ବିହାର କଟିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର-ଟ୍ରକ ମୁହାଁମୁହିଁ ଧକ୍କା, ୬ ଜଣଙ୍କର ମୃତ୍ୟୁ

74

କନକ ବ୍ୟୁରୋ : ବିହାର କଟିହାର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥ ୩୧ କୁସେଲା ଥାନା ଅଞ୍ଚଳରେ ଘଟିଛି ଏଭଳି ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏହା ସହ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ ଏକ କାରରେ କିଛି  ଲୋକ ବାହାଘର ପାଇଁ ପୁଅ ଦେଖିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ସମସ୍ତିପୁର ନିକଟରେ ସେମାନଙ୍କ କାର ଯାଉଥିବା ବେଳେ ପୋଲ ଉପରେ ଏକ ଟ୍ରକ ସହ ଧକ୍କା ହୋଇଥିଲା । କାରରେ ଥିବା ୯ ଜଣଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକ ସମସ୍ତିପୁର ଅଞ୍ଚଳର ବୋଲି କୁହାଯାଉଛି ।

ଦୃତଗତିରେ ଗାଡି ଚଳନା ପାଇଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାର ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚିଥିଲେ । ଦୁର୍ଘଟଣାରେ ଶିକାର ହୋଇଥିବା ଲୋକମାନଙ୍କୁ କାରରୁ ବାହାର କରିବା ବେଳକୁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ପ୍ରଶାସନ ପକ୍ଷରୁ ଦୁର୍ଘଟଣାର କାରଣ ସ୍ପଷ୍ଟ କରାଯାଇ ନାହିଁ । ଗତ ୨ ଦିନ ମଧ୍ୟରେ ଜାତୀୟ ରାଜପଥ ୩୧ ରେ ଏହା ଦ୍ୱିତୀୟ ଦୁର୍ଘଟଣା । ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୁଷ ପ୍ରକାଶ କରିଛନ୍ତି । ଦୁଇଦିନ ପୂର୍ବରୁ ଏକ ଅଟୋକୁ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ।