ମହିଳାଙ୍କୁ ଟାଟୁ କରିବା ପଡିଲା ମହଙ୍ଗା । ଅସହ୍ୟ ଯନ୍ତ୍ରଣା ସାଙ୍ଗକୁ ହସ୍ପିଟାଲରେ ଖର୍ଚ୍ଚ କଲେ ହଜାର ହଜାର ଟଙ୍କା

415

କନକ ବ୍ୟୁରୋ : ଶରୀରରେ ଟାଟୁ କରିବା ଏବେ ଏକ ଫ୍ୟାସନ୍ ହୋଇଯାଇଛି । ଯୁବପୀଢି ନିଜ ଶରୀରରେ ବିଭିନ୍ନ ପ୍ରକାରର ଟାଟୁ କରିବାକୁ ବେସ୍ ପସନ୍ଦ କରୁଛନ୍ତି । କିନ୍ତୁ ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଟାଟୁ କରିବାର ସଉକ୍ ରଖୁଥିବା ଲୋକଙ୍କ ପାଇଁ ଚନ୍ତାର ବିଷୟ ପାଲଟି ପାରେ । ଜଣେ ମହିଳାଙ୍କୁ ଟାଟୁ କରିବା ମହଙ୍ଗା ପଡିଛି । ହସ୍ପିଟାଲରେ ଭର୍ତ୍ତି ହେବା ସହିତ ଚିକିତ୍ସା ପାଇଁ ହଜାର ହଜାର ଟଙ୍କାର ଖର୍ଚ୍ଚାନ୍ତ ହେବାକୁ ପଡିଛି ।
ମିଳିଥିବା ସୂଚନା ଆଧାରରେ, ୨୬ ବର୍ଷି ମହିଳା ଶାୟନ୍ ଜୋହାନସନ୍ ଗତ ବର୍ଷ ନିଜ ଡାହାଣ ଗୋଡରେ ଆଖି, ଘଣ୍ଟା, କମ୍ପାସ୍ ଏବଂ ଗୋଲାପ ଡିଜାଇନର ଏକ ଟାଟୁ ବନାଇଥିଲେ । ଏଥି ପାଇଁ ତାଙ୍କୁ ୧୭ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । କିନ୍ତୁ ଟାଟୁ ବନାଇଥିବା ବ୍ୟକ୍ତିଙ୍କର ଟିକିଏ ଭୁଲ ପାଇଁ ଶାୟନଙ୍କୁ ବଡ ଅସୁବିଧା ଭୋଗିବାକୁ ପଡିଛି ।
ଶାୟନଙ୍କ କହିବା ଅନୁସାରେ, ଟାଟୁ କରିବାର କିଛି ଘଣ୍ଟା ପରେ ଗୋଡରେ ଅଜବ ଧରଣର ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । କିଛି ମାସ ଯିବା ପରେ ଯନ୍ତ୍ରଣା ବଢିବା ସହିତ, ଗୋଡ କୁଣ୍ଡେଇ ହେବାରେ ଲାଗିଲା । ଚଲାବୁଲା କରିବାରେ ସମସ୍ୟା ଦେଖାଦେଲା । କେବଳ ଏତିକି ନୁହେଁ ଟାଟୁରୁ ସଢା ମାଂସ ଭଳି ଦୁର୍ଗନ୍ଧ ବାହାରିବାରେ ଲାଗିଲା । ଯନ୍ତ୍ରଣା ଅସହ୍ୟ ହେବାରୁ ଶାୟନ୍ ଡାକ୍ତରଙ୍କୁ ପରାମର୍ଶ କରିଥିଲେ ।
ଡାକ୍ତରଙ୍କୁ ପରାମର୍ଶ କରିବା ପରେ ଚିକିତ୍ସା ଆରମ୍ଭ ହୋଇଥିଲା । ଟେଷ୍ଟ କରିବା ପରେ ଜଣାପଡିଥିଲା ଶାୟନଙ୍କ ଗୋଡରେ ସଂକ୍ରମଣ ହୋଇଯାଇଛି । ତେଣୁ ସଂକ୍ରମଣକୁ ରୋକିବା ପାଇଁ ତାଙ୍କୁ ଆଣ୍ଟିବାୟୋଟିକ୍ସ ଦିଆଯାଇଥିଲା । ଡାକ୍ତରଙ୍କ କହିବା ଅନୁସାରେ, ଟାଟୁ କରିବା ବେଳେ ବ୍ୟବହାର ହୋଇଥିବା କାଳି, ଚର୍ମର ଗଭିରତାକୁ ପଳାଇଥିଲା । ଯେଉଁଥିପାଇଁ ଗୋଡରେ ସଂକ୍ରମଣ ହୋଇଯାଇଥିଲା । ଏଥିପାଇଁ ଦରକାର ପଡିଲେ ଶାୟନଙ୍କର ସ୍କିନ୍ ଗ୍ରାପ୍ଟ କରାଯାଇପାରେ ବୋଲି ଡାକ୍ତର ଚେତାବନି ମଧ୍ୟ ଦେଇଥିଲେ । କିନ୍ତୁ ଉତ୍ତମ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ଶାୟନ୍ । ପ୍ରୟ ଦୁଇମାସର ଚିକିତ୍ସା ପରେ ସେ ସମ୍ପୁର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।
ସୁସ୍ଥ ହେବା ପରେ ଦୁଇମାସ ତାଙ୍କ ପାଇଁ କେତେ କଷ୍ଟଦାୟକ ଥିଲା ତାହା ବଖାଣିଛନ୍ତି । ସେ କହନ୍ତି, ସ୍ଥିତି ଏଭଳି ଥିଲା ପ୍ରତିଦିନ ଡ୍ରେସ୍ ବଦଳିବା ପାଇଁ ଡାକ୍ତଙ୍କ ପାଖକୁ ଯିବାକୁ ପଡୁଥିଲା । ପ୍ରଥମେ ଯେତେବେଳେ ଟାଟୁ କଲି ସେତେବେଳେ ମୁଁ ବହୁତ ଖୁସି ଥିଲି । ଏହା ମୋ ଜୀବନର ସବୁଠୁ ସୁନ୍ଦର ଟାଟୁ ଥିଲା କିନ୍ତୁ ଟାଟୁ କରିବାର କିଛି ଘଣ୍ଟା ପରେ ଶରୀରରେ ଅସହ୍ୟ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ସେହି ଦିନଗୁଡିକ ମୋ ପାଇଁ ସବୁଠୁ ଖରାପ ଦିନ ଥିଲା । ଏବେ ଭଗବାନଙ୍କ ଦୟାରୁ ମୋ ଗୋଡ ସମ୍ପୁର୍ଣ୍ଣ ଠିକ୍ ହୋଇଯାଇଛି ।
ତେବେ ବ୍ରିଟେନରୁ ଆସିଥିବା ଏହି ଖବର ଯୁବପୀଢିଙ୍କୁ ଏହା ଶିକ୍ଷା ଦେଉଛି କି, ଟାଟୁ କଲାବେଳେ ସାବଧାନ ରହିବା ନିହାତି ଆବଶ୍ୟକ । ଯଦି ଟାଟୁ କରିଥିବା ସ୍ଥାନରେ କିଛିଦିନ ମଧ୍ୟରେ ଯନ୍ତ୍ରଣ ଦେଖାଦିଏ ତାହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିନେବା ଉଚିତ୍