କେରଳରେ ଜଳପ୍ରଳୟ: ବନ୍ୟାରେ ବୁଡ଼ିଛି ସାରା ରାଜ୍ୟ, ମୃତ୍ୟୁସଂଖ୍ୟା ୩୫୦ ଟପିଲା । ଘର ଭାଙ୍ଗୁଛି, ରାସ୍ତାରେ ଭାସୁଛି ଶବ

46

କନକ ବ୍ୟୁରୋ: କେରଳରେ ଭୟଙ୍କର ମାନବିକ ସଙ୍କଟ। ଗତ ଶହେ ବର୍ଷରେ ଏଭଳି ହୃଦୟବିଦାରକ ବିପର୍ଯ୍ୟୟ ଦେଖିବାକୁ ମିଳିନଥିଲା। ପ୍ରଳୟଙ୍କାରୀ ବର୍ଷା ଓ ବନ୍ୟା କେରଳକୁ ଛାରଖାର କରିଦେଇଛି। ରାଜ୍ୟର ୧୪ଟି ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲା ପାଣି ଘେରରେ। ୩୫୦ ଲୋକ ମଲେଣି। ଆହୁରି ଅନେକ ଲୋକ ମାଟି ତଳେ ଦବି ରହିଛନ୍ତି। ମୃତ୍ୟୁସଂଖ୍ୟା ବଢ଼ିପାରେ। ଲକ୍ଷ ଲକ୍ଷ ଲୋକ ବନ୍ୟାପାଣିରେ ଫସିଛନ୍ତି। ହଜାର ହଜାର ଘର ଭାଙ୍ଗିଯାଇଛି। ଘର ଛାତ ଓ ଗଛରେ ଆଶ୍ରୟ ନେଇଥିବା ହଜାର ହଜାର ଲୋକ ସହାୟତା ପାଇଁ ଚିତ୍କାର କରୁଛନ୍ତି। ବର୍ଷା ଓ ବନ୍ୟା ଯୋଗୁଁ ରାସ୍ତା ଧୋଇ ହୋଇଯାଇଛି। ରେଳ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗମନାଗମନ ଠପ୍‌ ଯୋଗୁଁ ଲୋକଙ୍କୁ ଖାଦ୍ୟ ଓ ପିଇବାକୁ ପାଣି ମଳୁନାହିଁ। ଔଷଧର ମଧ୍ୟ ଘୋର ଅଭାବ ଦେଖାଦେଇଛି। ଟେଲି ଯୋଗାଯୋଗ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ଏବଂ ରାଜ୍ୟର ଅର୍ଧାଧିକ ଅଞ୍ଚଳ ଅନ୍ଧାରରେ ରହିଛି। ଏମିତି ପରିସ୍ଥିତିରେ ଲୋକେ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପୁଣି ଅତିପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ୧୧ଟି ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି କରାଯାଇଛି।

ବନ୍ୟା ସ୍ଥିତି ଦିନକୁ ଦିନ ଭୟଙ୍କର ରୂପ ନେଉଛି। ବର୍ଷା ଟିକେ କମିଲେ ଲୋକଙ୍କ ମନରେ ନୂଆ ଆଶା ସଞ୍ଚାର ହେଉଥିବା ବେଳେ ପୁଣିଥରେ ବର୍ଷା ଆସି ବିପନ୍ନଙ୍କ ଉପରେ ଦାଉ ସାଧୁଛି। ଶତାବ୍ଦୀର ଏହା ସବୁଠୁ ବଡ଼ ବନ୍ୟା ହୋଇଥିବା ବେଳେ ରାଜ୍ୟରେ ବର୍ଷା ଓ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୩୫୦ ଟପିଛି। କେବଳ ଗତକାଲି ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୧୫ଟି ମୃତଦେହ ଗତକାଲି ବନ୍ୟା ଜଳରୁ ଭାସମାନ ଅବସ୍ଥାରେ ଉଦ୍ଧାର କରାଯାଇଛି।

ରାଜ୍ୟରେ ଏବେ ଖାଦ୍ୟ ସଙ୍କଟ ମଧ୍ୟ ଅତି ଉଦ୍‌ବେଗଜନକ ହୋଇଛି । ୨ ଲକ୍ଷ ପରିବାର ବାସହରା ହୋଇଥିବା ବେଳେ ସେମାନଙ୍କ ପାଖରେ ଖାଦ୍ୟ ନାହିଁ କି ପିଇବାକୁ ପାଣି ନାହିଁ। ଫୋନ୍‌ ବି କାମ କରୁନି। ସାରା ରାଜ୍ୟର ଲୋକେ ଏବେ ସୋସିଆଲ ମିଡିଆ ଦ୍ୱାରା ସହଯୋଗ ପାଇଁ ଅନୁରୋଧ କରିଛନ୍ତି। ଉଦ୍ଧାରକାରୀ ଦଳଙ୍କ ସହ ଯୋଗାଯୋଗ ହୋଇ ପାରୁନଥିବାରୁ ସେମାନେ ସୋସିଆଲ ମିଡିଆକୁ ଆପଣାଇଛନ୍ତି। ଗୁଗ୍‌ଲ ମଧ୍ୟ ପାଣିରେ ଫସି ରହିଥିବା ଲୋକମାନେ ଅଫଲାଇନ୍‌ରେ ସେମାନଙ୍କ ଉପସ୍ଥିତି ସେୟାର କରିପାରିବେ ବୋଲି କହିଛି। ବନ୍ୟା କ୍ଷୟକ୍ଷତି ୨୦ ହଜାର କୋଟି ଟଙ୍କା ଛୁଇଁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦ କୋଟି ଟଙ୍କା ପ୍ରାଥମିକ ସହାୟତା ଘୋଷଣା କରିଛନ୍ତି।

