ଦ୍ରୌପଦୀ ମୁର୍ମୁଙ୍କ ଉପରେ ବହି ଲେଖିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଭାବିକା : ହିନ୍ଦୀରେ ପ୍ରକାଶ ପାଇଛି ପୁସ୍ତକ, ଆଗାମୀ ଦିନରେ ଓଡ଼ିଆ ଓ ଇଂରାଜୀରେ ହେବ ଅନୁବାଦ

158

କନକ ବ୍ୟୁରୋ : ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ କୌଣସି ପ୍ରେରଣା ଠାରୁ କମ୍ ନୁହେଁ । ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌଦପୀଙ୍କୁ ନାଁ କେବଳ ଏନଡିଏ ଠାରୁ ବରଂ ବିରୋଧୀ ଦଳଗୁଡ଼ିକ ମଧ୍ୟ ତାଙ୍କୁ ସମର୍ଥନ କରିବାକୁ ଘୋଷଣା କରିଥିଲେ । ଏବେ ଦ୍ରୌପଦୀଙ୍କ ଜୀବନୀ ଉପରେ ପ୍ରେରଣା ପାଇ ଗୁଜରାଟ ସୁରତର କୁନି ଝିଅ ଭାବିକା ମାହେଶ୍ୱରୀ ଏକ ପୁସ୍ତକ ଲେଖିଛନ୍ତି । ପୁସ୍ତକରେ ଭାବିକା ଅତି ସରଳ ଭାଷାରେ ଦ୍ରୌପଦୀଙ୍କ ଜୀବନ ସମ୍ବନ୍ଧରେ ଲେଖିଛନ୍ତି । ଦ୍ରୌପଦୀଙ୍କ ସଂଘର୍ଷରୁ ଶିଖର ପର୍ଯ୍ୟନ୍ତ ଏହି ପୁସ୍ତକରେ ଉଲ୍ଲେଖ ରହିଛି ।

ଭାବିକା ପୁସ୍ତକ ଲେଖିବା ପରେ ଏହାକୁ ଟ୍ୱିଟରରେ ଅପଲୋଡ୍ କରିଛନ୍ତି । ଟ୍ୱିଟରରେ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି । ଦ୍ରୌପଦୀଙ୍କ ଉପରେ ପୁସ୍ତକ ଲେଖିବାର ରୋଚକ କାହାଣୀ ମଧ୍ୟ ରହିଛି । ଭାବିକା କହିଛନ୍ତି ଯେ ନିକଟରେ ସେ ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ଯାଇଥିଲେ, ଯେଉଁଠାରେ ତାଙ୍କ ପିତା ତାଙ୍କୁ ଦ୍ରୌପଦୀଙ୍କ ବିଷୟରେ କହିଥିଲେ ।

ହେଲେ ଭାବିକା ଦ୍ରୌପଦୀଙ୍କ ଜୀବନୀ ଉପରେ କୌଣସି ତଥ୍ୟ ଇଣ୍ଟରନେଟ୍ କିମ୍ବା ସୋସିଆଲ ମିଡିଆରୁ ପାଇନଥିଲେ । ଏହାପରେ ଭାବିକା ଦ୍ରୌପଦୀଙ୍କ ଉପରେ ପୁସ୍ତକ ଲେଖିବାକୁ ମନସ୍ଥ କରିଥିଲେ । ରାଷ୍ଟ୍ରପତି ନିର୍ବାଚନ ପରେ ସେ ଏହି ପୁସ୍ତକର ଉନ୍ମୋଚନ କରିବେ ବୋଲି କହିଛନ୍ତି । ବର୍ତମାନ ସେ ଏହି ପୁସ୍ତକକୁ ହିନ୍ଦୀରେ ପ୍ରକାଶିତ କରିଛନ୍ତି । ଆଗକୁ ସେ ଇଂରାଜୀ, ଓଡ଼ିଆ ଓ ଗୁଜରାଟୀ ଭାଷାରେ ମଧ୍ୟ ଏହାର ଅନୁବାଦ କରିବେ ବୋଲି କହିଛନ୍ତି ।