ଅଳିଆ ଉଠାଉଥିବା ଦୁଇ ଭାଇଙ୍କ ଭିଡ଼ିଓ ସେୟାର କଲେ ଆନନ୍ଦ ମହିନ୍ଦ୍ରା । କହିଲେ ଏହି ଦୁଇ ଭାଇଙ୍କ ପାଇଁ ଶିକ୍ଷକ ଖୋଜି ଦିଅନ୍ତୁ, ଆମେ ସହଯୋଗ କରିବୁ ।

118

କନକ ବ୍ୟୁରୋ : ଭାରତୀୟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହିଥାଆନ୍ତି। ସେ ବିଭିନ୍ନ ସମୟରେ ଅନେକ ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଥାଆନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଦୁଇଜଣ ଭାଇ ଗୀତ ଗାଉଥିବାର ଏକ ଭିଡିଓ ସେୟାର କରିଛନ୍ତି। ଏହି ଦୁଇଭାଇ ଦିଲ୍ଲୀରେ ଅଳିଆ ଉଠାଇବା କାମ କରିଥାଆନ୍ତି।

ଅଳିଆ ଉଠାଉଥିବା ଏହି ଦୁଇଭାଇଙ୍କ ସୁମଧୁର ସ୍ୱର ଶୁଣି ଆନନ୍ଦ ମହିନ୍ଦ୍ରା ଦିଲ୍ଲୀରେ କିଏ ଭଲ ଗୀତ ଶିକ୍ଷକ ଅଛନ୍ତି ଯଦି କିଏ  ଜାଣିଛନ୍ତି ତେବେ ତାଙ୍କୁ ତାଙ୍କର ସୂଚନା ଦେବାକୁ ଅନୁରୋଧ କରିଛନ୍ତି। ଯେଉଁ ଶିକ୍ଷକ କି ଏହି ଦୁଇ ଭାଇଙ୍କୁ ସନ୍ଧ୍ୟା ସମୟରେ ଗୀତ ଶିକ୍ଷା ଦେଇ ପାରିବେ। କାରଣ ଦୁହେଁ ସକାଳେ କାମରେ ବାହାରି ଯାଇଥାଆନ୍ତି। ଆନନ୍ଦ ମହିନ୍ଦ୍ରାଙ୍କ ଭଳି ସୋସିଆଲ ମିଡିଆରୁ ଏହି ଦୁଇଭାଇଙ୍କ ସୁମଧୁର ସ୍ୱରକୁ ଯିଏ ଶୁଣୁଛନ୍ତି ସେ ଆଶ୍ଚର୍ଯ୍ୟଚକିତ ହୋଇଯାଉଛନ୍ତି।

ଆନନ୍ଦ ମହିନ୍ଦ୍ରା ଏହି ଭିଡିଓ ସେୟାର କରି ଲେଖିଛନ୍ତି, ଇନକ୍ରେଡିବଲ ଇଣ୍ଡିଆ ( ଅତୁଲ୍ୟ ଭାରତ)। ଏହି ଭିଡିଓକୁ ମୋର ବନ୍ଧୁ ରୋହିତ ଖଟ୍ଟର ସେୟାର କରିଛନ୍ତି। ତାଙ୍କୁ ଏହି ଭିଡିଓ ସୋସିଆଲ ମିଡିଆରୁ ମିଳିଥିଲା। ଦୁଇଭାଇ ହାଫିଜ ଓ ହବିବୁରଟ୍ଟ. ବହୁତ ପରିଶ୍ରମୀ। ଦୁହେଁ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ କଲୋନିରୁ ଅଳିଆ ଉଠାଇବା କାମ କରିଥାଆନ୍ତି। ଦୁଇଭାଇଙ୍କ ପ୍ରତିଭା ଆଶ୍ଚର୍ଯ୍ୟଚକିତ। କିନ୍ତୁ ଏହାକୁ ଆହୁରି ଫୁଟାଇବାକୁ ହେବ। ତେଣୁ ମୁଁ ଓ ମୋର ସାଙ୍ଗ ଦୁଇଭାଇଙ୍କ ଗୀତ ପ୍ରଶିକ୍ଷଣ ପାଇଁ ଚିନ୍ତା କରିଛୁ।