ଆଠଗଡ କଖଡି ସରପଞ୍ଚଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚରମବାଣୀ : ୨୦ତାରିଖ ସୁଦ୍ଧା ସ୍ଥାନୀୟ ଅଚଂଳରେ ମଦ ବନ୍ଦ କରାନଗଲେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କରିବେ ଅନଶନ

107

କନକ ବ୍ୟୁରେ : ରାଜ୍ୟରେ ମଦ ବନ୍ଦ ଆନ୍ଦୋଳନ ତେଜିବାରେ ଲାଗିଛି । ଅନେକ ସମୟରେ ମହିଳାମାନେ ମଦଭାଟି ବନ୍ଦ କରିବା ପାଇଁ ଆନ୍ଦୋଳନ କରୁଥିବା ବେଳେ ବର୍ତ୍ତମାନ ସମୟରେ ପୁଣିଥରେ ମଦ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି । ତେବେ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୨୦ ତାରିଖ ସୁଦ୍ଧା ଆଠଗଡ ବିଧାନସଭା ନିର୍ବାଚନମଣ୍ଡଳୀର କଖଡି ପଞ୍ଚାୟତକୁ ଯଦି ସରକାର ମଦମୁକ୍ତ ପଞ୍ଚାୟତ ଘୋଷଣା ଲାଗି ପଦକ୍ଷେପ ନ ନିଅନ୍ତି, ତେବେ ସେହିଦିନ ଠାରୁ ଅନଶନ କରିବି ବୋଲି କହିଛନ୍ତି ସରପଚଂ । କଖଡି ପଞ୍ଚାୟତର ମହିଳା ସରପଞ୍ଚ ଶାନ୍ତିପ୍ରିୟା ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏମିତି ଚରମ ବାଣୀ ଶୁଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ‘ଆପଣ ନିକଟରେ ଗୁରୁପ୍ରିୟା ସେତୁ ନିର୍ମାଣ କରି ସେ ଅଞ୍ଚଳକୁ ସ୍ୱାଭିମାନ ଅଞ୍ଚଳ ଘୋଷଣା କରିଛନ୍ତି। ଅନୁରୂପ ଭାବେ କଖଡି ପଞ୍ଚାୟତକୁ ମଦମୁକ୍ତ ପଞ୍ଚାୟତ ଘୋଷଣା କରିବାରେ ମୋତେ ଆଶୀର୍ବାଦ କରିବେ ବୋଲି ଆଶା କରୁଛି। ଅନ୍ୟଥା ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ୟାଗ୍ରହ କରିବା ପାଇଁ ବାଧ୍ୟ ହେବି। ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ନ ପାରିଥିବାରୁ ଆତ୍ମଶୁଧି ପାଇଁ ଅନଶନ କରିବି।’

 

ଗତ ୧୨ ତାରିଖରେ ଶାନ୍ତିପ୍ରିୟା ମୁଖ୍ୟମନ୍ତ୍ରୀଙ୍କୁ ଏହି ଚିଠି ଲେଖିଥିଲେ। ଏଥିରେ ସେ ଦର୍ଶାଇଛନ୍ତି, ଗତ ପଞ୍ଚାୟତ ନିର୍ବାଚନରେ ଆଠଗ଼ଡ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଟାଙ୍ଗୀ ବ୍ଲକ କଖ଼ଡି ପଞ୍ଚାୟତର ସରପଞ୍ଚ ଭାବେ ସେ ନିର୍ବାଚିତ ହୋଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ଲୋକେ ଭୋଟ ଦେବା ବେଳେ ପଞ୍ଚାୟତକୁ ନିଶାମୁକ୍ତ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚିତ ହେବା ପରେ ଏହି ପ୍ରତିଶ୍ରୁତି ପୂରଣ ପାଇଁ ଦୁଇ ବର୍ଷ ଧରି ବିଭିନ୍ନ ସ୍ତରରେ ଉଦ୍ୟମ ଚଳାଇଛନ୍ତି। କିନ୍ତୁ କୌଣସି ସୁଫଳ ମିଳିପାରିନାହିଁ। ଉଲ୍ଲେଖଯୋଗ୍ୟ, ମଦ ଦୋକାନ ବିରୋଧରେ ପୂର୍ବରୁ ସ୍ୱୟଂ ସହାୟକ ଗୋଷ୍ଠୀ ଆନ୍ଦୋଳନ ଚଳାଇଥିଲେ। ହେଲେ ଏବେ ଲୋକ ପ୍ରତିନିଧି ମାତିଲେଣି। ମହିଳା ସରପଞ୍ଚ ଶାନ୍ତିପ୍ରିୟାଙ୍କର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଧମକ ପରେ ମଦ ବିରୋଧୀ ଅଭିଯାନ ଧୀରେ ଧୀରେ ବିଶାଳ ରୂପ ନେଉଛି, ଏକଥା ଆଉ ଅଛପା ନାହିଁ।

 

କଖ଼ଡି ପଞ୍ଚାୟତର ମହାଳପଡା ଗ୍ରାମରେ ଥିବା ମଦ ଦୋକାନ ପାଖରେ ସ୍କୁଲ, କଲେଜ ଓ ମନ୍ଦିର ରହିଛି। ଫଳରେ ଛାତ୍ରଛାତ୍ରୀମାନେ ଓ ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ ଭକ୍ତମାନେ ମଦୁଆ ତଥା ଅସାମାଜିକ ଲୋକଙ୍କ ଦୌରାତ୍ମ୍ୟର ଶିକାର ହେଉଛନ୍ତି। ମଦ ଦୋକାନଟି ପୁରୁଣା କଟକ-ସମ୍ବଲପୁର ରାଜପଥ ନିକଟରେ ଥିବାରୁ ସେଠାରେ ପ୍ରତିଦିନ ଦୁର୍ଘଟଣା ମଧ୍ୟ ଘଟୁଛି। ମଦ ଦୋକାନ ସମସ୍ୟା ସଂପର୍କରେ ସରପଞ୍ଚ ଅବକାରୀ ମନ୍ତ୍ରୀ, ସ୍ଥାନୀୟ ବିଧାୟକ, କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର, ଅବକାରୀ କମିସନର ଓ କଟକ ଜିଲ୍ଲାପାଳଙ୍କୁ ବାରମ୍ବାର ଭେଟି ଏହାର ଉଚ୍ଛେଦ ପାଇଁ ନିବେଦନ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିବା ସରପଚଂ ଚିଠିରେ ଉଲ୍ଲେଖ କରିଥିବା ଜଣାପଡିଛି ।