ସମ୍ପର୍କର ସେତୁ ଗୁରୁପ୍ରିୟା । କିଛି ସମୟ ପରେ ଉଦଘାଟିତ ହେବ ବହୁ ପ୍ରତିକ୍ଷୀତ ଗୁରୁପ୍ରିୟା ସେତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ଏହି ଲୋକାର୍ପଣ ଉତ୍ସବ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ଗୁରୁପ୍ରିୟା ସେତୁର ଉଦଘାଟନ ନେଇ ମାଲକାନଗିରିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାରେ ହାଇଆଲର୍ଟ ଜାରି କରାଯିବା ସହ ସୀମାକୁ ସିଲ୍ କରି ଦିଆଯାଇଛି । ଗୁରୁପ୍ରିୟା ସେତୁକୁ ବିଏସଏଫ୍ ଯବାନ ଘେରି ରହିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଗସ୍ତ ଅବସରରେ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ୩ ଶହ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ନୂତନ କୋଠାକୁ ଉଦଘାଟନ କରିବେ । ଏହାସହ ସ୍ଥାନୀୟ ଷ୍ଟାଡିୟମରେ ଏକ ସଭାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
୧୯୭୨ରେ ଚିତ୍ରକୋଣ୍ଡା ଜଳ ଭଣ୍ଡାର ଉପରେ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ନିର୍ମାଣ ହୋଇଥିଲା । ଅନ୍ୟକୁ ବିକାଶର ଆଲୋକ ଦେଖାଇବାକୁ ଯାଇ ଅନ୍ଧାରୀ ମୁଲକରେ ଠେଲି ହୋଇ ପଡିଥିଲେ ୧୫୧ଟି ଗାଁର ଲୋକେ । ଜଳବନ୍ଦୀ ହୋଇପଡିଥିଲେ ୩୫ ହଜାର ଲୋକେ । ନିତିଦିନ ଦେଶୀ କିମ୍ବା ମୋଟର ଡଙ୍ଗାରେ ଅତି ବିପଦସଙ୍କୁଳ ଅବସ୍ଥାରେ ନଇପାରି ହୋଇ ଆସୁଥିଲେ ଚିତ୍ରକୋଣ୍ଡା । ଦୈନନ୍ଦିନ ସାମଗ୍ରୀ ଠାରୁ ସ୍ୱାସ୍ଥ୍ୟ ସେବା ଲାଗି ମୃତ୍ୟୁ ସହ ସଂଗ୍ରାମ କରିବାକୁ ପଡୁଥିଲା ଏମାନଙ୍କୁ । ଯୋଡାମ୍ବା, ଯନ୍ତ୍ରୀ, ଗୁରାସେତୁ, ପଣସପୁଟ, ଅଣ୍ଡ୍ରାପାଲି, ଗାଜଲମାମୁଡି ପଂଚାୟତର ଲୋକେ ଏହି ମୋଟର ଲଂଚ ଯୋଗେ ଦିନ ତମାମ ଯାତ୍ରା କରି ନିଜ ଗାଁ କୁ ପହଁଚୁଥିଲେ । ସେପଟେ ବଡପଡା, ପାପେରମେଟଲାର ଲୋକେ ନିର୍ଭର କରୁଥିଲେ ଦେଶୀ ଡଙ୍ଗା ଉପରେ । ତା ପରେ ପୁଣି ମାଇଲ ମାଇଲ ପାଦ ଚଲାରାସ୍ତା । ପିଲାଛୁଆ ଗର୍ଭବତୀଙ୍କ ଯନ୍ତ୍ରଣା ଯିଏ ଦେଖିଛି ସେ ଜାଣିଛି ବିଚ୍ଛିନ୍ନାଂଚଳ ବାସୀଙ୍କ ଦୁଖ ।
ଗୁରୁପ୍ରୀୟା ସେତୁକୁ ନେଇ ଅନେକ ଥର ସରକାର ଚେଷ୍ଟା କରି ଆସି ଥିଲେ ହେଁ ମାଓବାଦୀଙ୍କ ଉପଦ୍ରବ ଆଗରେ ମୁଣ୍ଡ ନୁଆଇ ଥିଲା ପୁରା ବ୍ୟବସ୍ଥା । ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଇ ସମଗ୍ର ବିଚ୍ଛିନ୍ନାଂଚଳ ରେ ଭୟର ବାତାବରଣ ସୃଷ୍ଟି କରି ରଖି ଥିଲେ ମାଓବାଦୀ । କାରଣ ନିଜ ଗଡ ରେ ସରକାରୀ ବ୍ୟବସ୍ଥା ର ଅନୁପ୍ରବେଶ ଚାହୁଁ ନାହାନ୍ତି ମାଓବାଦୀ । ଏପରି କି ଜିଲ୍ଲାପାଳଙ୍କ ଅପହରଣ ପରେ ଆଉ ବୁଡି ଅଂଚଳରେ ପାଦ ପକାଇଲେ ନାହିଁ କୌଣସି ସରକାରୀ ବାବୁ । ତେଣୁ ଭିନିଲ କ୍ରୀଷ୍ଣାଙ୍କ ଅପହରଣ ଘଟଣା ପରେ ପୋଲ ନିର୍ମାଣ କାମ ରାଜ୍ୟ ସରକାରଙ୍କ ପାଇଁ ଏକ ନୁଆ ଚ୍ୟାଲେଂଜ ହୋଇ ଛିଡା ହୋଇ ଥିଲା । ଏଥିପାଇଁ ସ୍ୱତନ୍ତ୍ର ବ୍ଲୁ-ପ୍ରିଂ ପ୍ରସ୍ତୁତ ହୋଇଥିବାବେଳେ ରଣନୀତି ମୁତାବକ ସେତୁ ନିର୍ମାଣ କାମ ଆରମ୍ଭ ପୁର୍ବରୁ ହିଁ ଗୁରୁପ୍ରୀୟା ଓ ଯାନବାଇ ଅଂଚଳକୁ ନିଜ କବଜାକୁ ନେଇଥିଲେ ବିଏସଏଫ ଯବାନ ।
ତେବେ ଗୁରୁପ୍ରିୟା ସେତୁର ଗୁରୁତ୍ୱ ଓ ଇତିହାସ ସମ୍ମନ୍ଦରେ ଜାଣନ୍ତୁ କିଛି ତଥ୍ୟ . . .
