ଚିକିତ୍ସା ଅପେକ୍ଷାରେ କାକଟପୁରର ଆଶିଷ । ଆଜି ବି କଅଁଳ ଶିଶୁଙ୍କ ଭଳି ଶେଜରେ ପଡି ରହିଛି ୫ ବର୍ଷର ଶିଶୁ ପୁତ୍ର, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

151

କନକ ବ୍ୟୁରୋ : ପୁଅ ଜନ୍ମ ହେବା ପରେ ବାପା-ମାଆ ଓ ପରିବାର ଲୋକେ ଖୁସିରେ ନାଚି ଉଠିଥିଲେ । ଗରିବ ପରିବାରରେ କୂଳକୁ ଉଜ୍ୱଳ କରିବା ପାଇଁ ଜନ୍ମ ହୋଇଛି କୁଳନନ୍ଦନ ଆଶିଷ । ହେଲେ ବାପା ମାଆଙ୍କ ଏହି ଖୁସି ଅଧିକ ସମୟ ପାଇଁ ନଥିଲା । ଜନ୍ମ ପରେ ଶିଶୁଟି ଅସୁସ୍ଥ ଥିବା କହିଥିôଲେ ଡାକ୍ତର । ଚିକିତ୍ସା ପାଇଁ ବଡ ଡାକ୍ତରଖାନାକୁ ନେବାକୁ ପଡିବ । ସେବେ ଠାରୁ ୫ ବର୍ଷ ହେବ ପିଲାଟିର ଚିକିତ୍ସା କରି ସର୍ବସାନ୍ତ ହୋଇ ସାରିଲେଣି ପରିବାର ଲୋକେ । ଆଉ ଏବେ ପାଖରେ ଅର୍ଥ ନଥିବାରୁ ପୁଅର ଚିକିତ୍ସା ଅଟକି ରହିଛି ।

ବିଛଣାରେ ନିସ୍ତେଜ ହୋଇ ପଡିରହିଛି ୫ ବର୍ଷର ଶିଶୁ । ନା ହାତ ଗୋଡ ଚାଲୁଛି, ନା ସେ କିଛି କହି ପାରୁଛି । ଜନ୍ମ ପରେ କଅଁଳା ଶିଶୁ ଯେମିତି ଶେଜରେ ଶୋଇ ରୁହେ ଠିକ୍ ସେମିତି ଶୋଇ ରହିଛି । ଆଉ ପୁଅର ଏମିତି ଅବସ୍ଥା ଦେଖି ସବୁବେଳେ ମାଆ ଓ ଜେଜେ ମାଆ ଆଖିରୁ ଲୁହ ଝରୁଛି । ୨୦୧୬ ଫେବୃଆରୀରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଜନ୍ମ ହୋଇଥିଲା କାକଟପୁର ବ୍ଳକ ଗୋଡିତୋଟା ଗାଁର ଗୋଲେଖ ବିଶ୍ୱାଳ ଓ ସରସ୍ୱତୀ ବିଶ୍ୱାଳଙ୍କ ପୁଅ ଆଶିଷ । ପୁଅ ଜନ୍ମ ହେବା ପରେ ପରିବାର ଲୋକ ଖୁସି ହୋଇଯାଇଥିଲେ, ହେଲେ ଖୁବ୍ କମ ସମୟ ପାଇଁ । କାରଣ ପିଲାଟି ଜନ୍ମରୁ କାନ୍ଦୁନଥିବା ବେଳେ ଶାରିରୀକ ଅସୁସ୍ଥତା ଥିବାରୁ ବଡ ଡାକ୍ତରଖାନାକୁ ନେଇ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ଏହାରି ଭିତରେ ଆଶିଷକୁ ୫ ବର୍ଷ ପୁରି ୬ ବର୍ଷ ଚାଲିଲାଣି, କିନ୍ତୁ ସେ ସୁସ୍ଥ ହେଉନି କି ଅନ୍ୟ ପିଲାଙ୍କ ଭଳି ଖେଳକୁଦ କରୁନି ।

ଡାକ୍ତରଙ୍କ ପରାମର୍ଶ କ୍ରମେ ଆଶିଷର ଚିକିତ୍ସା କରାଇଛନ୍ତି ବାପା ଗୋଲେଖ । ୫ ବର୍ଷରେ ପ୍ରାୟ ୬-୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଛନ୍ତି । ଆର୍ଥିକ ସ୍ଥିତି ଭୁଷୁଡି ଯାଇଛି , ପାଖରେ ଟଙ୍କାଟିଏ ନାହିଁ । ତେଣୁ ପୁଅକୁ ଘରେ ରଖି ଚିନ୍ତାରେ ପଡିଛନ୍ତି ପରିବାର । ସରକାରୀ ସହଯୋଗରେ ପୁଅର ଚିକିତ୍ସା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କୁ ଭେଟିଛନ୍ତି ଆଶିଷଙ୍କ ବାପା-ମାଆ । ହେଲେ କାହାରି ଠାରୁ କୌଣସି ସହାୟତା ମିଳିନାହିଁ । ତେଣୁ ପୁଅର ଚିକିତ୍ସା କରାଇନପାରି ଘରେ ରଖିଛନ୍ତି ଗୋଲେଖ ।

ଆଷିଶର ଚିକିତ୍ସା ପାଇଁ ସରକାର କି କୌଣସିି ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢାଇଲେ ଶିଶୁଟିର ଚିକିତ୍ସା ହୋଇପାରିବ ବୋଲି ବିଶ୍ୱାସ ରଖିଛନ୍ତି ଅଲେଥ ।