ପେଟ୍ରୋଲ ପମ୍ପରୁ ଟଙ୍କା ଚୋରି ଅଭିଯୋଗ : ସରପଞ୍ଚଙ୍କ ଉପସ୍ଥିତିରେ ପୁଅ ଓ ବୃଦ୍ଧ ବାପାଙ୍କୁ ନିସ୍ତୁକ ମାଡ଼, ବିଦ୍ୟୁତ୍‌ ଚେଙ୍କ; ଭିଡିଓ ଭାଇରାଲ

ଭୟରେ ଥାନାରେ ଅଭିଯୋଗ କରୁନାହାନ୍ତି ପରିବାର

119

କନକ ବ୍ୟୁରୋ : ଟଙ୍କା ପାଇଁ ତାଲିବାନୀ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ସାନମୋହନପୁର ଅଂଚଳରେ ଅଭାବନୀୟ ଘଟଣା । ୨ ଜଣ ସରପଂଚ ଓ ସମିତି ସଭ୍ୟଙ୍କ ସ୍ୱାମୀଙ୍କ ଉପସ୍ଥିତିରେ କଙ୍ଗାରୁ କୋର୍ଟ ବସାଇ ଅତି ଅମାନବୀୟ ଭାବେ ବାପା, ପୁଅଙ୍କୁ ନିସ୍ତୁକ ମାଡ ମାରିବା ସହ ବିଜୁଳି ଚେଙ୍କ ଦିଆଯାଇଛି । ପ୍ରଥମେ ପୁଅକୁ ମାଡ଼ ମରାଯାଇଥିଲା । ଏହା ପରେ ବାପାକୁ ମାଡ ମାରିବା ପାଇଁ ପୁଅକୁ କହିଥିଲେ । ପଟ୍ଟାମୁଣ୍ଡାଇ କଂଟଆବଣରେ ଥିବା ପେଟ୍ରୋଲ ପମ୍ପରେ ଟଙ୍କା ଚୋରି ହୋଇଥିଲା । ଟାଙ୍କିରେ କାମ କରୁଥିବା ଜଣେ ପିଲା ଓ ତାଙ୍କ ବୃଦ୍ଧ ବାପାଙ୍କୁ ସନ୍ଦେହ କରିଥିଲେ ଟାଙ୍କି ମାଲିକ । ବଳିପାଳ ସରପଂଚ, ବିଜୟ ନଗର ସରପଂଚ, ସ୍ଥାନୀୟ ସମିତି ସଭ୍ୟଙ୍କ ସ୍ୱାମୀ ଓ ଲୋକଙ୍କ ଉପସ୍ଥିତିରେ ମାଡ ମରାଯାଇଥିଲା । ତେବେ ପରିବାର ଲୋକେ ଭୟରେ ଥାନାରେ ଏତଲା ଦେଇନାହାନ୍ତି । ଯଦି ଟଙ୍କା ଚୋରି ହୋଇଥିଲା, ତେବେ ପୋଲିସରେ ଖବର ନଦେଇ କାହିଁକି ସମସ୍ତଙ୍କ ସାମ୍ନାରେ ଏପରି ମାଡ ମରାଗଲା ତାକୁ ନେଇ ଉଠିଛି ପ୍ରଶ୍ନ ।

