କରୋନା କଟକଣା ଭିତରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ : ନିରାଡମ୍ବରରେ କରାଯାଉଛି ମା’ଙ୍କ ପୂଜାର୍ଚ୍ଚନା

ମଧ୍ୟ ରାତ୍ରିରେ ହେଲା ଚକ୍ଷୁଦାନ ଓ ଜୀବନ୍ୟାସ ନୀତି, ୧୦ ଦିନ ଧରି ଚାଲିବ ପୂଜା

52

କନକ ବ୍ୟୁରୋ : କରୋନା କଟକଣା ମଧ୍ୟରେ ଢେଙ୍କନାଳର ପ୍ରସିଦ୍ଧ ଗଜଲକ୍ଷୀ୍ମ ପୂଜା ଆରମ୍ଭ ହୋଇଛି । ୩୮ଟି ପୂଜା ମଣ୍ଡପରେ ଏହି ପୂଜା କରାଯାଉଛି । କୋଭିଡ କଟକଣା ଯୋଗୁଁ ୭ ଜଣ କର୍ତାଙ୍କ ମଧ୍ୟରେ ପୂଜା ହେଉଛି । ଢେଙ୍କାନାଳର ମଉଡମଣି ମୀନା ବଜାର ପୂଜା ଆରମ୍ଭ କରିବା ପରେ ଅନ୍ୟ ସମସ୍ତ ଅନୁଷ୍ଠାନ ପୂଜା ଆରମ୍ଭ କରିଛନ୍ତି । ମଧ୍ୟରାତ୍ରିରେ ମାଙ୍କ ଚକ୍ଷୁଦାନ ଓ ଜୀବନ୍ୟାସ ନୀତି ହୋଇଛି । ଗତକାଲି ରୀତିନୀତ ଅନୁସାରେ ମାଆଙ୍କ ପୂଜା ନିମନ୍ତେ ପୁଷ୍କରଣୀରୁ ଘଟ କଳସୀ କରାଯାଇଥିଲା । ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷୀ୍ମ ପୂଜା ୧୦ ଦିନ ଯାଏଁ ଚାଲିବ । ସେପଟେ, କୁମାର ପୂର୍ଣ୍ଣିମା ଉପଲକ୍ଷେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ କୁମାରୀ ବେଶ  ଦେଖିବାକୁ ମିଳିଛି ।

ଅନ୍ୟପକ୍ଷରେ, ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ଓ ବ୍ୟବସାୟୀ ସଂଘ ପକ୍ଷରୁ ବିଧି ମୁତାବକ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ତେବେ କରୋନା କଟକଣା ଯୋଗୁଁ ଭକ୍ତଙ୍କୁ ଦର୍ଶନ ମନା ହୋଇଥିବା ବେଳେ ମାତ୍ର ୭ଜଣ ପୂଜକ ଓ କର୍ମକର୍ତାଙ୍କ ମଧ୍ୟରେ ସୀମିତ ରହିଛି ପୂଜାମଣ୍ଡପ। ସବୁଠି ମାତ୍ର ୪ଫୁଟ୍ ଉଚ୍ଚତା ବିଶିଷ୍ଟ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି । ଏଥର ରାଜଧାନୀର ପ୍ରାୟ ୩୦ରୁ ଅଧିକ ମଣ୍ଡପରେ ଗଜଲକ୍ଷ୍ମୀ ପୂଜା ପାଉଛନ୍ତି । ଆଜି ଅପରାହ୍‌ଣରୁ ମା’ଙ୍କ ଉଦ୍ଦେଶ୍ୟରେ ସହରର ବିଭିନ୍ନ ଜଳାଶୟରୁ କଳସ ଅଧିବାସ ଆରମ୍ଭ ହୋଇଯାଇଥିଲା । ରାତି ୯ଟାରୁ ୧୨ଟା ମଧ୍ୟରେ ଚକ୍ଷୁଦାନ, ପ୍ରାଣ ପ୍ରତିଷ୍ଠା ଓ ବିଭିନ୍ନ ପୂଜା ନୀତି ଅନୁଷ୍ଠିତ ହୋଇଥିଲା । ସେହିପରି ବିଭିନ୍ନ ପୂଜା କମିଟି ପକ୍ଷରୁ ମା’ଙ୍କ ନିକଟରେ ଖେଚୁଡ଼ି, ପଣା, ଖିରି ଓ ପୁରୀ ଆଦି ଭୋଗ ଲାଗି ହୋଇଥିଲା ।

କରୋନା କଟକଣାକୁ ନଜରରେ ରଖି ୭ ଦିନିଆ ପୂଜାକୁ ଏଥର ବି ବିରାମ ଦିଆଯାଇଛି। ଅନେକ ସ୍ଥାନରେ ମା’ଙ୍କୁ ୩ ଦିନ ପୂଜା କରାଯିବା ପରେ ବିସର୍ଜନ କରାଯିବ।  ଏମିତିକି ରାଜଧାନୀର କୌଣସି ସ୍ଥାନରେ ମୀନାବଜାର କିମ୍ବା ମେଲୋଡିର ବି ଆୟୋଜନ କରାଯାଇନାହିଁ  ଏଥିପାଇଁ ସହିଦନଗର, ୟୁନିଟ୍‌-୯, ଓୟୁଏଟି, ବାପୁଜୀନଗର, ନହରକଣ୍ଟା, ୟୁନିଟ୍‌-୮, ପୁରୁଣା ଭୁବନେଶ୍ୱର ଓ ଖଣ୍ଡଗିରି ଆଦିରେ ବିଭିନ୍ନ ପୂଜା କମିଟି ପକ୍ଷରୁ ନିରାଡମ୍ବରରେ ମା’ଙ୍କ ପୂଜା କରାଯାଉଛି । ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ମୂର୍ତ୍ତିକୁ ଚାରିପଟୁ ବନ୍ଦ ରଖାଯାଇଛି ।