ଅବଦୁର ରେହେମାନକୁ ସଶ୍ରମ କାରାଦଣ୍ଡ: ୭ ବର୍ଷ ୫ ମାସ ସଜା ଶୁଣାଇଲେ ଦିଲ୍ଲୀ କୋର୍ଟ

258

କନକ ବ୍ୟୁରୋ: ଆତଙ୍କବାଦୀ ସଂଗଠନ ଅଲକାଇଦା ସହ ଜଡିତ ଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା, ଓଡିଶାର ଅବଦୁର ରେହେମାନକୁ ଦଣ୍ଡାଦେଶ ଦେଇଛନ୍ତିି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ । ଆତଙ୍କବାଦୀ ଷଡଯନ୍ତ୍ରରେ ଲିପ୍ତ ଥିବା ଅଭିଯୋଗରେ ଅବଦୁରକୁ ୭ବର୍ଷ ୫ମାସ ସଶ୍ରମ କାରାଦଣ୍ଡାଦେଶ ସହ, ୨୫ ହଜାର ଟଙ୍କା ଜରିମାନା କରାଯାଇଛି । ଅନ-ଲ-ଫୁଲ ଆକ୍ଟିଭିଟିଜ୍ ପ୍ରିଭେନସନ ଆକ୍ଟର ଧାରା ୧୮ ଏବଂ ୧୮-ବିରେ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଅବଦୁର ରେହେମାନ ସହ ଦେଶ ବିରୋଧୀ ଷଡଯନ୍ତ୍ରରେ ଲିପ୍ତ ଥିବା ଅନ୍ୟ ତିନି ଅଭିଯୁକ୍ତ, ମହମ୍ମଦ ଆସିଫ, ଜାଫର ମାସୁଦ ଓ ଅବଦୁଲ ସାମିଙ୍କୁ ମଧ୍ୟ କୋର୍ଟ ସମାନ ଦଣ୍ଡାଦେଶ ଦେଇଛନ୍ତିି ।

ଅବଦୁର ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ ପ୍ରମାଣିତ ହେବା ପରେ, କିଛି ଦିନ ତଳେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ଏବେ ଦଣ୍ଡାଦେଶ ଶୁଣାଇଛନ୍ତି ।

୨୦୧୫ରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଅବଦୁର ରେହେମାନଙ୍କୁ କଟକ ଜଗତପୁର ଅଂଚଳରୁ ଗିରଫ କରିଥିଲା । ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ଓଡିଶାରୁ କେହି ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ହେବା ପ୍ରଥମ ଘଟଣା ହୋଇଥିବାରୁ ଗଣମାଧ୍ୟମର ପ୍ରମୁଖ ଖବର ପାଲଟିଥିଲା । ଆଉ ସେବେଠାରୁ ଅବଦୁରକୁ ଗିରଫ କରି ନେବା ସହ ତା ବିରୋଧରେ ପ୍ରମାଣ ସଂଗ୍ରହ କରୁଥିଲା ଦିଲ୍ଲୀ ପୁଲିସ ଓ ଏନଆଇଏ । ଆଉ ତଦନ୍ତବେଳେ ଯାହା ଜଣାପଡିଥିଲା ତାହା ସମସ୍ତଙ୍କୁ ଚମକାଇ ଦେଇଥିଲା । ଜଣାପଡିଥିଲା, ଅବଦୁର ବେଆଇନ ଭାବେ ପାକିସ୍ତାନ ଯାଇଥିଲା । ସେଠାରେ ପାକିସ୍ତାନ ଆତଙ୍କୀ ସଂଗଠନର ସଦସ୍ୟଙ୍କୁ ଭେଟିଥିଲା । ଆତଙ୍କବାଦୀ ଟ୍ରେନିଂ ନେଇଥିଲା । ଏପରିକି ଆତଙ୍କବାଦୀ ସଂଗଠନ ଅଲକାଏଦା ସହ ଅବଦୁରର ସମ୍ପର୍କ ଥିଲା ବୋଲି ଚାର୍ଜସିଟ ଦାଖଲ କରିଥିଲା ଦିଲ୍ଲୀ ପୁଲିସ ।

ଗିରଫ ହେବା ପୂର୍ବରୁ ମଦ୍ରାସାରେ ଧର୍ମଗୁରୁ ସାଜି ପିଲାମାନଙ୍କୁ ଜିହାଦ ପାଇଁ ଶିକ୍ଷା ଦେଉଥିଲା ଅବଦୁର । ପାଠ ପଢ଼ାଇବା ନାଁରେ ଛୋଟ ଛୋଟ ପିଲାମାନଙ୍କ ମୁଣ୍ଡରେ ଆତଙ୍କବାଦୀ କଥାକୁ ଭର୍ତି କରୁଥିିଲା । ହେଲେ ବେଶୀ ଦିନ ତିଷ୍ଠି ପାରିନଥିଲା ଅବଦୁରର ଏହି ଚାଲ, ଧରାପଡି ଯାଇଥିଲା ଦେଶ ବିରୋଧୀ ଷଡଯନ୍ତ୍ର ।