ଏମିତି ବୋଲର… କେବେ ବି ପକାଇ ନାହାନ୍ତି ନୋ ବଲ୍: ଲିଷ୍ଟରେ ଅଛନ୍ତି ଭାରତର ଏହି ବୋଲର 

206

କନକ ବ୍ୟୁରୋ: ବର୍ତ୍ତମାନ ସମୟରେ କ୍ରିକେଟ ବିଶ୍ୱର ଏକ ଲୋକପ୍ରିୟ କ୍ରିଡା । କିଛି ଲୋକ ଏହାକୁ ଖେଳିବାକୁ ପସନ୍ଦ କରୁଥିବା ବେଳେ ଅନ୍ୟ କିଛି ଏହାକୁ ଦେଖିବାକୁ । ତେବେ କ୍ରିକେଟକୁ ଅନିଶ୍ଚତତାର ଖେଳ କୁହାଯାଏ । କାରଣ ଏହି ଖେଳରେ ଗୋଟିଏ ଭୁଲରେ ହିଁ ବାଜି ପଲଟିଯାଇ ପାରେ । ସେହି ଭୁଲ ନୋ ବଲ କିମ୍ବା ୱାଇଡ ବଲ ବି ହୋଇପାରେ । କାରଣ ଗୋଟିଏ ନୋ ବଲ ପକାଇଲେ ବ୍ୟାଟ୍ସମ୍ୟାନଙ୍କୁ କେବଳ ଅତିରକ୍ତ ରନ ନୁହେଁ ବରଂ ନଟ ଆଉଟ ହେବା ସହ ଅତିିରକ୍ତ ବଲ ମଧ୍ୟ ମିଳିଥାଏ । ଏହି ନୋ ବଲ ନପକାଇବା ପାଇଁ ବୋଲର ମାନେ ଅନେକ ସତର୍କ ରହିଥାନ୍ତି । ହେଲେ କେବେ କେବେ ଭୁଲ ହୋଇଯାଏ ଆଉ ନୋ ବଲ ପଡିଯାଏ । ଆଉ ଯାହା ଫଳରେ କ୍ଷତିରେ ରହିଥାନ୍ତି ବୋଲର ।

ତେବେ ଆମେ ଆଜି ବିଶ୍ୱର ଏମିତି କିଛି ବୋଲରଙ୍କ ବିଷୟରେ କହିବୁ ଯେଉଁମାନେ କି କେବେ ବି ତାଙ୍କ କ୍ୟାରିୟରରେ ଗୋଟିଏ ନୋ ବଲ ପକାଇ ନାହାନ୍ତି ।

ଇୟାନ ବୋଥାମ 

ଇୟାନ ବୋଥାମ ବିଶ୍ୱର ଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରୁ ଜଣେ । ସେ ନିଜ କ୍ୟାରିୟରରେ କେବେ ବି ନୋ ବଲ ପକାଇ ନାହାନ୍ତି । ଇୟାନ ବାର୍ଥାମ ଇଂଲଣ୍ଡ ପାଇଁ ୧୦୨ ଟେଷ୍ଟ ମ୍ୟାଚ ଓ ୧୧୬ ଦିନିକିଆ ମ୍ୟାଚ ଖେଳିଛନ୍ତି । ଆଉ ଟେଷ୍ଟରେ ୩୮୩ ଓ ଦିନିକିଆରେ ୧୪୫ ୱିକେଟ ନେଇଛନ୍ତି । ଇୟାନ ବୋଥାମ ନିଜ ଦମରେ ଅନେକ ଥର ଇଂଲଣ୍ଡକୁ ମ୍ୟାଚ ଜିତାଇଛନ୍ତି । ସେ ୨୭ ଥର ଗୋଟିଏ ଇଂନିସରେ ୫ଟି ୱିକେଟ ଓ ୪ ଥର ଗୋଟିଏ ମ୍ୟାଚରେ ୧୦ ୱିକେଟ ନେଇଥିଲେ ।

ଲାନ୍ସ ଗିବ୍ସ  

ୱେଷ୍ଟଇଣ୍ଡିଜ କ୍ରିକେଟର ଲାନ୍ସ ଗିବ୍ସଙ୍କ ନାଁ ବିଶ୍ୱର ଶ୍ରେଷ୍ଠ ସ୍ପିନରଙ୍କ ମଧ୍ୟରେ ଗଣାଯାଏ । ସେ ନିଜ କ୍ୟାରିୟରରେ ୭୯ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ ଖେଳିଛନ୍ତି ହେଲେ କେବେ ନୋ ବଲ ପକାଇନାହାନ୍ତି । ୮୦ ଦଶକର ଆରମ୍ଭରୁ ନେଇ ୯୦ ଦଶକର ଯାଏଁ ୱେଷ୍ଟଇଣ୍ଡିଜ ଦଳ ଅନେକ ସଫଳତା ହାସଲ କରିଥିଲା । ଆଉ ସ୍ପିନର ଭାବେ ଲାନ୍ସ ଗିବ୍ସ ଦଳ ପାଇଁ ଅନେକ ଛାପ ଛାଡିଥିଲେ ।

