ଚର୍ଚ୍ଚାରେ ନିଆରା ପ୍ରେମ କାହାଣୀ: ଜଙ୍ଗଲରେ ଏକାଠି ରହୁଛନ୍ତି ଦମ୍ପତ୍ତି

149

କନକ ବ୍ୟୁରୋ: ଭାଂଲେଣ୍ଟାଇନ ଡେରେ ପ୍ରେମୀଯୁଗଳ ନିଜ ନିଜ ଢଙ୍ଗରେ ପାଳନ କରୁଛନ୍ତି । କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ନିଆରା ପ୍ରେମ କାହାଣୀ ଦେଖାଇବୁ ଯାହା ନିଶ୍ଚିତ ଭାବେ ଆପଣଙ୍କ ମନକୁ ଛୁଇଁବ
ଗଜପତି ଜିଲ୍ଲା ମୋହନାର ବୃଦ୍ଧ ଦମ୍ପତି କାଲା ଓ କୁମାରୀ । ଦୀର୍ଘ ବର୍ଷ ଧରି ଭଲ ପାଉଥିଲେ ବି ବିବାହ କରିନାହାନ୍ତି, କିନ୍ତୁ ଜଙ୍ଗଲରେ ରହୁଛନ୍ତି । ପାରିବାରିକ ସ୍ୱୀକୃତି ନ ମିଳିବାରୁ ଜଙ୍ଗଲରେ ଛୋଟ କୁଡିଆ କରି ପରିଣତ ବୟସର ପଂହଚିଛନ୍ତି । କାଲା ଅସୁସ୍ଥ ଥିବାରୁ ତାଙ୍କ ଯତ୍ନ ନେଉଛନ୍ତି କୁମାରୀ । ଜଙ୍ଗଲରୁ କାଠ ସଂଗ୍ରହ କରି ବିକ୍ରି କଲେ ଘରେ ଚୁଲି ଜଳୁଛି । ଭଲ ଘର ଖଣ୍ଡେ ଏମାନଙ୍କ ପାଇଁ ସାତସ୍ୱପ୍ନ ପାଲଟିଛି ।

ପ୍ରେମ ଦିବସରେ ଆଉ ଏକ ଚର୍ଚ୍ଚିତ ପ୍ରେମ କାହାଣୀ ହେଉଛି କେନ୍ଦ୍ରାପଡା ଭ୍ରମରଦିଆପାଟଣାର । ଏଠାରେ ସ୍ତ୍ରୀ ଆଖିରେ ଦୁନିଆ ଦେଖୁଛନ୍ତି ସ୍ୱାମୀ । ଗାଁର ଆଦିତ୍ୟ ମଲ୍ଲିକ ଓ ସୁକାନ୍ତି ମଲ୍ଲିକଙ୍କ ଭିତରେ ଗଢିଉଠିଛି ପ୍ରେମର ଶାଶ୍ୱତ ସମ୍ପର୍କ । ଆଦିତ୍ୟ ଦୁନିଆକୁ ଦେଖିପାରନ୍ତିନି । ଆଉ ବିବାହର ୬ ବର୍ଷ ବିତିଥିଲେ ବି ଆଦିତ୍ୟଙ୍କୁ ସବୁ କାମରେ ସହଯୋଗ କରୁଛନ୍ତି ସୁକାନ୍ତି । ମନରେ ବିରକ୍ତିଭାବ ନାହିଁ । ଆଦିତ୍ୟ ପେପର ବିକିଲେ ଘର ଚଳେ । ଆଜି ଭାଲେଂଟାଇନ ଡେରେ ସ୍ତ୍ରୀ ସୁକ୍ତାନ୍ତିଙ୍କୁ ଫୁଲ ଆଣି ଦେଇଛନ୍ତି ଆଦିତ୍ୟ । ଗରିବ ହେଲେ ବି ଉଭୟଙ୍କ ମଧ୍ୟରେ ପ୍ରେମ କମ ହୋଇନାହିଁ ।
ବର ବେଶରେ ଶୁଭାଂଶୁ ଓ ବଧୂବେଶରେ ହୁଇଲ୍ ଚେୟାରରେ ଦେବସ୍ମିତା । ବାଲେଶ୍ୱରର ଏହି ପ୍ରେମୀଯୁଗଳ ୭ ଜନ୍ମର ସାଥି ହେବା ପାଇଁ ଅଗ୍ନିକୁ ସାକ୍ଷୀ ରଖି କିଛି ମାସ ତଳେ ସାତ ଫେରା ନେଇଛନ୍ତି । ହୁଇଲ୍ ଚେୟାର ଜୀବନ ସାଥୀଙ୍କୁ ଧରି ଫେରା ନେଉଛନ୍ତି ଶୁଭାଂଶୁ । ମଥାରେ ସିନ୍ଦୁର ଦେଇ ଆପଣାର କରିଛନ୍ତି । ୨୦୧୫ରୁ ହୁହିଁଙ୍କ ସଂପର୍କ । ଯୁକ୍ତ ୩ ଦ୍ୱତୀୟ ବର୍ଷରେ ପଢ଼ୁଥିବା ବେଳେ ଆରମ୍ଭ ହୋଇଥିଲା ତାଙ୍କର ପ୍ରେମ କାହାଣୀ । ହେଲେ ୨୦୧୯ ମସିହାରେ ଦେବସ୍ମିତାଙ୍କ ଜୀବନରେ ଅନ୍ଧାର ମାଡି ଆସିଥିଲା । ହଠାତ ଅସୁସ୍ଥ ହୋଇ ପଡିଥିଲେ ଦେବସ୍ମିତା । ତାଙ୍କୁ ପାରାଲିସିସ ହୋଇଥିବା ଜଣାପଡିଥିଲା । ଏହାପରେ ହୁଇଲ୍ ଚେୟାର ପାଲଟି ଯାଇଥିଲା ତାଙ୍କ ଜୀବନର ସାହାରା, ଚଳପ୍ରଚଳର ମାଧ୍ୟମ । ଆଉ ଏହାକୁ ଖାତିର ନ କରି ଦେବସ୍ମିତାକୁ ଆପଣେଇଛନ୍ତି ଶୁଭ୍ରାଂଶୁ । ଆଜି ପ୍ରେମ ଦିବସରେ ଏମାନଙ୍କ ଭଲ ପାଇବା ଅନ୍ୟମାନଙ୍କ ପାଇଁ ନିଶ୍ଚିତ ରୂପେ ପ୍ରେରଣା ପାଲଟିଛି ।