ମଶାଣି ପ୍ରେମରେ ପଡିଛନ୍ତି ଶିକ୍ଷକ । ସ୍କୁଲରେ ପାଠ ପଢାଇବା ପରେ ଶ୍ମଶାନକୁ କରୁଛନ୍ତି ରକ୍ଷଣାବେକ୍ଷଣା । ରାଜ୍ୟ ସରକାରଙ୍କଠୁ ପାଇଛନ୍ତି ପ୍ରକୃତି ମିତ୍ର ଓ ବୃକ୍ଷ ମିତ୍ର ସମ୍ମାନ

196

କନକ ବ୍ୟୁରୋ: ସୁସ୍ଥ ସମାଜରେ ଅନେକ ମାନବପ୍ରେମୀ ଲୋକ ଅଛନ୍ତି । ମାନବ ସେବାକୁ ମାଧବସେବା ରୂପେ ବାଛି ନେଇଥିବା ବିରଳ ବ୍ୟକ୍ତିତ୍ୱଙ୍କୁ ମାନବପ୍ରେମୀ ବୋଲି କୁହାଯାଏ । ହେଲେ ରାୟଗଡା ସହରରେ ଏମିତି ବ୍ୟକ୍ତି ଅଛନ୍ତି ଯିଏ, ଶ୍ମଶାନ ପ୍ରେମୀ । ନିଜ ଉଦ୍ୟମରେ ସହରର ଉପକଣ୍ଠରେ ଏକ ସ୍ୱର୍ଗଧାମ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଶିକ୍ଷକ ।

ଶ୍ମଶାନ ପ୍ରେମରେ ଶିକ୍ଷକ, ମଶାଣିକୁ ଭଲପାଇ ବସିଛନ୍ତି ରାୟଗଡାର ଶିକ୍ଷକ ଟି. ଇଶ୍ୱର ରାଓ । ନିଜସ୍ୱ ଉଦ୍ୟମରେ ସହରର ଉପକଣ୍ଠରେ ସେ ସ୍ୱର୍ଗଧାମ ନିର୍ମାଣ କରିଛନ୍ତି । ଜୟପୁର ସୁଗାର କମ୍ପାନିର କିଛି ଅଦରକାରୀ ଜମିରେ ନିଜସ୍ୱ ଖର୍ଚରେ ସଫା କରିବା ସହ ଶବଦାହ ପାଇଁ ବ୍ୟବସ୍ଥା କରିଛନ୍ତି । ଦାହ ମଣ୍ଡପ, ପୂଜା ମଣ୍ଡପ ଓ ସ୍ନାନ ମଣ୍ଡପ ମଧ୍ୟ କରାଯାଇଛି । ଏହାସହ ସେଠାରେ ମହାଦେବଙ୍କ ସୁଉଚ୍ଚ ମୂର୍ତ୍ତି ନିର୍ମାଣ କରିବାରେ ସଫଳ ହୋଇଛନ୍ତି । ଶବ ସତ୍କାର କରିବାକୁ ଆସୁଥିବା ଲୋକେ ଯେପରି ବିନା ଖର୍ଚରେ ଶବ ସତ୍କାର କରିପାରିବେ ସେଥିପାଇଁ ଶିକ୍ଷକ ଇଶ୍ୱର ରାଓ ସମସ୍ତ ବ୍ୟବସ୍ଥା କରିଛନ୍ତି ।

ସ୍କୁଲରେ ପିଲାଙ୍କୁ ପାଠ ପଢାଇବା ପରେ ଅବସର ସମୟରେ ଶ୍ମଶାନକୁ ଚାଲି ଆସନ୍ତି ଶିକ୍ଷକ ଇଶ୍ୱର ରାଓ । ଶ୍ମଶାନ ପରିସରକୁ ସଫାସୁତରା କରିବା ସହ ନୂଆ ନୂଆ ଗଛ ଲଗାଇଥାନ୍ତି । ପରିବେଶ ସୁରକ୍ଷା ପାଇଁ ଦିନରାତି ଲାଗିଛନ୍ତି ଇଶ୍ୱର ରାଓ । ଏଥିପାଇଁ ତାଙ୍କୁ ରାଜ୍ୟ ସରକାରଙ୍କ ଠାରୁ ପ୍ରକୃତି ମିତ୍ର ଓ ବୃକ୍ଷ ମିତ୍ର ପରି ସମ୍ମାନରେ ସମ୍ମାନିତ କରିଛନ୍ତି । ଶ୍ମଶାନର ଉନ୍ନତିକରଣ ପାଇଁ ରାୟଗଡା ପୌରପରିଷଦ ପକ୍ଷରୁ ଆର୍ଥିକ ସହଯୋଗ ମିଳିଥିଲେ ସୁଦ୍ଧା ଏବେ ବି ସ୍ୱର୍ଗଧାମରେ ଅନେକ କାର୍ଯ୍ୟ ବାକି ରହିଛି । ବଳକା କାମ ସଂପୂର୍ଣ୍ଣ କରିବା ପାଇଁ ଶିକ୍ଷକ ଟି. ଇଶ୍ୱର ରାଓ ଚେଷ୍ଟା ଜାରି ରଖିଛନ୍ତି ।