ୱଣ୍ଡର ୱିମେନ ଗ୍ରୃପ ପକ୍ଷରୁ ‘ନା ମୁଁ କରିପାରିବି’ ନାଟକ ମଂଚସ୍ଥ ! ସକାରାତ୍ମକ ମନୋଭାବ ନାରୀ ମଧ୍ୟରେ ଆଣିବା ନାଟକଟିର ମୂଳ ଉଦ୍ଦେଶ୍ୟ

105

କନକ ବ୍ୟୁରୋ: ୱଣ୍ଡର ୱିମେନ ଗୃପ ପକ୍ଷରୁ ଭୁବନେଶ୍ୱର ରେଲ ଅଡିଟୋରିଅମ ଠାରେ ‘ନା ମୁଁ କରିପାରିବି’ ନାମକ ଏକ ନାଟକ ମଂଚସ୍ଥ ହୋଇଛି । ସବୁ କିଛି କରିପାରିବାର ସକାରାତ୍ମକ ମନୋଭାବ ନାରୀ ମଧ୍ୟରେ ଆଣିବା ନାଟକଟିର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି ନାଟକର ରଚୟିତା ଓ ନିର୍ଦ୍ଦେଶିକା ସୁଯାତା ପ୍ରିୟଦର୍ଶିନି । ନାରୀ ସଶକ୍ତିକରଣ ନେଇ ନାଟକରେ ବାର୍ତା ଦିଆଯାଇଛି । ନାଟକରେ ତନୟା ପଟ୍ଟନାୟକ, ଗାର୍ଗି ଭଟ୍ଟାଚାର୍ଯ୍ୟ,ଅରୁଣା ମହାନ୍ତି,ସୁଚେତା ପ୍ରିୟଦର୍ଶିନି ପ୍ରମୁଖ ଅଭିନୟ କରିଥିଲେ । ସୁନ୍ଦର ଋଚନା ଓ ଚମକ୍ରାର ଅଭିନୟ ଦର୍ଶକଂକୁ ବେଶ୍ ବାନ୍ଧି ରଖିପାରିଥିଲା ।

ସୁଜାତା ପ୍ରିୟଦର୍ଶନୀଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ଏହି ନାଟକରେ ସମ୍ପୂର୍ଣ୍ଣ ୧୨ଟିଯାକ ଚରିତ୍ର ନାରୀ ଚରିତ୍ର ଥିଲା। ଏକ ଚଳଚ୍ଚିତ୍ର ନିମନ୍ତେ ଅଡିସନ୍ ଦେବାକୁ ବିଭିନ୍ନ ସ୍ଥାନରୁ ଆସିଥିବା ମହିଳାମାନେ ଭାଷାଗତ ଓ ଚାଲିଚଳଣିର ପାର୍ଥକ୍ୟ ସତ୍ତ୍ୱେ ଏକ ମାସର ଅଭିନୟ ତାଲିମ୍ ପରେ କିପରି ଗୋଟିଏ ପରିବାରର ସଦସ୍ୟ ଭଳି ପରସ୍ପରକୁ ବ୍ୟବହାର କରିଛନ୍ତି, ତାହା ଏହି ନାଟକରେ ସ୍ପଷ୍ଟ ଭାବରେ ଚିତ୍ରଣ କରାଯାଇଥିଲା। ସେହିପରି ସମାଜର କ୍ରୂର ଚରିତ୍ରମାନଙ୍କ ଆଗରେ ହାର୍ ମାନି ଯାଇଥିବା ଜଣେ ନିରୀହ ଯୁବତୀ ମଧ୍ୟରେ ସାହସ ସଞ୍ଚାର କରାଇ କିପରି ଦୁଷ୍ଟଶକ୍ତିକୁ ପରାହତ କରାଯାଇପାରିବ, ତାହାକୁ କଳାକାରମାନେ ନିଜ ଅଭିନୟ ମାଧ୍ୟମରେ ଅତି ନିଖୁଣ ଭାବେ ଉପସ୍ଥାପନ କରିଥିଲେ। ତନୟା ପଟ୍ଟନାୟକ, ଗାର୍ଗୀ ଭଟ୍ଟାଚାର୍ଯ୍ୟ, ରେବତୀ ପାଣି, ଅରୁଣା ମହାନ୍ତି, ପ୍ରିୟା, ସୁଚେତା ପ୍ରିୟଦର୍ଶନୀ, ସଂଘମିତ୍ରା, ସୋନିଆ, ପ୍ରଣତି ଏବଂ ଅନପୂର୍ଣ୍ଣା ପ୍ରମୁଖଙ୍କ ବଳିଷ୍ଠ ଅଭିନୟ ଓ ଚମତ୍କାର ସଂଳାପ ଏହି ନାଟକଟିକୁ ଆକର୍ଷଣୀୟ କରିଥିଲା।

ରେଳ ଅଡିଟୋରିୟମରେ ପ୍ରଦର୍ଶିତ ଏହି ନାଟକଟିକୁ ବିଭିନ୍ନ ବର୍ଗର ଦର୍ଶକ ବେଶ୍ ପସନ୍ଦ କରିଥିଲେ । ରାଜଲକ୍ଷ୍ମୀ, ଶୁଭଲକ୍ଷ୍ମୀ, ସୁଦୀପ୍ତା, ପାରମିତା ଏବଂ ରୋଜାଲିନ୍ ପ୍ରମୁଖ ଏହି ନାଟକ ପରିବେଷଣରେ ସହଯୋଗ କରିଥିଲେ। ମହିଳାଙ୍କୁ ଏହି ନାଟକ ମାଧ୍ୟମରେ ପ୍ରେରଣା ମିଳିବ ବୋଲି ନିର୍ଦ୍ଦେଶିକା ପ୍ରକାଶ କରିଛନ୍ତି। ଏହି ଅବସରରେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ମିନତି ପ୍ରଧାନ ଏବଂ ତାଙ୍କୁ ଚିକିତ୍ସା କରୁଥିବା ଏସସିବି ମେଡିକାଲ୍ କଲେଜର ବରିଷ୍ଠ ପ୍ଲାଷ୍ଟିକ ସର୍ଜନ୍ ଡ. ଚୌଧୁରୀଙ୍କୁ ଏନଏଚଆରଡ଼ିଏନର ରାଜ୍ୟ ଉପସଭାପତି ଅମିୟ ପଟ୍ଟନାୟକ, ପାରମିତା ମହାପାତ୍ର ପ୍ରମୁଖ ସମ୍ବର୍ଧିତ କରିଥିଲେ।