ଷ୍ଟେସନରୁ ଜବତ ହେଲା ୧୧୦୦ କିଲୋ କୁକୁର ମାଂସ ! ହୋଟେଲକୁ ହେଉଥିଲା ରପ୍ତାନୀ ?

14,952

ଘର ଅପେକ୍ଷା ସମସ୍ତେ ବାହାରେ ହୋଟେଲରେ କିମ୍ବା ରେଷ୍ଟ୍ରୁରାଣ୍ଟରେ ଖାଇବାକୁ ଭଲ ପାଇଥାନ୍ତି । ହୋଟେଲ ଗୁଡିକ ମଧ୍ୟ ଲୋକମାନଙ୍କର ଚାହିଦାକୁ ଦେଖି ଅନେକ ପ୍ରକାର ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିଥାନ୍ତି । କିନ୍ତୁ ଏଠାରେ ଆପଣଙ୍କୁ ଦିଆଯାଉଥିବା ଖାଦ୍ୟ କେତେ ସୁରକ୍ଷିତ, ସେନେଇ ମଧ୍ୟ ବେଳେବେଳେ ସୃଷ୍ଟି ହୋଇଥାଏ ପ୍ରଶ୍ନବାଚୀ । ଖାଦ୍ୟକୁ ନେଇ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଚେନ୍ନାଇ ଠାରେ । ଚେନ୍ନାଇର ଏମ୍ମୋର ଷ୍ଟେସନରେ ରେଲୱେ ସୁରକ୍ଷାବଳ ପାଖାପାଖି ୧୧ ଶହ କିଲୋ କୁକୁର ମାଂସ ଜବତ କରିଛି । ପ୍ରାୟ ୧୧ଟି ବସ୍ତାରେ ଏହି ମାଂସ ଗୁଡିକ ରହିଥିଲା ।

ପ୍ରକୃତ ଘଟଣା ହେଉଛି, ଚେନ୍ନାଇ ଏମ୍ମୋର ଷ୍ଟେସନରେ ପ୍ଲାଟଫର୍ମ ନମ୍ବର ୫ରେ ଜୋଧପୁର-ମନ୍ନାରଗୁଡି ଟ୍ରେନ୍ ପହଞ୍ଚିଥିଲା । ଟ୍ରେନ୍ ଅଟକିବା ପରେ କିଛି ଲୋକ ପାର୍ସଲ ବାହାରକୁ ବାହାର କରିଥିଲେ । ଏହି ପାର୍ସଲ ମଧ୍ୟରେ କୁକୁର ମାଂସ ଥିବା ବସ୍ତା ମଧ୍ୟ ରହିଥିଲା, ଯେଉଁଥିରୁ ପ୍ରବଳ ଗନ୍ଧ ବାହାରୁଥିଲା । ଏନେଇ ପୋଲିସକୁ ସନ୍ଦେହ ହୋଇଥିଲା । ଏହାପରେ ପୋଲିସ ସେହି ବସ୍ତାକୁ ନେଇ ଯାଉଥିବା ଲୋକଙ୍କୁ ଅଟକାଇବାରୁ, ସେମାନେ ବସ୍ତା ଛାଡି ସେଠାରୁ ଫେରାର ହୋଇଯାଇଥିଲେ । ପରେ ବସ୍ତା ଗୁଡିକୁ ଖୋଲିବାରୁ ସେଥିରୁ କୁକୁରଙ୍କର ଫ୍ରୋଜନ୍ ମାଂସ ମିଳିଥିଲା ।

ସମସ୍ତ କୁକୁରଙ୍କର ଗୋଡ ଏବଂ ମୁଣ୍ଡ କଟା ହୋଇଥିଲା । ଏହା ପରେ ଓଜନ କରାଯିବାରୁ, ବସ୍ତା ଗୁଡିକରେ ପାଖାପାଖି ୧୧ ଶହ କିଲୋ ମାଂସ ଥିବା ଜଣାପଡିଥିଲା । ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ, ମାଂସ ଗୁଡିକ ସଢି ଯିବା ଭଳି ଅବସ୍ଥାରେ ରହିଥିଲା । ଏବଂ ଏଗୁଡିକୁ ହୋଟେଲକୁ ସପ୍ଲାଏ କରିବା ପାଇଁ ଅଣାଯାଇଥିଲା ବୋଲି ଜଣାପଡିଛି । ଏହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।