ଡେନିସ ଲିଲି 

ଡେନିସ ଲିଲି ଅଷ୍ଟ୍ରେଲିଆର ଜଣେ ଜବରଦସ୍ତ କ୍ରିକେଟର ଥିଲେ । ତାଙ୍କ ସମୟରେ ସେ କ୍ରିକେଟ ଜଗତରେ ଦବଦବା ରଖିଥିଲେ । ସେ ପଡିଆ ଭିତରେ ଆଗ୍ରେସିଭ ସ୍ୱାଭାବ ରଖୁଥିଲେ । ଆଉ ସେ ସୁଇଂ ବଲ ପକାଇବାରେ ବେଶ ମାହିର ଥିଲେ । ସେ ନିଜ କ୍ୟାରିୟରରେ ୭୦ ଟେଷ୍ଟ ମ୍ୟାଚ ଖେଳିଛନ୍ତି ହେଲେ କେବେ ବି ନୋ ବଲ ପକାଇ ନାହାନ୍ତି । ସେ ନିଜ କ୍ୟାରିୟରରେ ୩୫୫ ୱିକେଟ ନେଇଛନ୍ତି । ୧୯୮୪ ମସିହାରେ ସେ ନିଜ କ୍ୟାରିୟରର ଶେଷ ମ୍ୟାଚ ଖେଳିଥିଲେ ।

କପିଳ ଦେବ 

୧୯୮୩ ମସିହା ବିଶ୍ୱକପ ବିଜେତା ଭାରତୀୟ ଦଳର ଅଧିନାୟକ କପିଳ ଦେବ ଜଣେ ସଫଳ ଅଲରାଉଣ୍ଡର ଥିଲେ । ୧୯୭୮ରୁ ୧୯୯୪ ମସହା ଯାଏଁ ସେ ଟିମ ଇଣ୍ଡିଆ ପାଇଁ ଖେଳିଥିଲେ । ସେ ୧୩୧ ଟେଷ୍ଟ ମ୍ୟାଚ ଖେଳି ୪୩୪ ଓ ୨୨୫ ଦିନିକିଆ ଖେଳି ୨୫୩ ୱିକେଟ ନେଇଥିଲେ । କପିଳ ଦେବ ନିଜ କ୍ୟାରିୟର ମଧ୍ୟରେ କେବେ ନୋ ବଲ ପକାଇ ନାହାନ୍ତି । ଭାରତକୁ ଶୀର୍ଷରେ ପହଞ୍ଚାଇବା ପଛରେ ସେ ବଡ ଭୂମିକା ଗ୍ରହଣ କରିଥିଲେ ।

ଇମ୍ରାନ ଖାନ 

ପାକିସ୍ତାନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ସମୟରେ ଜଣେ ଦୁର୍ଦ୍ଦଶ ବୋଲର ଥିଲେ । ପାକିସ୍ତାନ ଟିମର ଏହି ପୂର୍ବତନ ଅଧିନାୟକ କେବେ ବି ନୋ ବଲ ପକାଇ ନାହାନ୍ତି । ୧୯୯୨ ମସିହାରେ ପାକିସ୍ତାନ ଟିମକୁ ବିଶ୍ୱକପ ଜିତାଇବାରେ ଇମ୍ରାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ସେ ତାଙ୍କ କ୍ୟାରିୟରରେ ୮୮ଟି ଟେଷ୍ଟ ମ୍ୟାଚ ଖେଳି ୩୬୨ଟି ୱିକେଟ ନେଇଥିଲେ । ସେହିପରି ୧୭୫ଟି ଦିନିକିଆ ମ୍ୟାଚ ଖେଳି ୧୮୨ଟି ୱିକେଟ ନେବାରେ ସଫଳ ହୋଇଥିଲେ ।

ତେବେ ବିଶ୍ୱର ଏହି ସବୁ ଶ୍ରେଷ୍ଠ ବୋଲର ନିଜ ସମୟରେ ଏଭଳି ଅଭଙ୍ଗା ରେକର୍ଡ ସୃଷ୍ଟି କରିଥିଲେ । ଯାହାକୁ ଭାଙ୍ଗିବା ଏବେକା ବୋଲର ମାନଙ୍କ ପାଇଁ କଷ୍ଟ ହୋଇପଡିଛି ।