ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ : ୨୦ ରୁ ଅଧିକ ଯାତ୍ରୀ ଆହତ, ୪ ଗୁରୁତର ବଡ ମେଡିକାଲ ସ୍ଥାନାନ୍ତର

126

କନକ ବ୍ୟୁରୋ : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ । ୨୦ ରୁ ଅଧିକ ଯାତ୍ରୀ ଆହତ ୪ ଗୁରୁତର । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ନିକଟସ୍ଥ ୧୮ ନମ୍ବର ଜାତୀୟ ରାଜପଥ ଉପରେ ଏହି ଦୁର୍ଘଟଣା ଘଟିଛି । ଗୁରୁତର ୪ ଜଣଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ବସଟି ଗତକାଲି ବିଳମ୍ବିତ ରାତ୍ରିରେ ବାରିପଦା-ରାଇରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା ।

ଘଟଣାସ୍ଥଳରେ ପୋଲିସ ବିଭାଗ ଓ ଅଗ୍ନିଶମ ବିଭାଗ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ଆମ୍ବଲାନ୍ସ ସାହାଯ୍ୟରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଆହତ ମାନେ ବାରିପଦାରେ ଚିକିତ୍ସାଧୀନ ରହିଥିବା ବେଳେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ବସରେ ପାଖାପାଖି ୫୦ ଜଣ ଯାତ୍ରୀ ରହିଥିବା କୁହାଯାଉଥିବା ବେଳେ କେଉଁ ପରିସ୍ଥିତିରେ ବସଟି ରାସ୍ତା ତଳକୁ ଓଲଟି ପଡିଲା ତାହା ସଠିକ ଭାବରେ ଜଣାପଡି ନାହିଁ ।