ରାଜଧାନୀର ରାଜରାସ୍ତାରେ ପ୍ରସବ! ସାମ୍ନାକୁ ଆସିଲା ସ୍ମାର୍ଟସିଟିର ସତ

28

କନକ ବ୍ୟୁରୋ : ମରିଗଲା ମାନବିକତା । ହଜିଗଲା ସମ୍ବେଦନଶୀଳତା । ରାଜଧାନୀର ରାଜରାସ୍ତାରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ପ୍ରସୂତି ।ଏଭଳି ଘଟଣା ଦେଶର ଏକ ନମ୍ବର ସ୍ମାର୍ଟ ସିଟି ବୋଲାଉଥିବା ଭୁବନେଶ୍ୱର ପାଇଁ ଲଜ୍ଜ୍ୟା ଆଣି ଦେଇଛି । ରାସ୍ତାରେ ଯାଉଥିବା ବାଟୋଇ ମାନେ ପ୍ରସୂତିକୁ ଦେଖିବା ପରେ ମଧ୍ୟ ନ ଦେଖିବା ପରି ବାଟ କାଟି ଚାଲି ଯାଉଥିଲେ । ରାଜରାସ୍ତାରେ ଜଣେ ମହିଳା ଅସହ୍ୟ ପ୍ରସବ ବେଦନାରେ ଛଟପଟ ହେଲେ ମଧ୍ୟ କେହି ତାଙ୍କୁ ସହାୟତା ପାଇଁ ଆଗେଇ ଆସିଲେ ନାହିଁ । କେବଳ ରାଜଧାନୀ ମଣିଷ ନୁହେଁ ଆମ୍ବୁଲାନ୍ସ ମଧ୍ୟ ଧୋକା ଦେଲା । ବାରମ୍ବାର ଫୋନ କଲେ ବି ନିକଟରେ ପହଁଚିଲାନି ୧୦୨ କି ୧୦୮ ଆମ୍ଭୁଲାନ୍ସ । ଶେଷରେ ରାଜଧାନୀର ଛାତି କୁହାଯାଉଥିବା ମାଷ୍ଟରକ୍ୟାଂଟିନ ଛକ ନିକଟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ପ୍ରସୂତୀ । ଆଉ ପ୍ରସବ ହେବାର ପ୍ରାୟ ଘଂଟାଏ ପରେ ୧୦୮ ଆମ୍ବୁଲାନ୍ସ ପହଁଚି ମାଆ ଓ ପିଲାକୁ କ୍ୟାପିଟାଲ ହସ୍ପିଟାଲକୁ ନେଇ ଭର୍ତି କରାଯାଇଛି । ।

ଶୁକ୍ରବାର ପାଖାପାଖି ରାତି ୧୦ଟା ବେଳେ ମାଷ୍ଟରକ୍ୟାଂଟିନ ଛକ ନିକଟରେ ଯାଉଥିବାବେଳେ ହଠାତ୍ ମହିଳା ଜଣଙ୍କର ଆରମ୍ଭ ହୋଇଥିଲା ଗର୍ଭ ଯନ୍ତ୍ରଣା । ଅସହ୍ୟ ପ୍ରସବ ବେଦନାରେ ଛଟପଟ ହୋଇଥିଲେ  ମହିଳା । ଏହା ଦେଖି ନିକଟରେ ଥିବା କିଛି ଲୋକ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ପହଁଚି ନଥିଲା ଆମ୍ବୁଲାନ୍ସ । ବାସ୍ ଏତିକିରେ କର୍ତବ୍ୟ ସାରିଦେଇଥିଲେ ପାଖରେ ଥିବା କିଛି ରାଜଧାନୀବାସୀ । । ଓଲଟା ମହିଳା ଓ ତାଙ୍କ ପାଖରେ ଥିବା ଅପାଠୁଆ ସ୍ୱାମୀକୁ ଏଣୁତେଣୁ ପ୍ରଶ୍ନ କରିଥିଲେ କିନ୍ତୁ ହସ୍ପିଟାଲ ନେବାର ବ୍ୟବସ୍ଥା କରିନଥିଲେ । ସବୁଠୁ ବଡ କଥା ହେଉଛି ଆମ୍ବୁଲାନ୍ସ ପହଁଚି ନଥିବା କଥାକୁ ସ୍ୱୀକାର କରିଛନ୍ତି କ୍ୟାପିଟାଲ ହସ୍ପିଟାଲ କତୁପକ୍ଷ ।

ଏହି ଘଟଣା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପାରିବା ପଣିଆ ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି ଯଦି ରାଜଧାନୀର ଚିତ୍ର ଏଭଳି ଦୟନୀୟ ତେବେ କେତେ ସାଂଘାତିକ ହୋଇଥିବ ଉପାନ୍ତର ଅଂଚଳର ଅବସ୍ଥା?