କୁନି ପିଲାଙ୍କୁ କରୋନା । ରାଜ୍ୟରେ ମୋଟ ୮୩,୪୧୭ ପିଲା ସଂକ୍ରମିତ, ସରକାର ଦେଲେ ହିସାବ ।

791

କନକ ବ୍ୟୁରୋ : ରାଜ୍ୟରେ ପ୍ରତିଦିନ କେତେ ଶିଶୁ ସଂକ୍ରମିତ ହେଉଛନ୍ତି ତାର ହିସାବ ଦେଉଛନ୍ତି ସରକାର । ଗତ ୭ଦିନରେ ପାଖାପଖି ୬ଶହ ଶିଶୁ ସଂକ୍ରମିତ ହୋଇଛନ୍ତି । ଏହାରି ଭିତରେ ଜଣାପଡିଛି ପ୍ରଥମ ଓ ଦ୍ୱିତୀୟ ଲହରରେ ରାଜ୍ୟରେ ପ୍ରାୟ ୮୦ହଜାର ଶିଶୁ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ଆଶ୍ୱସ୍ତିକର କଥା ହେଉଛି ସଂକ୍ରମିତ ହେଉଥିବା ଶିଶୁ ମାନେ ଗୁରୁତର ହେଉନାହାନ୍ତି, କିମ୍ବା ସେମାନଙ୍କୁ ହସ୍ପିଟାଲର ଆବଶ୍ୟକତା ଯଥେଷ୍ଟ ମାତ୍ରାରେ ପଡୁନାହିଁ ।

କୁନି ପିଲାଙ୍କୁ କରୋନା । ରାଜ୍ୟରେ ମୋଟ ୮୩,୪୧୭ ପିଲା ସଂକ୍ରମିତ ।

 ତାରିଖ                        ସଂକ୍ରମଣ
ଅଗଷ୍ଟ ୧୯                       ୧୨୮
ଅଗଷ୍ଟ ୧୮                      ୧୩୮
ଅଗଷ୍ଟ ୧୭                       ୯୬
ଅଗଷ୍ଟ ୧୬                      ୧୦୪
ଅଗଷ୍ଟ ୧୫                      ୧୩୮

ପ୍ରତିଦିନ ଶହେ ଜଣରୁ ଅଧିକ ପିଲା କରୋନାରେ ସଂକ୍ରମିତ ହେଉଛନ୍ତି । ଗତ ୫ଦିନ ଭିତରେ ଛୋଟ ପିଲାଙ୍କ ସଂକ୍ରମଣ ୬୦୪ରେ ପହଞ୍ଚିଲାଣି । ଏହି ସଂଖ୍ୟା ଅଧିକ ହୋଇନଥିଲେ ବି ଆଗକୁ ଏହା ବିପଦ ବଢାଇପାରେ ବୋଲି ଆଶଙ୍କା କରାଯାଉଛି । ବିଶେଷ କରି ତୃତୀୟ ଲହରକୁ ଆଖିରେ ରଖି ସରକାର ଏବେଠୁ ଛୋଟ ପିଲାଙ୍କ ସଂକ୍ରମଣର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ହିସାବ ଅନୁସାରେ ପ୍ରଥମ ଓ ଦ୍ୱିତୀୟ ଲହରରେ ୧୮ ବର୍ଷରୁ କମ୍ ୮୩ ହଜାର ୪୧୭ ପିଲା ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯ ଲକ୍ଷ ୯୮ ହଜାର ୧୮୭ ସଂକ୍ରମିତ ହୋଇଛନ୍ତି । ଅର୍ଥାତ ମୋଟ ସଂକ୍ରମଣରୁ ଛୋଟ ପିଲାଙ୍କ ସଂକ୍ରମଣ ହେଉଛି ୮.୩୫ ପ୍ରତିଶତ ।

ଶିଶୁଙ୍କୁ କରୋନାରୁ ରକ୍ଷା ପାଇବା ପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ୩ ହଜାର ବେଡ୍ ବ୍ୟବସ୍ଥା କରାଯାଇଛି । ଅଧିକ ବେଡ୍ ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ସମ୍ଭାବ୍ୟ ତୃତୀୟ ଲହରରେ ଛୋଟ ଛୋଟ ପିଲା ଅଧିକ ଆକ୍ରାନ୍ତ ହୋଇପାରନ୍ତି ବୋଲି ଆଶଙ୍କା ରହିଥିବାରୁ ଆବଶ୍ୟକ ପଡିଲେ ସ୍ୱତନ୍ତ୍ର ଶିଶୁ କୋଭିଡ଼ ହସ୍ପିଟାଲ କରିଯିବ । ସେଥିପାଇଁ କିଛି ଦିନ ହେଲା ଓଡ଼ିଶା ସରକାର ଛୋଟ ପିଲାଙ୍କ କରୋନା ସଂକ୍ରମଣକୁ ନେଇ ତଥ୍ୟ ଦେଉଛନ୍ତି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ଛୋଟ ପିଲାଙ୍କ କରୋନା ସଂକ୍ରମଣ ବଢୁଥିଲେ ମଧ୍ୟ କମ୍ ପିଲା ହସ୍ପିଟାଲକୁ ଯାଉଛନ୍ତି । କାରଣ ସଂକ୍ରମିତ ପିଲାଙ୍କର ସିଭିୟରିଟି କମ ରହୁଛି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇସିୟୁ, ଭେଣ୍ଟିଲେଟର ଜେନେରାଲ ବେଡ୍ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିଛନ୍ତି ସରକାର । ଅନ୍ୟପଟେ ଆସନ୍ତା ସେପ୍ଟେମ୍ବର ମାସରେ ଛୋଟ ପିଲାଙ୍କର କରୋନା ଟିକା ଆସିପାରେ ବୋଲି ଆଶା କରୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।