୧୯୭୧ ଯୁଦ୍ଧରେ ପ୍ରାଣ ହରାଇଥିବା ସହିଦ ଯବାନଙ୍କ ସ୍ମୃତିରେ ଜଳା ଯାଇଥିଲା ଅମର ଯବାନ ଜ୍ୟୋତି, ଜାଣନ୍ତୁ ସମ୍ପୂର୍ଣ୍ଣ ଇତିହାସ

102

କନକ ବ୍ୟୁରୋ : ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ପ୍ରାଣ ହରାଇଥିବା ସହିଦ ଯବାନଙ୍କୁ ମନେ ପକାଇବାକୁ ସେତେବେଳେ ସରକାର ଅମର ଯବାନ ଜ୍ୟୋତି ଜଳା ଯାଇଥିଲା । ଏହାପରେ ଦିଲ୍ଲୀରେ ଇଣ୍ଡିଆ ଗେଟ୍ ଆଗରେ ଏକ କଳା ରଙ୍ଗର ସ୍ମାରକ ବି ନିର୍ମାଣ କରାଯାଇଥିଲା । ଏହି ସ୍ମାରକରେ ଅମର ଯବାନ ବୋଲି ଲେଖାଯିବା ସହ ଏକ ରାଇଫଲ ଓ ସୈନିକଙ୍କ ହେଲମେଟ ରଖାଯାଇଥିଲା । ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧୀ ଏହି ସ୍ମାରକକୁ ୧୯୭୨ ମସିହା ଜାନୁଆରୀ ୨୬ ତାରିଖରେ ଉଦଘାଟନ କରିଥିଲେ । ସେହି ଦିନ ଠାରୁ ଏଠାରେ ଏକ ଜ୍ୟୋତି ଜଳୁଛି । ଏହାକୁ ଅମର ଯବାନ ଜ୍ୟୋତି ବୋଲି କୁହାଯାଇଥାଏ ।

ଏକ ରିପୋର୍ଟ ମୁତାବକ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୭୧ ମସିହା ଡିସେମ୍ବର ମାସ ୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଯୁଦ୍ଧ ଲାଗି ରହିଥିଲା । ଏହି ଯୁଦ୍ଧରେ ଭାରତୀୟ ସେନାର ୩,୮୪୩ ଜଣ ସୈନିକ ସହିଦ ହୋଇଥିଲେ । ତଥାପି ପାକିସ୍ତାନ ପରାଜିତ ହୋଇଥିଲା । ଯୁଦ୍ଧରେ ସହିଦ ହୋଇଥିବା ଯବାନମାନଙ୍କ ସମ୍ମାନ ପାଇଁ ଅମର ଯବାନ ଜ୍ୟୋତିର ସ୍ଥାପନା କରାଯାଇଥିଲା । ପ୍ରଥମେ ଏହି ଜ୍ୟୋତିକୁ ଜଳାଇ ରଖିବାକୁ ଏଲପିଜିର ବ୍ୟବହାର କରାଯାଉଥିଲା । ଏହାପରେ ସିଏନଜି ସହାୟତାରେ ଏହି ଜ୍ୟୋତିକୁ ଜଳା ଯାଉଥିଲା । ହେଲେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ଆଜି ଏହି ଜ୍ୟୋତିକୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ବିଲିନ କରାଗଲା ।

ଇଣ୍ଡିଆ ଗେଟର ୪୦୦ ମିଟର ଦୂରରେ ନିର୍ମିତ ହୋଇଥିବା ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକଟି ୪୦ ଏକର ଜମି ଉପରେ ନିର୍ମିତ ହୋଇଛି । ଏହି ସ୍ମାରକର କାନ୍ଥରେ ସହିଦ ଯବାନ ମାନଙ୍କର ନାମ ଉଲ୍ଲେଖ ରହିଛି । ସୂଚନା ମୁତାବକ ଶୁକ୍ରବାର ଅପରାହ୍ନ ୩.୫୪ ମିନିଟ ସମୟରେ ଚିଫ୍ ଅଫ୍ ଇଣ୍ଟିଗ୍ରେଟ୍ ଡିଫେନ୍ସ ଷ୍ଟାଫ ଏୟାର ମାର୍ଶଲ ବଳଭଦ୍ର ରାଧାକୃଷ୍ଣ ଅମର ଯବାନ ଜ୍ୟୋତିକୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ଜଳୁଥିବା ଜ୍ୟୋତିରେ ବିଲୟ କରିଦେଇଛନ୍ତି । ପ୍ରଥମେ ଏଭଳି କାମ ସିଡିଏସଙ୍କ ଦ୍ୱାରା କରାଯାଇଥାଏ । ମାତ୍ର କିଛି ଦିନ ତଳେ ସିଡିଏସ ବିପିନ ରାୱତଙ୍କ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ଏବେ ଏହି ପଦ ଖାଲି ପଡିଛି ।