ମୋଦୀଙ୍କ ଉପରେ ଡକ୍ୟୁମେଂଟାରୀକୁ ନେଇ ବଢ଼ିଛି ବିବାଦ: ପ୍ରତିଶୋଧ ପାଇଁ ବିବିସିକୁ କରାଯାଉଛି କି ଟାର୍ଗେଟ?

1,199

କନକ ବ୍ୟୁରୋ: ଦିଲ୍ଲୀ ଓ ମୁମ୍ବାଇରେ ଥିବା ବ୍ରିଟିଶ ବ୍ରୋଡକାଷ୍ଟିଂ କର୍ପୋରେସନ ବା ବିବିସି ଅଫିସରେ ହଲଚଲ ଖେଳିଯାଇଥିଲା । ଅଫିସର କର୍ମଚାରୀଙ୍କୁ ନିଜ ନିଜ ମୋବାଇଲ ଫୋନ ଜମା କରିବାକୁ କୁହାଗଲା । ଆଉ ଏହା ପରେ ଆରମ୍ଭ ହୋଇଥିଲା ଚଢ଼ାଉ ।

ଦିନ ପ୍ରାୟ ୧୧ଟା ବେଳେ ଆୟକର ବିଭାଗର ଦୁଇଟି ଟିମ୍ ଦେଶର ଦୁଇଟି ସହରରେ ଆରମ୍ଭ କରିଦେଇଥିଲେ ଚଢ଼ାଉ । ଗୋଟିଏ ଟିମ୍ ଦିଲ୍ଲୀର କଲିନା ମାର୍ଗରେ ଥିବା ବିବିସି ଅଫିସ୍ ଓ ଅନ୍ୟ ଟିମଟି ମୁମ୍ବାଇର କଲିନା ସାନ୍ତାକ୍ରୁଜରେ ଚଢ଼ାଉ ଆରମ୍ଭ କରିଦେଇଥିଲା । ବିବିସିର ଭାରତୀୟ ଶାଖାର ଆର୍ଥିକ କାରବାର ନେଇ ଏହି ଚଢ଼ାଉ କରାଯାଉଥିବା କୁହାଯାଇଛି ।

ଗୁଜରାଟ ଦଙ୍ଗାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସିର ବିବାଦୀୟ ଡକ୍ୟୁମେଂଟାରୀର କିଛି ସପ୍ତାହ ପରେ ଆୟକର ବିଭାଗର ଏଭଳି ଚଢାଉ କରିଛି । ପୂର୍ବରୁ ଆୟକର ବିଭାଗ ପକ୍ଷରୁ ବିବିସିକୁ ନୋଟିସ୍ ଜାରି କରାଯାଇଥିଲା । ଆନ୍ତର୍ଜାତୀୟ କର ଏବଂ ଅର୍ଥ ନେଣଦେଣ ନେଇ ଆୟକର ବିଭାଗ ଚଢାଉ କରିଥିବା ସୂଚନା ମିଳିଛି । ତେବେ ମୋଦି ସରକାର ବିବିସି ଉପରେ ରାଗ ରଖି ଏଭଳି ପ୍ରତିଶୋଧମୂଳକ ରେଡ୍ କରାଇଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଏଡିଟର୍ସ ଗିଲଡ୍ ଅଫ୍ ଇଣ୍ଡିଆ ମଧ୍ୟ ଏହି ରେଡକୁ ବିରୋଧ କରିଛି । ବିଜେପି ପକ୍ଷରୁ କୁହାଯାଇଛି ଯେ, ଆୟକର ବିଭାଗ ତା କାମ କରୁଛି ।

ବିବିସି ମୋଦୀଙ୍କ ଉପରେ ଯେଉଁ ଡକ୍ୟୁମେଂଟାରୀ ତିଆରି କରିଥିଲା, ତାହା ଅତି ବିବାଦୀୟ ହୋଇପଡ଼ିଛି । ଏଥିରେ ଜାଣିଶୁଣି ମୋଦୀଙ୍କୁ ଅତି ନକାରାତ୍ମକ ଭାବେ ଚିତ୍ରଣ କରାଯାଇଥିବା ବିଜେପି ଅଭିଯୋଗ କରିଆସୁଛି । ଏପରିକି କେନ୍ଦ୍ର ସରକାର ଏହାର ପ୍ରଦର୍ଶନ ଉପରେ କଟକଣା ଲଗାଇଛନ୍ତି । ତେବେ ଜେଏନୟୁ ଓ କିଛି ବିଶ୍ୱବିଦ୍ୟାଳୟରେ ଏହାର ପ୍ରଦର୍ଶନର ଖବର ଆସିଥିଲା । ଅନ୍ୟପଟେ କାହିଁକି ଏହାକୁ ବ୍ୟାନ କରାଯାଇଛି ଓ ଏହି ଡକ୍ୟୁମେଂଟାରୀର ମୂଳ ତଥ୍ୟ ରଖିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇସାରିଛନ୍ତି ।