-ଗୁରୁପ୍ରିୟା ସେତୁ ଦ୍ୱାରା ମାଲକାନଗିରି ଜିଲ୍ଲାର ବିଛିନ୍ନାଂଚଳକୁ ବାହାର ଦୁନିଆ ସହ ସଂଯୋଗର ବାଟ ଫିଟିବ ।
-ବିଛିନ୍ନାଂଚଳର ପ୍ରାୟ ୧୫୧ ଗାଁର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଜଳବନ୍ଦୀରୁ ମୁକ୍ତି ପାଇବେ ।
-୧୯୭୨ରେ ଚିତ୍ରକୋଣ୍ଡା ଜଳ ଭଣ୍ଡାର ଉପରେ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ନିର୍ମାଣ ହୋଇଥିଲା ।
-ଏହା ଯୋଗୁଁ ଜଳବନ୍ଦୀ ହୋଇ ପଡିଥିଲେ ୧୫୧ଟି ଗାଁର ପ୍ରାୟ ୩୫ ହଜାର ଲୋକେ ।
-୧୯୮୦ରେ ବିଚ୍ଛିନ୍ନାଂଚଳକୁ ସଡକ ପଥରେ ଯୋଡିବାକୁ କରାଯାଇଥିଲା ଉଦ୍ୟମ ।
-ଗୁରୁପ୍ରିୟା ନଈ ଉପରେ ସେତୁ ନିର୍ମାଣର ପରିକଳ୍ପନା ।
-୧୯୮୨ରେ ଗୁରୁପ୍ରିୟା ନଈ ଉପରେ ୮ କୋଟି ଟଙ୍କା ବ୍ୟୟ ଅଟକଳରେ ଝୁଲା ପୋଲ ନିର୍ମାଣ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ।
-ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଳଭ ପଟ୍ଟନାୟକ ଏଥିପାଇଁ ଜାନବାଇ ଠାରେ ଶିଳାନ୍ୟାସ କରିଥିଲେ ।
-ତେବେ ବିଭିନ୍ନ କାରଣରୁ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରିନଥିଲା ।
-୨୦୦୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ସେତୁ ନିର୍ମାଣକୁ ଦେଇଥିଲେ ଗୁରୁତ୍ୱ ।
-୨୦୦୬ରେ ୪୭ କୋଟି ଟଙ୍କା ବ୍ୟୟ ଅଟଳଳରେ ମୁମ୍ବାଇର ଏକ ସଂସ୍ଥାକୁ କାମ ଦିଆ ଯାଇଥିଲା ।
-ତେବେ ସେତୁ ନିର୍ମାଣ ସରଞ୍ଜାମକୁ ପୋଡିବା ସହ ସେତୁ ବିରୋଧରେ ଅଘୋଷିତ ଯୁଦ୍ଧ ଆରମ୍ଭ କରିଥିଲେ ମାଓବାଦୀ ।
-୨୦୧୪ରେ କୋଲକାତାର ରୟାଲ ଇନଫ୍ରା କନଷ୍ଟ୍ରକସନ୍ ଲିମିଟେଡକୁ କାମ ଦିଆଗଲା ।
-ବିଏସଏଫର ସହାୟତା ନେବା ସହ ପ୍ରକଳ୍ପର ବ୍ୟୟ ଅଟଳଳ ୧୭୨ କୋଟି ୫୮ ଲକ୍ଷ ଟଙ୍କାକୁ ବୃଦ୍ଧି କରାଗଲା ।
-ଶେଷରେ ୩ ବର୍ଷ ୩ ମାସରେ ଗୁରୁପ୍ରିୟା ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେଲା ।