କାମ ଦେଲା ମହିଳା କାର୍ଡ, ବିଜୟୀ ହେଲେ ନବୀନ । ସ୍ୱୟଂ ସହାୟିକା ଗୋଷ୍ଠୀ ସାଜିଲା ସମର୍ଥନର ବଡ ପୁଞ୍ଜି, ଲୋକସଭାରେ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଘୋଷଣା ଦେଲା ବଡ ଫାଇଦା

186

କନକ ବ୍ୟୁରୋ : ବିଜେଡିର ବିପୁଳ ବିଜୟ ପଛରେ ମହିଳାଙ୍କ ସମର୍ଥନ ସବୁଠୁ ବଡ କାରଣ ଥିଲା ବୋଲି କୁହାଯାଉଛି । ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ସମର୍ଥନ ଯୋଗାଡ କରିପାରିଥିଲା ଦଳ । ଓଡିଶାରେ ପ୍ରାୟ ଦେଢ କୋଟି ମହିଳା ଭୋଟର ଥିବା ବେଳେ, ବିଜୁ ଜନତା ଦଳ ଏଥିପାଇଁ ନିର୍ଦ୍ଦିଷ୍ଟ ରଣନୀତି ପ୍ରସ୍ତୁତ କରିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମଧ୍ୟ ବିଜୟର ଠିକ୍ ପରେ ପରେ ମହିଳାଙ୍କୁ ଧନ୍ୟବାଦ ଦେଇଥିଲେ । ବିଜେପି ମଧ୍ୟ ସ୍ୱୀକାର କରିଛି, ବିଜେଡି ଏଦିଗରେ ନିର୍ଦ୍ଦିଷ୍ଟ ରଣନୀତି ଆପଣାଇଥିଲ।।

୨୦୧୯ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିରାଚରିତ ଢଙ୍ଗରେ, କମ ସମୟର ପ୍ରତିକ୍ରିୟା ରଖିଛନ୍ତି । କିନ୍ତୁ ଲକ୍ଷ୍ୟ କରିବାର କଥା ଏହି କମ ସମୟର ପ୍ରତିକ୍ରିୟାରେ ରାଜ୍ୟର ମହିଳା ଓ ସ୍ୱୟଂ ସହାୟକ ଗୋଷ୍ଠୀକୁ ବିଜୟର ଶ୍ରେୟ ଦେବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି । କାରଣ, କୁହାଯାଉଛି ବିଜେଡିର ଏହି ସଫଳତା ପଛରେ ରହିଛି ନବୀନଙ୍କ ମହିଳା କାର୍ଡର ଫର୍ମୂଲା । ଓଡିଶା ବିଧାନସଭା ପାଇଁ ୪ ପର୍ଯ୍ୟାୟରେ ହୋଇଥିବା ଏହି ମତଦାନ ପ୍ରକ୍ରିୟା ପୂର୍ବରୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ସଫଳତାର ସହ ଗୋଟି ଚାଳନା କରିଥିଲା ବିଜେଡି ।

ପ୍ରତିଶୃତି ମୁତାବକ ୩୩ପ୍ରତିଶତ ମହିଳାଙ୍କୁ ଲୋକସଭା ଟିକେଟ ଦେବା ସହ ମହିଳା ଏସଏଚଜିକୁ ଅଧିକ ସହାୟତା ପ୍ରଦାନ କରି ନବୀନ ମହିଳାଙ୍କୁ ପ୍ରଭାବିତ କରିପାରିଥିଲେ । ଆଉ ଯାହାକୁ ପରୋକ୍ଷରେ ସ୍ୱୀକାର କରିଛି ବିରୋଧୀ ବିଜେପି । ମହିଳା ପ୍ରସଙ୍ଗକୁ ନେଇ ବିଭିନ୍ନ ସମୟରେ ସରକାରଙ୍କୁ ଘେରିଆସିଛନ୍ତି ବିରୋଧୀ । କିନ୍ତୁ ରାଜ୍ୟ ମହିଳା ସମାଜ ପାଇଁ ନବୀନଙ୍କ ବିଭିନ୍ନ ଯୋଜନା ଗତ ନିର୍ବାଚନଗୁଡିକ ପରି ଏଥର ମଧ୍ୟ ବିଜେଡିର ହାତମୁଠାକୁ ମଜବୁତ କରିବାରେ ସହାୟକ ହୋଇଛି ।

ଏଥର ନିର୍ବାଚନରେ ଓଡିଶାରେ ପୁରୁଷ ଭୋଟରଙ୍କ ସଂଖ୍ୟା ଥିଲା ୧ କୋଟି ୬୩ ଲକ୍ଷ ଓ ମହିଳା ଭୋଟରଙ୍କ ସଂଖ୍ୟା ଥିଲା ୧ କୋଟି ୫୪ ଲକ୍ଷ । ଏହି ସଂଖ୍ୟାରୁ ଆପଣ ସହଜରେ ଅନୁମାନ କରିପାରିବେ, ଯଦି ମହିଳା ଭୋଟରଙ୍କ ପାଇଁ ନିର୍ଦ୍ଦିଷ୍ଟ ରରନୀତି ପ୍ରସ୍ତୁତ କରାଯାଏ ତେବେ ବିଜୟ ହୁଏତ ସହଜ ହୋଇଯାଇପାରେ ।ଆଉ ଏହି ରଣନୀତି ହିଁ ବିଜେଡିକୁ ଏତେ ବଡ ସଫଳତା ଦେବାରେ ସହାୟକ ହୋଇଛି