୧୯୮୪ ଶିଖ ବିରୋଧୀ ଦଙ୍ଗା :  ୩୪ ବର୍ଷ ପରେ ୨ ଦୋଷୀଙ୍କୁ ମିଳିଲା ଦଣ୍ଡାଦେଶ

ଦୋଷୀ ୟଶପାଲ ସିଂହଙ୍କୁ ଫାଶୀ ଦଣ୍ଡ ଏବଂ ଆଉ ଜଣେ ଦୋଷୀ ନରେଶ ସହରାୱତଙ୍କୁ ଆଜୀବନ କାରାଦଣ୍ଡ

199

୧୯୮୪ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ତେଜିଥିଲା ଶିଖ ବିରୋଧୀ ଦଙ୍ଗା । ଏହି ମାମଲାରେ ୩୪ ବର୍ଷ ପରେ ଫଇସଲା ଆସିଯାଇଛି । ପଟିଆଲା ହାଉସ କୋର୍ଟ ମଙ୍ଗଳବାର ଦୋଷୀ ୟଶପାଲ ସିଂହଙ୍କୁ ଫାଶୀ ଦଣ୍ଡ ଏବଂ ଆଉ ଜଣେ ଦୋଷୀ ନରେଶ ସହରାୱତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । କୋର୍ଟ ୧୪ ନଭେମ୍ବର ଦିନ ଉଭୟଙ୍କୁ ହତ୍ୟା, ହତ୍ୟା କରିବାକୁ ଚେଷ୍ଟା, ଲୁଟ୍, ଅଗ୍ନିକାଣ୍ଡ ଘଟାଇବା ଓ ଅନ୍ୟ ଧାରାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

ପ୍ରାୟ ୩୪ ବର୍ଷ ପୂର୍ବେ ଶିଖ ବିରୋଧୀ ଦଙ୍ଗା ଚାଲିଥିବାବେଳେ ଦକ୍ଷିଣ ଦିଲ୍ଲୀର ମହିପାଲପୁର ଗାଁରେ ଉଗ୍ରଭୀଡ ଦୁଇଜଣ ଶିଖ ଯୁବକ ୨୪ ବର୍ଷୀୟ ହରଦେବ ସିଂ ଓ ୨୬ ବର୍ଷୀୟ ଅବତାର ସିଂଙ୍କୁ ପିଟିପିଟି ମାରିଦେଇଥିଲେ । ଏହି ହତ୍ୟାକାଣ୍ଡରେ ୟଶପାଲ ଓ ନରେଶଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଥିବା ପ୍ରତ୍ୟକ୍ଷଦର୍ଶୀମାନେ ସାକ୍ଷୀ ଦେବା ପରେ ଗତ ୧୫ ତାରିଖରେ କୋର୍ଟ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତେବେ ଏହାର ଦଣ୍ଡାଦେଶ ଘୋଷଣା ବାକି ଥିଲା । ୨୦୧୫ରେ କେନ୍ଦ୍ର ସରକାର ୧୯୮୪ ଶିଖ ଦଙ୍ଗାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ (ଏସଆଇଟି ) ଗଠନ କରିଥିଲେ ।