ପୁଣି କଳଙ୍କିତ ହେଲା ଶିକ୍ଷା ବ୍ୟବସ୍ଥା ! କଲେଜ କର୍ତ୍ତୃପକ୍ଷଙ୍କ ମାନସିକ ନିର୍ଯ୍ୟାତନା ଯୋଗୁଁ ଆତ୍ମହତ୍ୟା କଲେ ଛାତ୍ର ।

537

କନକ ବ୍ୟୁରୋ : କଲେଜ କର୍ତୁପକ୍ଷଙ୍କ ମାନସିକ ନିର୍ଯ୍ୟାତନା ଯୋଗୁଁ ଆତ୍ମହତ୍ୟା କଲେ ଯୁକ୍ତଦୁଇ ପଢୁଥିବା ଛାତ୍ର । ଏପରି ଅଭିଯୋଗ ହୋଇଛି ଚନ୍ଦକା ଥାନାରେ । କଲେଜ କର୍ତୃପକ୍ଷଙ୍କ ନିର୍ଯାତନା ଯୋଗୁଁ ଜଣେ ଛାତ୍ର ଆତ୍ମହତ୍ୟା କରିବା ଖବର ପରେ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । କଲେଜ କର୍ତୃପକ୍ଷଙ୍କ ନାମରେ ମୃତ ଛାତ୍ରଙ୍କ ପିତା ଏତଲା ଦେବା ପରେ କମିସନରେଟ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଲାଇଛି ।

ତ୍ରିବେଣୀ ଏକାଡେମୀ +୨ କଲେଜର ଛାତ୍ର ରୁଧି ନନ୍ଦନ ପ୍ରଧାନ । ଯୁକ୍ତ ଦୁଇରେ ପଢୁଥିବା ରୁଧିନନ୍ଦନ ହସ୍ପିଟାଲରେ ୧୦ ଦିନ ମୃତ୍ୟୁ ସହ ସଂଘର୍ଷ କରିବା ପରେ ଶେଷରେ ଆଖି ବୁଜିଛି । ଆଉ ପୁଅର ମୃତ୍ୟୁ ପାଇଁ କଲେଜ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ମୃତ ଛାତ୍ରଙ୍କ ବାପା । କଲେଜ କର୍ତୃପକ୍ଷଙ୍କ ନିର୍ଯାତନା ଯୋଗୁଁ ପୁଅ ବିଷ ପିଇ ଆତ୍ମହତ୍ୟା କରିଥିବା ସେ ଅଭିଯୋଗ ଆଣିଛନ୍ତି । ଏନେଇ ଚନ୍ଦକା ଥାନାରେ ଲିଖିତ ଏତଲା ଦେଇଛନ୍ତି ରୁଧିନନ୍ଦନ ପ୍ରଧାନଙ୍କ ବାପା । ଏପରିକି ଚନ୍ଦକା ଥାନା ଅଧିକାରୀ ମଧ୍ୟ ତାଙ୍କୁ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି ।

ପରିବାର ଲୋକଙ୍କ ଅଭିଯୋଗ ରୁଧିନନ୍ଦନଙ୍କୁ ଏକ ଛୋଟ ଘଟଣା ପାଇଁ କଲେଜରୁ କିଛି ଦିନ ବାହାର କରିଦେଇଥିଲେ । ରୁଧିନନ୍ଦନ କଲେଜ କର୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ କଲେଜକୁ ଯାଇଥିଲେ ରୁଧିନନ୍ଦନ । ସେହି ସମୟରେ ସମସ୍ତଙ୍କ ସାମ୍ନାରେ କଲେଜ କର୍ତୃପକ୍ଷ ତାଙ୍କୁ ଦୁର୍ବ୍ୟବହାର ଦେଇଥିବା ଅଭିଯୋଗ ହୋଇଛି । ଘରକୁ ଫେରି ମାନସିକ ଚାପଗ୍ରସ୍ତ ହୋଇ ରୁଧିନନ୍ଦନ ଗତ ୧୮ ତାରିଖରେ ବିଷ ପିଇ ଦେଇଥିଲେ । ଏକ ଘରୋଇ ମେଡିକାଲରେ ୧୦ ଦିନ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ହାରିଯାଇଛନ୍ତି ରୁଧିନନ୍ଦନ ।

ଅନ୍ୟପଟେ ଭୁବନେଶ୍ୱର ଡିସିପି କହିଛନ୍ତି ଏହି ଘଟଣାକୁ ଗୁରୁତର ଭାବରେ ନେଇଛି କମିଶନରେଟ ପୁଲିସ । ତୁରନ୍ତ ମାମଲା ରୁଜୁ ସହ ଘଟଣାର ତଦନ୍ତ କରିବାକୁ ଚନ୍ଦକା ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । କଲେଜ କର୍ତୃପକ୍ଷଙ୍କ ନିର୍ଯ୍ୟାତନା ଯୋଗୁଁ ଜଣେ କଲେଜ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ପରେ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।