ମିଳିଥିବା ସୂଚନାନୁଯାୟୀ, ବିଜୟନଗର ଗାଁର ଗଙ୍ଗାଧର ନାଥଙ୍କ ୧୭ ବର୍ଷର ପୁଅ ପଟ୍ଟାମୁଣ୍ଡାଇ ବ୍ଲକ ସାନମୋହନପୁର ପଞ୍ଚାୟତର ସାହୁପଡ଼ାରେ ଥିବା ମହାଦେବ ଫିଲିଂ ଷ୍ଟେସନରେ କାମ କରୁଥିଲେ। ୧୦ ଦିନ ତଳେ ପେଟ୍ରୋଲ ପମ୍ପରୁ ୧ ଲକ୍ଷ ୯୭ ହଜାର ଟଙ୍କା ଚୋରି ହୋଇଥିଲା। ଏହି ଟଙ୍କା ଗଙ୍ଗାଧରଙ୍କ ପୁଅ ଚୋରି କରିଥିବା ସନ୍ଦେହରେ ଗତ ୧୧ ତାରିଖରେ ତାଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା। ଏହାପରେ ସେହି ଦିନ ୨ଟା ବେଳେ ଭୂମିକା ହସ୍ପିଟାଲରେ ସୁଇପର ଭାବେ କାମ କରୁଥିବା ତାଙ୍କ ବାପା ଗଙ୍ଗାଧରଙ୍କୁ କାର୍‌ ଯୋଗେ ସାନମୋହନପୁର ପଂଚାୟତର ସାହୁପଡ଼ାକୁ ଅଣାଯାଇଥିଲା। ପେଟ୍ରୋଲ ପମ୍ପ୍‌ର ମାଲିକ ଅଶୋକ ପତିଙ୍କ ଘରେ ତାଙ୍କୁ ରଖାଯାଇ ନିସ୍ତୁକ ମାଡ଼ ମରାଯାଇଥିଲା। ବାପ ପୁଅଙ୍କୁ ମାଡ଼ ମାରି ସେମାନେ ଟଙ୍କା ନେଇଛନ୍ତି ବୋଲି କଙ୍ଗାରୁ କୋର୍ଟରେ ମାନିବାକୁ ବାଧ୍ୟ କରାଯାଇଥିଲା।

