ସ୍ୱାମୀ ବାଂଲାଦେଶୀ ଅନୁପ୍ରବେଶକାରୀ, ସ୍ତ୍ରୀ ପଂଚାୟତ ନିର୍ବାଚନର ପ୍ରାର୍ଥୀ । କେନ୍ଦ୍ରାପଡ଼ା ମହାକାଳପଡ଼ାର ଅଭାବନୀୟ ଚିତ୍ର, ୨୦୦୩ରୁ ଚିହ୍ନଟ ହେଲେଣି ଅନୁପ୍ରବେଶକାରୀ, ହେଲେ ଏଯାଏଁ ନିଆଯାଇନି ପଦକ୍ଷେପ ।

1,304

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ପାଇଁ ଏବେ ନୂଆ ସଂକଟ ବାଂଲାଦେଶୀ ଅନୁପ୍ରବେଶକାରୀ । ଅନାୟାସରେ ଭାରତୀୟ ସୀମାରେ ପ୍ରବେଶ କରୁଛନ୍ତି, ଓଡ଼ିଶାରେ ଆସି ବସୁଛନ୍ତି । ଏମିତି ଅନେକ ଅନୁପ୍ରବେଶକାରୀ ଅଛନ୍ତି, ଯାହାଙ୍କ ପାଖରେ ଭାରତୀୟ ହେବାର ଗୋଟିଏ ନୁହେଁ ଏକାଧିକ ପ୍ରମାଣ ଅଛି । ସ୍ଥିତି ଏମିତି ରହିଛି ଯେ, ଅନୁପ୍ରବେଶକାରୀ କିଏ ଏବଂ ଭାରତୀୟ କିଏ ତାହା ଜାଣିବା ବି କଷ୍ଟକର ହୋଇପଡୁଛି । କେନ୍ଦ୍ରାପଡ଼ା ମହାକାଳପଡ଼ାର ଏହି ରିପୋର୍ଟ ଉପରେ ନଜର ପକାନ୍ତୁ ।

ସ୍ୱାମୀ ବାଂଲାଦେଶୀ ଅନୁପ୍ରବେଶକାରୀ । ସ୍ତ୍ରୀ ପଂଚାୟତ ନିର୍ବାଚନର ପ୍ରାର୍ଥୀ । ଇଏ ହେଉଛନ୍ତି ଭବତୋଷ ରାୟ । କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍ ହରିଆବାଙ୍କ ଗାଁରେ ରୁହନ୍ତି ଭବତୋଷ । ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ତାଲିକାରେ ତାଙ୍କ ନାଁ ରହିଛି । ଆଶ୍ଚର୍ଯ୍ୟର କଥା ହେଉଛି, ତାଙ୍କ ପାଖରେ ଆଧାର କାର୍ଡ ଅଛି, ଭୋଟର୍ କାର୍ଡ ଅଛି, ସ୍ୱାସ୍ଥ୍ୟ କାର୍ଡ ଅଛି । ଏମିତି କି ବ୍ୟାଙ୍କରୁ ଋଣ ନେଇଥିବା ପ୍ରମାଣ ବି ରହିଛି । ଆଉ ତାଙ୍କ ପତ୍ନୀ ଶୋଭାରାଣୀ ରାୟ ପଂଚାୟତ ନିର୍ବାଚନରେ ପ୍ରାର୍ଥୀ ଭାବେ ନିର୍ବାଚନ ବି ଲଢ଼ିଛନ୍ତି । ତେବେ ଭବତୋଷଙ୍କ କହିବା କଥା, ୫୦ ବର୍ଷ ହେଲାଣୀ ସେ କେନ୍ଦ୍ରାପଡ଼ାରେ ରହି ଆସୁଛନ୍ତି ।

ଭବତୋଷଙ୍କ ପ୍ରଶ୍ନ ହେଉଛି, ତାଙ୍କ ବାପାଙ୍କ ନାଁ ଅନୁପ୍ରବେଶକାରୀ ତାଲିକାରେ ନଥିବା ବେଳେ ତାଙ୍କ ନାଁ ଏଥିରେ ଆସିଲା କେମିତି । ୨୦୦୪ ମସିହାରେ ତାଙ୍କୁ ଅନୁପ୍ରବେଶକାରୀ ଭାବେ ସରକାରଙ୍କ ପକ୍ଷରୁ ନୋଟିସ୍ ମିଳିଥିଲା । ହେଲେ ଏଯାଏଁ ସେ ସେମିତି ରହୁଛନ୍ତି, ଯେମିତି ପୂର୍ବରୁ ରହୁଥିଲେ ।

୨୦୦୩ ମସିହାରେ ମହାକାଳପଡ଼ାରେ ୧୫୫୧ ଜଣ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିଥିଲେ ରାଜ୍ୟ ସରକାର । ହେଲେ ବର୍ତମାନ ପର୍ଯ୍ୟନ୍ତ ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିନି । ଯାହାର ସୁଯୋଗ ନେଇ ଅନେକ କିଏ ନାଁ ବଦଳାଇ ଦେଇଛି, ତ ଆଉ କିଏ ଠିକଣା ବଦଳାଇ ଦେଇଛି ବୋଲି ଅଭିଯୋଗ ହୋଇଛି ।

ସରକାରୀ ତଥ୍ୟ କହୁଛି-୨୦୦୧ରେ କେନ୍ଦ୍ରାପଡ଼ାରେ ୩୦,୮୫୦ଜଣ ବାଂଲାଦେଶୀ ଅନୁପ୍ରବେଶ-କାରୀ ଚିହ୍ନଟ ହୋଇଥିଲେ । ଚଳିତବର୍ଷ ଏହି ସଂଖ୍ୟା ୭ଲକ୍ଷରେ ପହଂଚିଗଲାଣି । ଆଉ ନିକଟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏନଆରସି ଲାଗୁ କରିବା ପାଇଁ ଗୃହ ବିଭାଗକୁ ଚିଠି ଲେଖିଛି ଜଙ୍ଗଲ ପରିବେଶ ବିଭାଗ ।

ଓଡ଼ିଶା ସମେତ ୧୫ଟି ରାଜ୍ୟକୁ ଅନୁପ୍ରବେଶକାରୀ ଚିହ୍ନଟ ପାଇଁ ୨୦୧୭ ମସିହାରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଓଡିଶାର କିଛି ଅଂଚଳରେ ଏନଆରସି ତାଲିକା ପ୍ରସ୍ତୁତ ପାଇଁ କୁହାଯାଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହାଇକୋର୍ଟଙ୍କ ତତ୍ୱାବଧାନରେ ଏକ କମିଟି ଗଠନ କରାଯାଇଥିଲା । ଆଇନଜୀବୀ ମୋହିତ ଅଗ୍ରୱାଲଙ୍କୁ ଆମିକସ କ୍ୟୁରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ବୈଠକ ଛଡ଼ା ସେପରି ପଦକ୍ଷେପ ଏଯାଏଁ ନିଆ ଯାଇନାହିଁ । ଆଉ ଏବେ ଦେଖିବାର କଥା କେନ୍ଦ୍ରାପଡ଼ା ଜିଲ୍ଲାରେ କେବେ ଏନଆରସି ଲାଗୁ ହେଉଛି, ଯଦି ଲାଗୁ ହେଉଛି, ପ୍ରକୃତ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସରକାର ।