ଏୟାର ଇଣ୍ଡିଆ ଶୁଭ ଯାତ୍ରା ପତ୍ରିକାରେ ବିକୃତ ତଥ୍ୟ : ଶ୍ରୀମନ୍ଦିର ମହାପ୍ରସାଦରେ ମିଳେ ଆମିଷ ବ୍ୟଂଜନ

25

vlcsnap-2016-10-29-09h04m29s710କନକ ବ୍ୟୁରୋ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ନିରାମିଷ ସାଙ୍ଗକୁ  ପରଷା ଯାଉଛି ଆମିଷ ଭୋଜନ । ଏୟାର ଇଣ୍ଡିଆ ଶୁଭଯାତ୍ରା ପତ୍ରିକାରେ ଲେଖାଯାଇଥିବା ଏଭଳି ବିକୃତ ତଥ୍ୟ ନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶପାଇଛି । ଇଂରାଜୀ ଭାଷାରେ ପ୍ରକାଶ ପାଉଥିବା ଏହି ପତ୍ରିକାରେ ‘ଡିଭୋସନ କ୍ୟାନ ବି ଡିଲିସିୟସ’  ଶୀର୍ଷକ ଏହି ଲେଖାରେ ଦେଶର ୫ଟି ପ୍ରସିଦ୍ଧ ମନ୍ଦିରର ରୋଷେଇଶାଳା ଓ ସେଠାରେ ପ୍ରସ୍ତୁତ ପ୍ରସାଦ ନେଇ ଉଲ୍ଲେଖ କରାଯାଇଛି ।

ଅମୃତସର ସ୍ୱର୍ଣ୍ଣମନ୍ଦିରର ଗୁରୁ କା ଲଙ୍ଗର, ଇସକନ ଫାଉଣ୍ଡେସନ ପକ୍ଷରୁ ଚାଲିଥିବା ଅକ୍ଷୟ ପାତ୍ର, ପୁରୀ ଜଗନ୍ନାଥ ମନ୍ଦିରର ଆନନ୍ଦ ବଜାର, ମଂଜୁନାଥ ମନ୍ଦିରର ଅନ୍ନଦାନମ ଓ ଶିରିଡି ସାଇବାବାଙ୍କ ପ୍ରସାଦାଳୟରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସ୍ତୁତ ସ୍ୱାଦିଷ୍ଟ ଭୋଜନ ବିଷୟରେ ଲେଖାଯାଇଛି । ମାତ୍ର ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦ ସଂପର୍କରେ ଯାହା ପ୍ରକାଶ ପାଇଛି ତାହା ଶ୍ରଦ୍ଧାଳୁଙ୍କୁ ମର୍ମାହତ କରିଛି । ପୁରୀ ଶ୍ରୀମନ୍ଦିରର ରୋଷଘରକୁ ଦେଶର ସର୍ବବୃହତ ବୋଲି ଉଲ୍ଳେଖ କରାଯାଇଥିବାବେଳେ ଏଠାରେ ଲକ୍ଷାଧିକ ଭକ୍ତଙ୍କ ପାଇଁ ୫୦୦ ରୋଷେୟା, ୩୦୦ ସହାୟକ ରାତିଦିନ କାମ କରିଥାନ୍ତି ବୋଲି ଲେଖାଯାଇଛି ।

ପ୍ରତିଦିନ ପ୍ରାୟ ୨୮୫ ପ୍ରକାର ନିରାମିଷ ଓ ଆମିଷ ଖାଦ୍ୟ ପରଷା ଯାଇଥାଏ ବୋଲି ମ୍ୟାଗାଜିନରେ ପ୍ରକାଶ ପାଇଛି । ଏଭଳି ତଥ୍ୟ ସମଗ୍ର ବିଶ୍ୱର କୋଟି କୋଟି  ଜଗନ୍ନାଥ ପ୍ରେମୀଙ୍କୁ ମାନସିକ ଆଘାତ ଦେଇଛି । ବିମାନରେ ଯାଉଥିବା ରୁଦ୍ରପ୍ରସନ୍ନ ରଥ ନାମକ ଜଣେ ଯାତ୍ରୀଙ୍କ ଦୃଷ୍ଟିକୁ ଏହି ଲେଖା ଆସିବା ପରେ ସେ ଏହାର ପ୍ରତିବାଦ କରିଥିଲେ ।  ମହାପ୍ରଭୁ ଜଗନ୍ନାଥଙ୍କ ସଂପର୍କରେ ଏପରି ତ୍ରୁଟିପୂର୍ଣ୍ଣ ତଥ୍ୟ ଲେଖିଥିବା ପତ୍ରିକାକୁ ତୁରନ୍ତ ପ୍ରତ୍ୟାହାର କରିନେବା ସହ ସଂପୃକ୍ତ ଲେଖକ କ୍ଷମା ପ୍ରାର୍ଥନା କରିବାପାଇଁ ଦାବି କରିଛନ୍ତି ।