ଭଦ୍ରକ : ମା’କୋଳକୁ ଫେରିଲା ଗୋଟିଏ ବର୍ଷର କଅଁଳ ଶିଶୁ ! ଜାରଜ ସନ୍ତାନ କହି ୨୫ ହଜାରରେ ବିକ୍ରି କରିଦେଇଥିଲା ନିର୍ଦ୍ଦୟୀ ବାପା

49

କନକ ବ୍ୟୁରୋ : ମା’ କୋଳକୁ ଫେରିଲା କଅଁଳା ଶିଶୁ, ଯାହାକୁ ମାତ୍ର ୨୫ ଜହାର ଟଙ୍କାରେ ବିକି ଦେଇଥିଲା ନିର୍ଦ୍ଦୟୀ ବାପା । ଭଦ୍ରକ କୁଆଁସ ଗାଁର ପିଲା ବିକ୍ରି ଘଟଣାରେ ପୁଲିସ ଅଭିଯୁକ୍ତ ବାପା ଏବଂ ଜଣେ ମଧ୍ୟସ୍ତିକୁ ଗିରଫ କରିଛି । ଆଉ ଏହି ଗିରଫଦାରୀ ପରେ ସାମ୍ନାକୁ ଆସିଛି-ପିଲା ବିକ୍ରି ପଛର ପୁରା କାହାଣୀ ।

ସ୍ୱାମୀ-ସ୍ତ୍ରୀର ଝଗଡ଼ାରେ ବଳି ପଡ଼ିଲା, ଗୋଟିଏ ବର୍ଷର କଅଁଳା ଶିଶୁ । ନିଜ ଓøରଷରୁ ଜନ୍ମ ହୋଇନଥିବା କହି, ଗୋଟିଏ ବର୍ଷର କଅଁଳ ପିଲାକୁ ୨୫ ହଜାର ଟଙ୍କାରେ ବିକି ଦେଇଥିଲା ବାପା । ଅଭିଯୁକ୍ତ ବାପା ପାଣ୍ଡିଆ ମୁଖୀ ଏବଂ ମଧ୍ୟସ୍ଥ ବଳିଆ ମୁଖୀକୁ ଗିରଫ କରିବା ପରେ, ସାମ୍ନାକୁ ଆସିଛି, ଭଦ୍ରକ କୁଆଁସ ଗାଁର ପିଲା ବିକ୍ରି ଘଟଣାର ସତ । ଗତ ୨ ତାରିଖରେ ମା’ କୋଳରୁ ଏହି କଅଁଳ ପିଲାକୁ ଛଡ଼ାଇ ନେଇଥିଲା ବାପା । ଆଉ ମାତ୍ର କେଇ ଟଙ୍କା ଲୋଭରେ ଅଜଣା-ଅଚିହ୍ନା ଲୋକ ହାତରେ ଟେକି ଦେଇଥିଲା ସଇତାନ ବାପା । ଶେଷରେ ବିକ୍ରି ହୋଇଥିବା ଗୋଟିଏ ବର୍ଷର ଶିଶୁ ଓମ୍ ମା’ କୋଳକୁ ଫେରିଛି ।

ଏନେଇ ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ଏବଂ ମଧ୍ୟସ୍ତିକୁ ଗିରଫ କରିଛି ପୁଲିସ । ଆଉ ଏହି ଘଟଣାରେ ସଂପୃକ୍ତ ଥିବା ଜଣେ ଅଙ୍ଗନୱାଡି ସହାୟକାକୁ ଖୋଜୁଛି । ଗତକାଲି ସକାଳେ ଭଦ୍ରକ କଲେଜ ପରିସରରେ ରହୁଥିବା ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସୋମନାଥ ସେଠୀଙ୍କ ଘରୁ ଓମକୁ ଉଦ୍ଧାର କରାଯାଇଥିଲା । ସୋମନାଥ, ଯିଏ ଦୁର୍ଘଟଣାରେ ନିଜ ପୁଅକୁ ହରାଇଥିଲେ । ଆଉ ଜଣେ ଗରିବ ପିଲାକୁ ପାଖରେ ରଖି ମଣିଷ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଏହାର ସୁଯୋଗ ପ୍ରସ୍ତୁତ ହୋଇଥିଲା ଏହି ପିଲା ବିକ୍ରିର ପୁରା କାହାଣୀ ।