୪ ଲକ୍ଷ ଲୋକ ଏବେ ୨୧୦୦ରୁ ଊର୍ଦ୍ଧ୍ୱ ରିଲିଫ୍‌ କ୍ୟାମ୍ପରେ ରହିଛନ୍ତି। ଏତେ ସଂଖ୍ୟକ ଶିବିର ପରିଚାଳନା କରିବା ସରକାରଙ୍କ ପାଇଁ ବିରାଟ ଚ୍ୟାଲେଂଜ ହୋଇଛି। ସାହାଯ୍ୟ ପାଇଁ ହାତ ଯୋଡ଼ି ଅନୁରୋଧ କରୁଥିବା ଅନେକ ଲୋକଙ୍କ ଭିଡିଓ ଏବେ ହ୍ଵାଟ୍ସଆପ୍‌ ଗ୍ରୁପ୍‌ରେ ପ୍ରସାରିତ ହୋଇଛି। ରିଲିଫ କ୍ୟାମ୍ପରେ ମଧ୍ୟ ପାଣି ପଶୁଥିବାର ଖବର ମିଳିଛି।

ଉଦ୍ଧାର କାର୍ଯ୍ୟରେ ସେନା ବାହିନୀ, ବାୟୁ ସେନା, ନୌସେନା, କୋଷ୍ଟଗାର୍ଡ, ଏନ୍‌ଡିଆରଏଫ୍‌କୁ ନିୟୋଜିତ କରାଯାଇଛି। ୩୮ ହେଲିକପ୍ଟର, ୨୦ଟି ବିମାନ ଏବଂ ୩୨୦ ବୋଟ୍‌ ନିୟୋଜିତ ହୋଇଛି। ଏଯାବତ୍‌ ୧୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। ଆହୁରି ୬୦୦୦ ଲୋକଙ୍କୁ ଉଦ୍ଧାର କରାଯିବା ଜରୁରି ବୋଲି କୁହାଯାଇଛି। ପ୍ରାୟ ୧୦ ହଜାର ଲୋକ ଏବେ ବି ସଂପୂର୍ଣ୍ଣ ପାଣିଘେରରେ ରହିଥିବା ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରିବା ସହ ପ୍ରାଥମିକ ପର୍ଯ୍ୟାୟରେ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଉଦ୍ଧାର କାର୍ଯ୍ୟ ପାଇଁ ଅଧିକ ହେଲିକପ୍ଟର ପଠାଇବାକୁ ଅନୁରୋଧ କରିଛନ୍ତି। ସେ ତୁରନ୍ତ ୨୫୦୦ କୋଟି ଟଙ୍କାର ସହାୟତା ଦାବି କରିଛନ୍ତି। ସେ କହିଛନ୍ତି, ପ୍ରାଥମିକ ଆକଳନ ଅନୁଯାୟୀ ୨୫ ହଜାର କୋଟିର କ୍ଷତି ହୋଇଛି। ୧୦ ହଜାର କିଲୋମିଟର ରାସ୍ତା ଧୋଇ ହୋଇଯାଇଛି।

ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଥିବାରୁ ଆଗକୁ ସ୍ଥିତି ଆହୁରି ଭୟଙ୍କର ହୋଇପାରେ। କେରଳରେ ଏଭଳି ଭୟଙ୍କର ବନ୍ୟା ସ୍ଥିତି ପାଇଁ ବିଦେଶ ରାଷ୍ଟ୍ରଗୁଡ଼ିକ ମଧ୍ୟ ଚନ୍ତା ପ୍ରକଟ କରିଛନ୍ତି। ୟୁନାଇଟେଡ୍‌ ଆରବ ଏମିରେଟ୍ସ କେରଳକୁ ସହଯୋଗ କରିବାପାଇଁ ଏକ କମିଟି ଗଠନ କରିବ ବୋଲି ଜଣାପଡ଼ିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  କେରଳ ବନ୍ୟାକୁ ଜାତୀୟ ବିପର୍ଯ୍ୟୟ ଭାବେ ଘୋଷଣା କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି।