ଏବେ ଏହି ଲୋକଙ୍କୁ ଘରେ ଦିଆଯିବ କରୋନା ଟିକା, ଜାଣନ୍ତୁ ପାର୍ବଣ ପାଇଁ ଗାଇଡ ଲାଇନ

ଏମାନଙ୍କୁ ଘରେ ଦିଆଯିବ କରୋନା ଟିକା

166

କନକ ବ୍ୟୁରୋ : ଦେଶରେ କରୋନା ଟିକାକରଣ ଅଭିଯାନ ତୀବ୍ର ହୋଇଛି । ଏହା ମଧ୍ୟରେ ଆଜି ସରକାର କହିଛନ୍ତି ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସି ଟିକା ନେବାରେ ଅକ୍ଷମ ସେମାନଙ୍କୁ ସରକାରଙ୍କ ତରଫରୁ ଘରେ ଟିକା ଦେବାର ବ୍ୟବସ୍ଥା କରାଯିବ । ଏନେଇ ଏକ ସର୍ଭେ ଟିମ୍ କାମ କରିବ । ବିଶେଷ ଭାବେ ଯେଉଁମାନେ ଗୁରୁତର ରୋଗରେ ପୀଡିତ ଓ ଯେଉଁମାନେ ଚାଲିବୁଲି ପାରନ୍ତି ନାହିଁ ସେମାନଙ୍କୁ ସେମାନଙ୍କ ଘର ନିକଟରେ ଟିକା ଦେବାକୁ ସରାକର ଯୋଜନା କରିଛନ୍ତି । ନୀତି ଆୟୋଗ ସଦସ୍ୟ ବି.କ ପଲ କହିଛନ୍ତି କି ଅସୁସ୍ଥ ଓ ଅକ୍ଷମ ଲୋକମାନଙ୍କୁ କୋଭିଡ-୧୯ ଟିକା ସେମାନଙ୍କ ଘର ନିକଟରେ ଦିଆଯିବ ।

କହିରଖୁ କି ଏବେ ୧୮ ବର୍ଷରୁ ଅଧିକ ବୟସ୍କ ଲୋକେ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ମଧ୍ୟରୁ ୬୬ ପ୍ରତିଶତ ଲୋକ ଟିିକାର ପ୍ରଥମ ଖୋରାକ ଓ ୨୩ ପ୍ରତିଶତ ଲୋକ ଟିକାର ଉଭୟ ଖୋରାକ ନେଇସାରିଛନ୍ତି । ଅନ୍ୟପଟେ ୩୫.୪ ପ୍ରତିଶତ ସହରାଞ୍ଚଳ ଓ ୬୩.୭ ପ୍ରତିଶତ ଗ୍ରାମାଞ୍ଚଳରେ ଟିକାକରଣ ହୋଇଛି ।

ଅନ୍ୟପଟେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସ୍ୱାସ୍ଥ୍ୟମନ୍ତ୍ରଣାଳୟ କୋଭିଡ ଗାଇଡଲାଇନ ଜାରି କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକମାନଙ୍କୁ ଅନୁରୋଧ କରାଯାଇଛି କି ପାର୍ବଣ ସମୟରେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ । ଟିକା ନେଇଥିଲେ ବି କୋଭିଡ ଗାଇଡଲାଇନ ପାଳନ କରନ୍ତୁ । ସେପ୍ଟେମ୍ବର ମାସରେ ଦୈନିକ ୮୧.୭୬ ଲକ୍ଷ ଲୋକଙ୍କୁ ଦୈନିକ ଟିକା ଦିଆ ଯାଉଥିବା ମନ୍ତ୍ରଣାଳୟ ସୂଚନା ଦେଇଛି ।

ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି କି ଆସୁଥିବା ପାର୍ବଣ ଋତୁକୁ ଆଖିଆଗରେ ରଖି ଫେଷ୍ଟିଭାଲ ଗାଇଡ ଲାଇନ ଜାରି କରାଯାଇଛି । ସବୁ ରାଜ୍ୟକୁ ବ୍ୟାପକ ଏସଓପି ପଠାଯାଇଛି । କୁହାଯାଇଛି କି ଯେଉଁଠି ୫ ପ୍ରତିଶତରୁ ଅଧିକ ପଜିଟିଭିଟି ରେଟ ରହିଛି ସେଠାରେ ଭିଡ ଜମାଇବାକୁ ସୁଯୋଗ ଦିଆ ନଯାଉ ।