କୁନୋରେ ପ୍ରସ୍ତୁତ ହେଲା କ୍ୱାରେଣ୍ଟିନ ଖୁଆଡ, ଫେବ୍ରୁଆରୀ ଶେଷ ସପ୍ତାହରେ ଦକ୍ଷିଣ ଆଫ୍ରିକାରୁ ଆସିବେ ୧୨ ଚିତା!

122

କନକ ବ୍ୟୁରୋ: ଚାରିମାସ ପୂର୍ବରୁ ଚିତା ପ୍ରକଳ୍ପରେ ନାମ୍ବିଆରୁ ଭାରତ ଆସିଥିଲେ ୮ଚିତା । ପୁଣି ଥରେ ଫେବ୍ରୁଆରୀ ମାସ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ଆସିବ । ଏଥିପାଇଁ ଗତ ଜାନୁଆରୀ ୨୬ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇସାରିଛି । ଏଥିପାଇଁ ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜାତୀୟପାର୍କ ପ୍ରବନ୍ଧନ ସମସ୍ତଙ୍କ ପାଇଁ ସବୁ ପ୍ରସ୍ତୁତିକୁ ଶେଷ କରିଦେଇଛି ।

ଗତବର୍ଷ ସେପ୍ଟେମ୍ବର ମାସରେ ନାମ୍ବିଆରୁ ୮ ଚିତା ଆସିଥିଲେ । ସେଥିରୁ ୫ଟି ମାଇ ଏବଂ ୩ଟି ଅଣ୍ଡିରା ଚିତା ରହିଥିଲେ । କୁନୋ ନ୍ୟାସନାଲ ପାର୍କ ପୁଣିଥରେ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଏହି ୧୨ ଚିତାଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ହୋଇସାରିଛି । ଦକ୍ଷିଣ ଆଫ୍ରିକାର ଚୁକ୍ତି ଫାଇଲ ସେଠାକାର ରାଷ୍ଟ୍ରପତିଙ୍କ ହସ୍ତାକ୍ଷର ଆପେକ୍ଷାରେ ରହିଥିଲା କିନ୍ତୁ ଜାନୁଆରୀ ୨୬ରେ ଚୁକ୍ତି ସ୍ୱାକ୍ଷର ହେବା ପରେ ବର୍ତ୍ତମାନ ରାସ୍ତା ପରିଷ୍କାର ହୋଇଛି । କେବଳ ଚିତାଙ୍କ ଭାରତ ଆସିବା ତାରିଖକୁ ସମସ୍ତେ ଅପେକ୍ଷା କରିଛନ୍ତି ।
ବିଶେଷ କରି କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କ ପାଇଁ ପ୍ରଚୁର ଖାଦ୍ୟ ଏବଂ ପାନୀୟର ବନ୍ଦୋବସ୍ତ କରାଯାଇଛି । ଚିତାଙ୍କୁ କ୍ୱାରେଣ୍ଟିନରେ ରଖିବା ପାଇଁ ୧୦ଟି ବଡ ଖୁଆଡ ପ୍ରସ୍ତୁତ କରି ରଖାଯାଇଛି । ସମସ୍ତ ୧୨ଟି ଚିତାଙ୍କୁ ପ୍ରଥମେ ଏଠାରେ ହିଁ ରଖାଯିବ । ସବୁଠାରୁ ବଡ କଥା ଯେ ପ୍ରଥମ ଥର ପାଇଁ ୮ଟି ନୂଆ ଖୁଆଡକୁ ପ୍ରସ୍ତୁତ ରଖାଯାଉଛି । ସେହିଭଳି ୪ଟି ପୁରୁଣା ଖୁଆଡର ମରାମତି ମଧ୍ୟ କରାଯାଇଛି ।

ଚିତାଙ୍କ ପାଇଁ ୫ ବର୍ଗ କିମି କ୍ଷେତ୍ର ଏବଂ ପାଖାପାଖି ୮ ଫୁଟ ଉଚ୍ଚ ଖୁଆଡ ପ୍ରସ୍ତୁତ କରାଯାଉଛି । ତିନି ସ୍ତରର ସୁରକ୍ଷା ବ୍ୟବସ୍ଥାରେ ଚିତା ମାନଙ୍କୁ ରଖାଯାଇଛି । କୁନୋ ଜାତୀୟ ଉଦ୍ୟାନ ୭୫୦ ବର୍ଗ କିମି ଅଞ୍ଚଳରେ ପରିବ୍ୟାପ୍ତ ରହିଛି ।