କୋଚିଂ ସେଣ୍ଟରରେ ଯୁକ୍ତଦୁଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ; ମାଲିକ ସମେତ ଶିକ୍ଷକ ଫେରାର

372

କନକ ବ୍ୟୁରୋ : କେନ୍ଦ୍ରାପଡାରେ ଘରୋଇ କୋଚିଂ ସେଂଟରରେ ପାଠ ପଢ଼ୁଥିବା ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ସଦର ଥାନା କଂସାର ପଞ୍ଚାୟତ ଫୋରଡ଼ ଗାଁର ସୁବାସ ମୁଦୁଲିଙ୍କ ପୁଅ ସୁବ୍ରତ ମୁଦୁଲି । ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ସୁବ୍ରତଙ୍କ ଏଭଳି ଆକସ୍ମିକ ବିୟୋଗକୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରିନାହାନ୍ତି ।

ପୁଅକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ହତ୍ୟା ମାମଲା ରୁଜୁ କରି ମେସ୍ ପରିଚାଳନା ଦାୟିତ୍ୱରେ ଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିବା ବେଳେ କୋଚିଂ ସେଣ୍ଟର ମାଲିକଙ୍କ ସମେତ ଶିକ୍ଷକମାନେ ଫେରାର୍ ହୋଇ ଯାଇଛନ୍ତି । ମୃତକଙ୍କ ବାପା ସୁବାସଙ୍କ ଅଭିଯୋଗ ଅନୁଯାୟୀ ଗତ ଶୁକ୍ରବାର ପୁଅ ଘରକୁ ଯାଇଥିଲା । ଗୋଟିଏ ଦିନ ରହିବା ପରେ ଶନିବାର ସକାଳ ୯ଟା ବେଳେ ପୁଅକୁ ଆଣି କୋଚିଂ ସେଣ୍ଟରରେ ହଷ୍ଟେଲରେ ଛାଡ଼ି ଦେଇଥିଲେ । ସେତେବେଳେ ଯାଏ ପୁଅ ଠିକଠାକ୍ ଥିଲା । ମାତ୍ର ରାତି ପ୍ରାୟ ସାଢ଼େ ୯ଟା ବେଳେ ପତ୍ନୀଙ୍କ ଦେହ ଖରାପ ହେବାରୁ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲକୁ ଯାଇଥିଲେ ।

ପତ୍ନୀଙ୍କୁ ଡାକ୍ତରଙ୍କୁ ଦେଖାଉଥିବା ବେଳେ ହିଁ କୋଚିଂ ସେଣ୍ଟରର ଶିକ୍ଷକ ପୁଅକୁ ଟେକି ଟେକି ମେଡିକାଲ୍ ନେଇ ଆସିଥିବା ଦେଖିବାକୁ ପାଇଥିଲେ । ପୁଅର କ’ଣ ହେଇଛି ବୋଲି ପଚାରିବାରୁ ସେମାନେ କିଛି କହି ନଥିଲେ । ଏହାପରେ ଡାକ୍ତର ପୁଅକୁ ସେଠାରେ ମୃତ ଘୋଷଣା କରିଥିଲେ । ପୁଅର ଅସୁସ୍ଥ ଖବର ବାବଦରେ କୋଚିଂ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇନଥିଲା ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ତେଣୁ ପୁଅର ଏପରି ମୃତ୍ୟୁକୁ ହତ୍ୟା ବୋଲି ସନ୍ଦେହ କରିଛନ୍ତି ।