ମୋଦିଙ୍କ ସମାଲୋଚନା ପରେ ଜବାବ ରଖିଲା ବିଜେଡି ! ଅମର ଶତପଥୀ କହିଲେ, ମହିଳାଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରତି ସଚେତନ ଅଛନ୍ତି ରାଜ୍ୟ ସରକାର ।

140

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପୂର୍ବରୁ ମୋଦିଙ୍କ ଓଡିଶା ଗସ୍ତ ରାଜ୍ୟ ରାଜନୀତିରେ ଚହଳ ପକାଇଦେଇଛି । ଗତ ୨ ସସ୍ତାହ ମଧ୍ୟରେ, ଏହା ଥିଲା ମୋଦିଙ୍କ ଦ୍ୱିତୀୟ ଓଡିଶା ଗସ୍ତ । ବାରିପଦାରେ ଆୟୋଜିତ ହୋଇଥିବା ବିଜେପିର ବିଶାଳ ସମାବେଶରେ ନାଁ ନନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ବିଭିନ୍ନ ପ୍ରସଙ୍ଗ ନେଇ ସେ ବିଜେଡି ସରକାରଙ୍କୁ ଘେରି ଥିବା ବେଳେ ସେପଟେ ଜବାବ ରଖିଛି ବିଜେଡି । ପ୍ରଧାନମନ୍ତ୍ରୀଙ୍କ ସମାଲୋଚନାକୁ ଅମୂଳକ ବୋଲି କହିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ଅମର ଶତପଥୀ ।

ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରତି ସଚେତନ ଅଛନ୍ତି । ଆଜିର ପୁରୀ ସମାବେଶରୁ ଏହା ସ୍ପଷ୍ଟ ହୋଇଥିବା ଅମର ଶତପଥୀ କହିଛନ୍ତି । ତେବେ ପିପିଲି ପୀଡିତାଙ୍କୁ ନ୍ୟାୟ ମିଳିବା ପ୍ରସଙ୍ଗରେ ମୋଦିଙ୍କ ସମାଲୋଚନାକୁ ନେଇ ମଧ୍ୟ ଜବାବ ରଖିଛନ୍ତି ଅମର । ସେ କହିଛନ୍ତି, ନ୍ୟାୟିକ ପ୍ରକ୍ରିୟାରେ ଯାହା ସମ୍ଭବ ସେହି ଅନୁଯାୟୀ ତଦନ୍ତ କରାଯାଇଛି । ନ୍ୟାୟିକ ପ୍ରକ୍ରିୟାରେ କେହି ହସ୍ତକ୍ଷେପ କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି । ପରବର୍ତ୍ତୀ ସମୟରେ ଅଧିକ ପଦକ୍ଷେପ ନିଆଯିବ । କ୍ରାଇମବ୍ରାଞ୍ଚର ରିପୋର୍ଟ ଆଧାରରେ ତଦନ୍ତ ଜାରି ରହିବ ବୋଲି ସେ କହିଛନ୍ତି ।

ସେହିପରି ବାରିପଦାରେ ମୋଦି କହିଥିବା ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଅମର ଶତପଥୀ । କହିଛନ୍ତି ରାଜ୍ୟ ସରକାରଙ୍କ ନିଜସ୍ୱ ସ୍ୱାସ୍ଥ୍ୟ ଯୋଜନା ରହିଛି । ତେଣୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଗ୍ରହଣ କରିବାର କୌଣସି ଆବଶ୍ୟକତା ନାହିଁ ।