ଗୋବର ମାଡ, ଆନ୍ଦୋଳନକାରୀଙ୍କ ନୂଆ ଅସ୍ତ୍ର । କାକଟପୁର ବିଡିଓଙ୍କୁ ଗୋବର ଫୋପାଡିଲେ ଯୁବକ

53

କନକ ବ୍ୟୁରୋ : ପ୍ରତିବାଦର ନୂଆ ଫର୍ମୁଲା । ଅଣ୍ଡା ବଦଳରେ ଏବେ ଗୋବର ମାଡ଼ ଆପଣାଉଛନ୍ତି ଆନ୍ଦୋଳନକାରୀ । ଏହି ତତ୍ୱ କ୍ୟାପିଟାଲରୁ ବ୍ୟାପିଛି କାକଟପୁରକୁ । ପାଣ୍ଡିଆନଙ୍କ ଘର ଉପରେ ଗୋବର ମାଡ଼ ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରି ଦେଇଥିଲା । ଆଜି କାକଟପୁର ବିଡିଓଙ୍କୁ ହୋଇଛି ଗୋବର ମାଡ଼ । ଆଉ ଗୋବରକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା ।

ଗତ ଶନିବାର ଦିନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତିକେୟନ ପାଣ୍ଡିଆନଙ୍କ ଘର ଉପରେ ବିଜେପି କର୍ମୀଙ୍କ ଆକ୍ରମଣ ପରେ ଉଠିଥିଲା ପଡିଥିଲା ରାଜ୍ୟର ରାଜନୀତି । ଏହି ଆକ୍ରମଣ ବେଳେ ଗୋବର ମାଡ଼ କରି ବିଜେପିର କର୍ମୀ ପ୍ରତିବାଦର ଏକ ନୂଆ ଫର୍ମୁଲା ଆପଣେଇଥିଲେ । ଆଉ ଏବେ ଏହି ଗୋବର ମାଡ଼ କ୍ୟାପିଟାଲରୁ ଡେଇଁ ପହଁଚିଛି କାକଟପୁରରେ ।

ସବୁ ଦିନ ଭଳି ଆଜି କାକଟପୁର ବ୍ଳକ କାର୍ଯ୍ୟାଳୟରେ କାମ କରୁଥିଲେ ବିଡିଓ ସନ୍ତୋଷ ସାହୁ । ହଠାତ୍ ଅଫିସ ଭିତରୁ ପସି ଆସି ଗାଳିଗୁଲଜ କରିଥିଲେ ଜଣେ ଯୁବକ । କେହି କିଛି ବୁଝିବା ପୂର୍ବରୁ ସାଂଗରେ ଆଣିଥିବା ବ୍ୟାଗ ଭିତରୁ ଗୋବର କାଢି ଫିଙ୍ଗିଥିଲେ ବିଡିଓଙ୍କ ଉପରେ । ବ୍ଲକ କର୍ମଚାରୀ କାବୁ କରିବାକୁ ଉଦ୍ୟମ କଲାବେଳେ ଧକକା ମାରି ସେଠାରୁ ଖସି ପଳାଇଥିଲେ ସଂପୃକ୍ତ ଯୁବକ ।

ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନାରେ ଘର ଖଣ୍ଡେ ନପାଇବାରୁ ଯୁବକ ଜଣକ କ୍ଷୁବ୍ଧ ହୋଇ ଏପରି କାଣ୍ଡ କରିଥିବା କୁହାଯାଉଛି । ଏ ନେଇ ବିଡିଓ ଅଭିଯୋଗ କରିବା ପରେ ପୁଲିସ ତନାଘନା ଆରମ୍ଭ କରିଛି । ସେପଟେ ଗୋବର ଫିଙ୍ଗିଥିବା ଯୁବକଙ୍କୁ ଗିରଫ କରିବା ପାଇଁ ଦାବି କରି ବ୍ଳକ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଛନ୍ତି ବ୍ଳକର କର୍ମଚାରୀ । ଅନେକ ସମୟରେ ନେତାଙ୍କ ଉପରେ ଅଣ୍ଡା ମାଡ଼ ରାଜ୍ୟରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିିଛି । ଏବେ ବିରୋଧୀଙ୍କର ଆଉ ଏକ ଅସ୍ତ୍ର ପାଲଟିଛି ଗୋବର ।