ଆଜିଠାରୁ ରାଜଧାନୀରେ ଆରମ୍ଭ ହେବ ମୋ ବସ୍ ସେବା । ଗଡିବ ଶହେଟି ନୂଆ ବସ୍, ବସରେ ଅଛି ୱାଇଫାଇ ବ୍ୟବସ୍ଥା

ଭିଡକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘ମୋ ବସ’ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି

240

କନକ ବ୍ୟୁରୋ : ଓଡିଶାରେ ଖେଳାଯିବାକୁ ଥିବା ହକି ବିଶ୍ୱ କପ ପାଇଁ ରାଜ୍ୟ ସରକାର ଅନେକ କାମ ହାତକୁ ନେଇଛନ୍ତି । ତେବେ ଖେଳ ଦେଖିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଜନାସମାଗମ ହେବ । ତେବେ ଭିଡକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘ମୋ ବସ’ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ମିଳିଥିବାବ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ଣ ୧୧ଟା ବେଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଛକରେ ଏହାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସମ୍ପୂର୍ଣ୍ଣ ନୂତନ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏହି ବସଗୁଡିକ ଯାତ୍ରୀମାନଙ୍କୁ କଟକ, ଭୁବନେଶ୍ୱର ଓ ପୁରୀକୁ ସେବା ଯୋଗାଇ ଦେବ ।

 

ତେବେ ମୋଟ ୨୦୦ ବସ ଏହି ଯୋଜନାରେ ସାମିଲ ହୋଇଥିବା ସମୟରେ ପ୍ରଥମ ପର୍ଯ୍ୟାୟରେ ମୋଟ ୮ ଟି ରୁଟରେ ୧୦୦ ଟି ବସ ଚଳାଚଳ କରିବ ବୋଲି ସୂଚନା ମିଳିଛି । ପ୍ରତି ୧୦ ମିନିଟରେ ଏହି ବସ ମାଧ୍ୟମରେ ଲୋକମାନେ ଯାତାୟତ କରିବାର ସୁବିଧା ପାଇବେ । ସିଟିବସ ବଦଳରେ ଏହି ବସ ଚଳାଚଳ କରିବା କାରଣରୁ ଲୋକମାନେ ବେଶ ଉପକୃତ ହେବେ ବୋଲି ସରକାର ଆଶା ରଖିଛନ୍ତି ।