ଏହାପରେ ରାତି ୯ଟାରେ ପମ୍ପ ମାଲିକଙ୍କ ଘରେ କଙ୍ଗାରୁ କୋର୍ଟ ବସିଥିଲା। ସାନମୋହନପୁର ପଂଚାୟତର ସରପଞ୍ଚ ରବୀନ୍ଦ୍ର ବେହେରା, ବିଜୟନଗର ପଂଚାୟତର ସରପଞ୍ଚ ସୋମନାଥ ତ୍ରିପାଠୀ, ବଳିପାଳ ପଂଚାୟତର ସରପଞ୍ଚ ପଞ୍ଚାନନ ସ୍ୱାଇଁ, ସମିତିସଭ୍ୟାଙ୍କ ସ୍ୱାମୀ ତପନ କୁମାର ରାଉତ, ପେଟ୍ରୋଲ ପମ୍ପର ଦୁଇ ମାଲିକ ଅଶୋକ ପତି, ଜୟପ୍ରକାଶ ରାଉତଙ୍କ ଉପସ୍ଥିତିରେ ନିସ୍ତୁକ ମାଡ଼ ମରାଯିବା ପରେ ଟଙ୍କା ଚୋରି କରି ବାପାଙ୍କୁ ଦେଇଥିବା ପୁଅ କହିଥିଲେ। ମାତ୍ର ବାପା ଏହାକୁ ଅସ୍ବୀକାର କରିବାରୁ ବାପାଙ୍କୁ ବାଡ଼େଇବାକୁ ପୁଅକୁ କୁହାଯାଇଥିଲା। ପୁଅ ରାଜି ନ ହେବାରୁ ନାବାଳକ ପୁଅକୁ କରେଣ୍ଟ ଚାର୍ଜ କରି ଚେଙ୍କ ଦିଆଯାଇଥିଲା। ଭୟଭୀତ ନାବାଳକ ବାଧ୍ୟ ହୋଇ ନିଜର ବାପାଙ୍କୁ ନିର୍ମମ ଭାବେ ପିଟିଥିଲା। ମଟରସାଇକଲ ବ୍ରେକ୍‌ ତାରରେ ବାପ ପୁଅଙ୍କୁ ମାଡ଼ ମରାଯାଇଥିଲା। ନିର୍ମମ ମାଡ଼ରେ ନାବାଳକଙ୍କ ଦେହରୁ ରକ୍ତ ବାହାରି ପିନ୍ଧିଥିବା ଗଂଜି ରକ୍ତରେ ଭିଜି ଯାଇଥିଲେ ମଧ୍ୟ କଙ୍ଗାରୁ କୋର୍ଟରେ ବସିଥିବା ସରପଞ୍ଚ ଓ ଲୋକ ପ୍ରତିନିଧିମାନେ ଆହା ପଦେ କହି ନଥିଲେ। ଏହାପରେ ରାତି ୧୧ଟାରେ ଚୋରି ହୋଇଥିବା ସମସ୍ତ ୧ ଲକ୍ଷ ୯୭ ହଜାର ଟଙ୍କା ନାବାଳକର ବାପା ଦେବ ବୋଲି ଲିଖିତ ଭା‌ବେ ରଖାଯାଇ ବାପ-ପୁଅଙ୍କୁ ଛଡ଼ା ଯାଇଥିଲା।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ବର୍ବରୋଚିତ ଘଟଣାର ଏ୩ ଦିନ ପରେ ପେଟ୍ରୋଲ ପମ୍ପ୍‌ର ପଛପଟୁ ଚୋରି ଟଙ୍କା ମିଳିଥିଲା। ଟଙ୍କା ମିଳିବା ପରେ ଗଙ୍ଗାଧରଙ୍କୁ ସାହୁପଡ଼ାକୁ ଡକାଇ ଲେଖାପଢ଼ା ହୋଇଥିବା କାଗଜ ଚିରି ଦିଆଯାଇଥିଲା । ଏହାସହିତ ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବୁ ବୋଲି ପେଟ୍ରୋଲ ପମ୍ପ୍‌ ମାଲିକ ଧମକ ଦେଇଥିବ‌ା ପୀଡ଼ିତ ଗଙ୍ଗାଧର ଅଭିଯୋଗ କରିଛନ୍ତି । ଗଙ୍ଗାଧର କହିଛନ୍ତି ଯେ, ତାଙ୍କୁ ଭୂମିକା ହସ୍ପିଟାଲରୁ ଉଠାଇ ଆଣି ନିସ୍ତୁକ ମାଡ଼ ମରାଗଲା। ଏପରିକି ତାଙ୍କ ପୁଅ ଦ୍ୱାରା ବି ତାଙ୍କୁ ମାଡ଼ ମରଗଲା । ତିନି ଥର କରେଣ୍ଟ ଚେଙ୍କ ପୁଅକୁ ଦେଲେ । ପୁଅ ଟଙ୍କା ଚୋରି କରି ନଥିଲା । ତାଙ୍କ ଲୋକ ଲୁଚାଇ ରଖିଥିଲେ, ପରେ ସେମାନେ ପାଇଛନ୍ତି। ଧମକ ଦେଇଥିବାରୁ ଆମେ ଭୟରେ ଥାନାରେ ଅଭିଯୋଗ କରିବାକୁ ସାହସ କରୁପାରୁ ନାହୁଁ ବୋଲି ଗଙ୍ଗାଧର କହିଛନ୍ତି। ସେପଟେ, ଭିଡିଓ ଭାଇରାଲ୍‌ ହେବା ପରେ କୌଣସି ସୂତ୍ରରୁ ଖବର ପାଇ ଆଜି ରାତି ପ୍ରାୟ ୭ଟା ବେଳେ ପଟ୍ଟାମୁଣ୍ଡାଇ ଥାନାରୁ ଏକ ପୁଲିସ ଟିମ୍‌ ଗଙ୍ଗାଧରଙ୍କ ଘରେ ପହଞ୍ଚି ତାଙ୍କଠାରୁ ସତ୍ୟତା‌ ଜାଣିବା ପାଇଁ ଖୋଜାଖୋଜି କରିଛନ୍ତି । ତେବେ ତାଙ୍କୁ ଘରେ ନ ପାଇ ପୁଲିସ ଟିମ୍‌ ଫେରିଯାଇଥିବା ଜଣାଯାଇଛି ।

ଅନ୍ୟପଟେ କଙ୍ଗାରୁ କୋର୍ଟରେ ଉପସ୍ଥିତ ଥିବା ସାନମୋହନପୁର ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର ବେହେରା ବି ବାପ-ପୁଅଙ୍କୁ ମାଡ଼ ମରାଯାଇଥିବା ଘଟଣାକୁ ସ୍ୱୀକାର କରିବା ସହ ଏଭଳି କରିବା ଭୁଲ୍‌ ହୋଇଛି ବୋଲି କହିଛନ୍ତି । ହେଲେ ପ୍ରଶ୍ନ ଉଠୁଛି ଯେ ଯଦି ପେଟ୍ରୋଲ ପମ୍ଫ୍‌ରୁ ଟଙ୍କା ଚୋରି ହେଲା, ତେବେ ମାଲିକ ଥାନାର ଆଶ୍ରୟ କାହିଁକି ନେଲେନି ? ବାପ-ପୁଅଙ୍କୁ ନିସ୍ତୁକ ମାଡ଼ ମାରିବାର ଅଧିକାର ତାଙ୍କୁ କିଏ ଦେଲା ?