ନେତା ହୋ ! ବନ୍ଦ କର ନାଟକ… ରାସ୍ତା ହେବନି ତ ଭୋଟ୍ ଦେବୁନି… ଗାଁ ଲୋକଙ୍କ ଭୋଟ ବର୍ଜନ ନିଷ୍ପତ୍ତି

124

କନକ ବ୍ୟୁରୋ: ଫେରିଯାଅ ନେତା ଫେରିଯାଅ… ରାସ୍ତା କରିବ ତ ଭୋଟ ପାଇବ… ରାସ୍ତା ନାହିଁ ତ ଭୋଟ ନାହିଁ । ବନ୍ଦ କର ତମ ନିତିଦିନିଆ ନାଟକ, ଫେରାଇନିଅ ତମ ପୁଳାପୁଳା ପ୍ରତିଶ୍ରୁତି । ଭୋଟ ଆସିଲେ ଆସୁଛ, ଭୋଟ ସରିଲେ ଅନ୍ତର୍ଦ୍ଧ୍ୟାନ ହେଇଯାଉଛ । ଭଲ ଭଲ କଥା କହି, ବିକାଶ ସ୍ୱପ୍ନ ଦେଖାଇ ସବୁବେଳେ ଠକୁଛ । ଆଉ ନୁହେଁ ଏବେ ସମୟ ଆସିଛି ତମ ମୁଖା ଖୋଲିବାର, ସମୟ ଆସିଛି ତମକୁ ଆମ ଏକତା ଦେଖାଇବାର । କାନ ଖୋଲି ଶୁଣିନିଅ ନେତା, ଏଥର ଭୋଟ ମାଗିବାକୁ ଆସିବ ତ ରାସ୍ତା ସମସ୍ୟା ଦୂର କରି ଆସିବ । ଯଦି ନାହିଁ, ତାହାଲେ ଭୋଟ ନାହିଁ…

ଯେତେବେଳେ ପଞ୍ଚାୟତ ନିର୍ବାଚନ ପାଇଁ ଗାଁଗଣ୍ଡା, ଗଳିକନ୍ଦିରେ ରାଜନୀତିର ରୁଟି ସେକା ଚାଲିଛି । କ୍ଷମତା ହାତେଇବାକୁ ରାତାରାତି ରଣନୀତି ପ୍ରସ୍ତୁତ ହେଉଛି । ନେତାଙ୍କ ଆଖିକୁ ନିଦ ଆସୁନାହିଁ । ଠିକ୍ ସେତେବେଳେ ଜନତା ନେତାଙ୍କୁ ସମସ୍ୟାର ପାଠ ପଢାଇ ଚେତାବନୀ ଦେଉଛନ୍ତି । ଆହ୍ୱାନ ଦେଉଛନ୍ତି ଆସ, ଆମ ସମସ୍ୟା ଦେଖ, ତାପରେ ମାଗିବ ଭୋଟ । ପଞ୍ଚାୟତ ଭୋଟର ଭିଡ ଭିତରେ ଏମିତି ଚିତ୍ର ଆସିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ବାଟି ପଞ୍ଚାୟତର ସୁଙ୍ଗୁଡା ପତିପୋଖରୀ ଆଦିବାସୀ ସାହିରୁ । ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗାଁ ଲୋକେ ।

ଆଦିବାସୀ ସାହିରେ ୩୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ଗାଁକୁ ଖଣ୍ଡେ ରାସ୍ତା ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ପାଇଖାନା, ଘର ତ ମିଳିବା ଦୂରର କଥା ରାସ୍ତାଟିଏ ହେଇପାରୁନଥିବାରୁ ଲୋକେ ଏଇ ହିଡରେ ଯାଆସ କରୁଛନ୍ତି । ଅନ୍ୟ ସମୟରେ ତ କଷ୍ଟେମଷ୍ଟେ ଯାଇହେଉଛି ହେଲେ ବର୍ଷା ଦିନେ ଏ ରାସ୍ତାରେ ଯିବା ମୁସକିଲ ହୋଇପଡୁଛି । ଗୁରୁତର ରୋଗୀଟିଏ ମେଡିକାଲ ଯିବାପାଇଁ ଗାଁକୁ ଆମ୍ବୁଲାନ୍ସ ଆସିପାରୁନି କି ଗର୍ଭବତୀଙ୍କୁ ହସ୍ପିଟାଲ ନେଉ ହେଉନି । ଏମିତି ସବୁ ଅଭିଯୋଗର ଲମ୍ବାଫର୍ଦ୍ଦ ଧରି ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗାଁ ଲୋକେ ।

ଗ୍ରାମବାସୀଙ୍କ ଅଭିଯୋଗ ସରକାର ସବୁ ସୁବିଧା କରୁଛନ୍ତି ହେଲେ ସ୍ଥାନୀୟ ନେତାଙ୍କ ଅବହେଳା, ମନମୁଖୀ କାରବାର ପାଇଁ ପ୍ରକୃତ ହିତାଧିକାରୀଙ୍କ ପାଖରେ ସଠିକ ସୁବିଧା ପହଞ୍ଚିପାରୁନି । ନେତାମାନେ ଖାଲି ନିର୍ବାଚନ ଆସିଲେ ଆମ ଗାଁକୁ ଆସନ୍ତି ପରେ ଭୁଲିଯାଆନ୍ତି । ମାତ୍ର ଏଥର ସେସବୁ ହେବାକୁ ଦେବୁନି ବୋଲି ଖୋଲା ଚେତାବନୀ ଦେଇଛନ୍ତି ଜନତା ।