ମୌସୁମୀ ପୂର୍ବରୁ ଡରେଇଲାଣି ଡେଙ୍ଗୁ: ରାଜଧାନୀରେ ବ୍ୟାପିଲାଣି ଡେଙ୍ଗୁ ରୋଗ

43

କନକ ବ୍ୟୁରୋ: ରାଜଧାନୀରେ ଡେଙ୍ଗୁ ଆତଙ୍କ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ବିଡିଏ କଲୋନୀରେ ଡେଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି । ଏଠାରେ ରହୁଥିବା ନାରାୟଣ ସାହୁ ଓ ତାଙ୍କ ପତ୍ନୀ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଘର ପାଖରେ ଥିବା ଅଳିଆ ଓ ପାଣି ଜମିବାରେ ମଶାଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି । ଏହି ମଶାଙ୍କ ନମୁନା ବି ସଂଗ୍ରହ କରାଯାଇଛି । ଗୁରୁବାର ନାରାୟଣଙ୍କ ଦେହରେ ଡେଙ୍ଗୁର ଲକ୍ଷଣ ଦେଖିବାକୁ ମିଳିଲା । ଏନେଇ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗୁରୁବାରଠାରୁ ତାଙ୍କ ପତ୍ନୀଙ୍କ ପାଖରେ ମଧ୍ୟ ସମାନ ଲକ୍ଷଣ ଦେଇଦେଇଛି । ଏମାନଙ୍କ ବ୍ୟତୀତ ସେହି ଅଂଚଳର ଆହୁରି ଅନେକ ଲୋକ ମଧ୍ୟ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି ।

ତେବେ ବର୍ଷା ଆସିବା ପୂର୍ବରୁ ଅସମୟରେ ଡେଙ୍ଗୁ ହେବା ନେଇ ଚିନ୍ତିତ ହୋଇପଡ଼ିଛି ପ୍ରଶାସନ। ଦିନ ବେଳେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିବା ପରେ ସନ୍ଧ୍ୟାବେଳେ ଫାଇଲେରିଆ ଅଧିକାରୀଙ୍କ ନେତୃତ୍ୱରେ ଏକ ଦଳ ଟିଫା ମେସିନ୍ ସହାୟତାରେ ଏହି କଲୋନିରେ ଧୂଆଁ ସ୍ପ୍ରେ କରାଯାଇଥିଲା। ତେବେ ଏହି ପ୍ରକ୍ରିୟା କିଛି ଦିନ ଜାରି ରହିବ ନା କେବଳ ଲୋକଦେଖାଣିଆ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହିତ ଜଣାଶୁଣା ଥିବାରୁ ଏମିତି ତ୍ୱରିତ ପଦକ୍ଷେପ ନିଆଗଲା। ଅନ୍ୟଥା କହି କହି ଥକିଗଲେ ସୁଦ୍ଧା କଲୋନିକୁ ପରିଷ୍କାର ରଖିବାକୁ କେହି ମଧ୍ୟ ଗୁରୁତ୍ୱ ଦେଉ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।