୫ମିନିଟ ବିଳମ୍ବ ପାଇଁ ଦଣ୍ଡ ! ୬ ବର୍ଷ ହେବ ବିନା ଦରମାରେ ଚାକିରି କରୁଛନ୍ତି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ

103

କନକ ବ୍ୟୁରୋ : ଏ ରାଜ୍ୟ ସରକାର କିଭଳି ନିଜର ଅଧିନସ୍ତ କର୍ମଚାରୀ ମାନଙ୍କ ଉପରେ ଦାଉ ସାଧୁଛନ୍ତି ତାହାର ଅସଲ ଚେହେରା ବର୍ତମାନ ସାମ୍ନାକୁ ଆସିଛି । ୫ ମିନିଟ ସ୍କୁଲକୁ ବିଳମ୍ବରେ ପହଚିଂବା ରୁ ୬ ବର୍ଷ ହେଲାଣି ଶିକ୍ଷୟତ୍ରୀଙ୍କୁ ମିଳୁନି ଦରମା । କେବଳ ଏତିକି ନୁହେଁ ବରିଷ୍ଠ ଅଧିକାରୀଙ୍କ ଠାରୁ ନିନ୍ଦନୀୟ ଭାଷା ଶୁଣି ମାନସିକ ଭାବେ ମଧ୍ୟ ଅସହାୟ ହୋଇପଡିଛନ୍ତି ଶିକ୍ଷୟତ୍ରୀ ଜଣଙ୍କ । କେବଳ କାରଣ ଦର୍ଶାଅ ନୋଟିସ ଜାରି କରି ଏହିଭଳି ଶୋଷଣ କରାଯାଉଛି । ଏହି ୬ ବର୍ଷ ମଧ୍ୟରେ ପ୍ରୋମୋସନ ମଧ୍ୟ ପାଇଛନ୍ତି ହେଲେ ଦରମା ମିଳୁନାହିଁ ।

ସୁନ୍ଦରଗଡ ଜିଲ୍ଲା ସରଡେଗା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରୀତିପ୍ରଭା ପଟେଲ । ବିନା ଦରମାରେ ୬ ବର୍ଷ ହେବ ଶିକ୍ଷୟିତ୍ରୀ ଜଣକ ଜାରି ରଖିଛନ୍ତି ନିଜର ଶିକ୍ଷାଦାନ । ଭୁଲ ଥିଲା ଏତିକି । ୫ ମିନିଟ ବିଳମ୍ବରେ ପହଚିଂଥିଲେ ସ୍କୁଲ । ଆଉ ସେଦିନ ସ୍କୁଲ ପରିଦର୍ଶନରେ ଆସିଥିଲେ ତତ୍କାଳୀନ ଶିକ୍ଷା ସଚିବ ତଥା କମିଶନର ଅପରାଜିତା ଷଡ଼ଙ୍ଗୀ । ଖଣି ଅଂଚଳ ଯୋଗୁଁ ଜାମ୍ ରେ ଫସିଯାଇଥିବା ଶିକ୍ଷୟିତ୍ରୀ ନିଜର ଅସୁବିଧା ଜଣାଇବା ସହ ଗୁହାରୀ କରିଥିଲେ । କିନ୍ତୁ କେହି ତାଙ୍କ କଥା ଶୁଣିନଥିଲେ । ବିନା ନୋଟିସରେ ତାଙ୍କର ଦରମା ବନ୍ଦ କରିଦିଆଗଲା । ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାଶିକ୍ଷା ଅଧିକାରୀ, ଜିଲ୍ଲାପାଳ ଓ ରାଜ୍ୟ ଶିକ୍ଷା ବିଭାଗ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ ତାଙ୍କର ଦୁଃଖ କେହି ଶୁଣିନଥିଲେ ।

ଏହା ମଧ୍ୟରେ ପ୍ରତିପ୍ରଭା ପଟେଲଙ୍କୁ ପଦୋନ୍ନତି କରାଯାଇ ପ୍ରଧାନ ଶିକ୍ଷୟତ୍ରୀ କରାଗଲା । କିନ୍ତୁ ଦରମା ମିଳିଲାନି । ୬ ବର୍ଷ ହେବ ଦରମା ନମିଳିବାରୁ ପରିବାରର ଆର୍ଥିକ ସ୍ଥିତି ଠାରୁ ଆରମ୍ଭ କରି ତାଙ୍କର ମାନସିକ ସ୍ଥିତି ଦୋହଲାଇ ଯାଇଥିବା କହଛନ୍ତି ଶିକ୍ଷୟତ୍ରୀ । ଜିଲ୍ଲା ଶିକ୍ଷା ଅଧିକାରୀ ଏହି ଘଟଣାକୁ ସ୍ୱୀକାର କରିବା ସହିତ ବ୍ଲକ ଶିକ୍ଷା ଅଧିକାରୀଙ୍କ ଭୁଲ ଯୋଗୁଁ ଏଭଳି ଘଟଣା ଘଟିଥିବା କହିଛନ୍ତି ।

ଏହା କେବଳ ଶିକ୍ଷା ବିଭାଗର ଅବହେଳା ନୁହେଁ ଖାମିଖିଆଲ ନୀତିର ଏକ ଜ୍ୱଳନ୍ତ ଉଦାହରଣ । ସାମାନ୍ୟ ଭୁଲ ପାଇଁ ଏତେ ବଡ ଦଣ୍ଡ ପରେ ବି ହାରିଯାଇନାହାଁନ୍ତି ଶିକ୍ଷୟତ୍ରୀ ଜଣକ । ଏବେ ବି ଜାରି ରଖିଛନ୍ତି ସଂଘର୍ଷ ।