ଶ୍ରୀକ୍ଷେତ୍ରର ସବୁଠୁ ବଡ଼ ଏମାର ମଠ ଭାଙ୍ଗିବା ପୂର୍ବରୁ ରହିବ ସ୍ମୃତି । ବଦଳିବ ରଘୁନନ୍ଦନ ପାଠଗାରର ରୂପରେଖ, ସ୍ଥାନାନ୍ତର ହେଲା ପାଠାଗାରର ବହି ଓ ଆଲମିରା ।

443

କନକ ବ୍ୟୁରୋ : ୯ଶହ ବର୍ଷ ପୁରୁଣା ଏମାର ମଠର ପାଠାଗାରକୁ ସଂରକ୍ଷଣ କରାଯିବ । ପାଠାଗାରରେ ଥିବା ବହୁ ପୁରାତନ ବହିକୁ ସଂରକ୍ଷଣ କରି ବିଶ୍ୱସ୍ତରୀୟ ପାଠାଗାରରେ ପରିଣତ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି । ଆଜି ଏମାର ମଠ ଭଂଗାଯିବା ନେଇ ଚର୍ଚା ହେଉଥିଲେ ମଧ୍ୟ ପାଠାଗାର ସ୍ଥାନାନ୍ତରଣ ପ୍ରକ୍ରିୟା ଚାଲିଥିଲା । ସେପଟେ ପ୍ରଶାସନ ପଠାଇଥିବା ନୋଟିସକୁ ଏମାର ମଠର ମହନ୍ତ ଗ୍ରହଣ ନକରିବାରୁ ମଠ ବାହାରେ ଲଟକା ଲଗାଯାଇଥିଲା ।

ପୁରୀର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରୀକୁ ଲାଗି ରହିଥିବା ମଠ ଭଙ୍ଗା ଆରମ୍ଭ ହେବା ପରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ରଘୁନନ୍ଦନ ଲାଇବ୍ରେରୀ । ପୁରୀ ଶ୍ରୀମନ୍ଦିର ପରମ୍ପରା ସହ ଜଡିତ ପ୍ରାୟ ୯୦୦ ବର୍ଷ ପୁରୁଣା ଏମାର ମଠକୁ ଭାଙ୍ଗିଦେବା ପାଇଁ ନିଷ୍ପତି ହେବା ପରେ ଐତିହସଂପନ୍ନ ପାଠାଗାରଟିକୁ ନେଇ ସମସ୍ତେ ଚିନ୍ତିତ ହୋଇପଡିଛନ୍ତି । ତେବେ ଆଶ୍ୱସ୍ତିର କଥା ହେଉଛି ଏମାର ମଠ ଭାଙ୍ଗିବା ପୂର୍ବରୁ ଏଠାରେ ଥିବା ଲାଇବ୍ରେରୀକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ମଙ୍ଗଳବାରଠାରୁ ରଘୁନନ୍ଦନ ଲାଇବ୍ରେରୀରେ ଥିବା ସମସ୍ତ ପୁସ୍ତକ ଓ ପାଣ୍ଡୁଲିପିକୁ ଜିଲ୍ଲା ପ୍ରଶାସନର ଅଭିଲେଖାଗାରକୁ ସ୍ଥାନାନ୍ତର କରାଯାଇଛି ।

ପୁରୀ ଏମାର ମଠ ବହୁ ପୁରୁଣା । ହେଲେ ୧୮୨୧ ମସିହା ବେଳକୁ ଏମାର ମଠ ପରିସରରେ ଏହି ପାଠାଗାରକୁ ପ୍ରତିଷ୍ଠା କରିଥିଲେ ଗଦାଧର ରାମାନୁଜ ଦାସ । ଜଗନ୍ନାଥ ସଂସ୍କୃତିକ ପ୍ରଚାର ପ୍ରସାର ପାଇଁ ଗୁରୁ ରଘୁନନ୍ଦନ ରାମାନୁଜ ଦାସଙ୍କ ନାଁରେ ଏହି ଲବ୍ଧପ୍ରତିଷ୍ଠ ପାଠାଗାରଟିକୁ ସ୍ଥାପନା କରାଯାଇଥିଲା । ଏମାର ମଠ ପକ୍ଷରୁ କୌଣସି ଚିଠା ଦିଆଯାନଥିଲେ ବି ଏଠାରେ ପ୍ରାୟ ୫ ହଜାରରୁ ଅଧିକ ପୁସ୍ତକ ଓ ପାଣ୍ଡୁଲିପି ଥିବା ଜଣାପଡିଛି । ଅଧିକାଂଶ ପୁସ୍ତକ ନଷ୍ଟ ହୋଇଯାଇଥିବା ଜଣାପଡିବା ପରେ ଏହାର ସଂରକ୍ଷଣ ପାଇଁ ପ୍ରଶାସନ ନିଷ୍ପତି କରିଛି ।

ଦୀର୍ଘ ବର୍ଷରୁ ଅସୁରକ୍ଷିତ ହୋଇପଡିଥିବା ଏମାର ମଠକୁ ଭାଙ୍ଗି ମାଟିରେ ମିଶାଇ ଦେବା ଜରୁରୀ ହୋଇପଡିଛି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛି ପୁରୀ ଜିଲ୍ଲା ପ୍ରଶାସନ । ମଠର ମହନ୍ତ ଓ ସାଧୁ ସନ୍ଥଙ୍କୁ ମଠ ଖାଲି କରିବାକୁ କୁହାଯାଇଛି । ବହିପତ୍ର ସ୍ଥାନାନ୍ତର ହେବା ପରେ ମଠରେ ଥିବା ଆସବାବ ପତ୍ର ମଧ୍ୟ ସ୍ଥାନାନ୍ତର ହେଉଛି ।

ଏପଟେ ମଠରେ ପହଂଚି ଜିଲ୍ଲା ପ୍ରଶାସନର କର୍ମଚାରୀ ଔପଚାରିକ ଭାବେ ନୋଟିସ ମାରିଛନ୍ତି । ମଠର ମହନ୍ତ ନଥିବାରୁ ଲଟକା ଲଗାଇଛି ପ୍ରଶାସନ । ଅର୍ଥାତ ଗୁରୁବାର ଏହି ସର୍ବପୁରାତନ ମଠରେ ସରକାରୀ ବୁଲଡୋଜର ଚାଲିପାରେ । ମେଘନାଦ ପାଚେରୀଠାରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟାରେ ଭାଙ୍ଗିବାକୁ ଯାଉଛି ଏମାର ମଠ । ଯେଉଁ ମଠରେ ଦିନେ ରୁପା ଇଟା ମିଳିବାରୁ ଚର୍ଚ୍ଚାର ପରିଧିକୁ ଆସିଥିଲା ।