକୁଡ଼ ୬୯,୬୩୫ ଭୋଟ ପାଇଥିବା ବେଳେ ଆପଟ ପାଇଥିଲେ ୫୪,୯୫୭ ଖଣ୍ଡ ଭୋଟ । ବିଜୁ ଜନତା ଦଳର ଆନୁଷ୍ଠାନିକ ପ୍ରାର୍ଥୀ ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମ୍ ପମ୍ ମାତ୍ର ୧୦,୨୩୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

ନିକଟରେ ଶ୍ରୀ ଆପଟଙ୍କ ନିଲମ୍ବନ ଆଦେଶ ଦଳ ପକ୍ଷରୁ ପ୍ରତ୍ୟାହାର କରି ନିଆଯାଇଥିଲା । ତେଣୁ ସେ ଏଥର ପ୍ରାର୍ଥୀ ହେବାର ସମ୍ଭାବନା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଦଳୀୟ ହାଇ କମାଣ୍ଡ୍ ଶ୍ରୀ ଆପଟଙ୍କୁ ପ୍ରାର୍ଥୀ ନ କରି ତାଙ୍କ ବଦଳରେ ମିନାକ୍ଷୀ ମହାନ୍ତଙ୍କୁ ଟିକେଟ ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।

ମୀନାକ୍ଷୀଙ୍କ ବିପକ୍ଷରେ ଲଢୁଛନ୍ତି ଭାରତୀୟ ଜନତା ପାର୍ଟିର ମୂରଲୀ ମନୋହର ଶର୍ମା ଏବଂ କଂଗ୍ରେସର ବିଦ୍ୟାଧର ବାରିକ । ଶର୍ମା ଗତ ୨୦୦୯ ବିଧାନସଭା ନିର୍ବାଚନରେ ୧୮,୮୮୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । ତେବେ ସ୍ୱାଧୀନ ପ୍ରାର୍ଥୀ ଜିତୁ ପଟ୍ଟନାୟକ ୨୦୦୯ରେ  ୨୭,୭୦୦ ଖଣ୍ଡ ଭୋଟ ପାଇ କଂଗ୍ରେସ ପ୍ରାର୍ଥୀ ସନାତନ ମହାକୁଡଙ୍କୁ ମାତ୍ର ୧୪୫ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଥିଲେ ।

ତା’ପୂର୍ବରୁ ୨୦୦୦ ମସିହାରେ ବରିଷ୍ଠ ଜନତା ଦଳ ନେତା ତଥା ପୂର୍ବତନ ମନ୍ତ୍ରୀ ସହରାଇ ଓରାମ ସ୍ୱାଧୀନ ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ୫,୨୩୬ ଖଣ୍ଡ ଭୋଟରେ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ, ୧୯୭୭ ଠାରୁ ୨୦୦୪ ମସିହା ମଧ୍ୟରେ ଅନୁଷ୍ଠିତ ସାତୋଟି ବିଧାନସଭା ନିର୍ବାଚନରେ ମୁଖ୍ୟତଃ କଂଗ୍ରେସ ଓ ଏହାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଜନତା ପାର୍ଟି, ଜନତା ଦଳ(ଧର୍ମନିରପେକ୍ଷ) ବା ଜନତା ଦଳ ମଧ୍ୟରେ ଛକାପଞ୍ଝା ହୋଇଛି ।

ଜନତା ପାର୍ଟି ୧୯୭୭ରେ, ଜନତା ଦଳ(ଧର୍ମ ନିରପେକ୍ଷ) ୧୯୮୦ ଏବଂ ଜନତା ଦଳ ୧୯୮୦-ମସିହାରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ୧୯୮୫, ୧୯୯୫ ଏବଂ ୨୦୦୪ ମସିହାରେ  ବିଜୟ ଲାଭ କରିଥିଲା । ପ୍ରଥମ  ଥର ଲାଗି ୨୦୦୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦୁର୍ଯ୍ୟୋଧନ ପିଙ୍ଗୁଆ ୨୮,୭୫୭ ଭୋଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ।