ଗାନ୍ଧୀ ଜୟନ୍ତୀରେ ହେବ କି ‘ମଦ ମୁକ୍ତ’ ଓଡିଶାର ଘୋଷଣା? ପୂରଣ ହେବ କି ରାଜ୍ୟବାସୀଙ୍କ ଦୀର୍ଘଦିନର ଦାବି

396

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ରାଜ୍ୟର ୫ଟି ମହାନଗର ନିଗମ ଓ ପୁରୀରୁ ଆରମ୍ଭ ହେବ ପ୍ଲାଷ୍ଟିକ ମୁକ୍ତ ଅଭିଯାନ । ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଏବଂ ପର୍ଯ୍ୟଟନ କ୍ଷେତ୍ର ପୁରୀ ଅଞ୍ଚଳରେ ବ୍ୟାନ ହେବ ପ୍ଲାଷ୍ଟିକ । ଏଥିପାଇଁ ପୂର୍ବରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଏହାଛଡା ଆସନ୍ତାକାଲି ଗାନ୍ଧୀ ଜୟନ୍ତୀରେ ଏକ ବଡ ଘୋଷଣା ମଧ୍ୟ କରିପାରନ୍ତି ସରକାର । ପୂରା ରାଜ୍ୟକୁ ସରକାର ନିଶାମୁକ୍ତ କରିବାକୁ ଘୋଷଣା କରିପାରନ୍ତି । କାରଣ ସରକାରଙ୍କ ନିକଟରେ ରାଜ୍ୟବାସୀ ଦୀର୍ଘଦିନ ଧରି ଏହି ଦାବି କରି ଆସୁଛନ୍ତି ।

protest against liquorନିଶାମୁକ୍ତ ଓଡିଶା ପାଇଁ ବିଭିନ୍ନ ସଙ୍ଗଠନ ଗୁଡିକ ଏକାଠି ହୋଇ ଆଲୋଚନା କରିଛନ୍ତି । ଆସନ୍ତାକାଲି ଓଡ଼ିଶା ମଦମୁକ୍ତି ଅଭିଯାନ ପକ୍ଷରୁ ରାଜ୍ୟର ପ୍ରାୟ ୨୦୦ରୁ ଅଧିକ ସ୍ଥାନରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତି ତଳେ ଧାରଣା ଦିଆଯିବ ବୋଲି ସୂଚନା ରହିଛି । ଗୋଟିଏ ପଟେ ରାଜ୍ୟ ସରକାର ୨୦୧୮ ଅକ୍ଟୋବର ୨ ତାରିଖରୁ ୨୦୨୦ ଅକ୍ଟୋବର ୨ ପର‌୍ୟ୍ୟନ୍ତ ଦୀର୍ଘ ଦୁଇ ବର୍ଷ ଧରି ୧୫୦ତମ ଜନ୍ମବାର୍ଷିକୀ ପାଳନ କରିବାକୁ ସଂକଳ୍ପ ନେଇଛନ୍ତି। କସ୍ତୁରବାଙ୍କ ନାମରେ ଆଦର୍ଶ ଗ୍ରାମ ପ୍ରତିଷ୍ଠା ଲାଗି ପ୍ରସ୍ତାବ ରଖିଛନ୍ତି। ଆଉ ଏଭଳି ସମୟରେ ମହାତ୍ମା ଗାନ୍ଧୀଙ୍କ ନିଶାମୁକ୍ତ ଭାରତ ସ୍ଲୋଗାନକୁ କାର୍ଯ୍ୟକାରୀ କରିବାକୁ ଦଳମତ ନିର୍ବିଶେଷରେ ରାଜନେତା, ବୁଦ୍ଧିଜୀବୀ ମାନେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଏହା ଉପରେ ପଦକ୍ଷେପ ନେବାକୁ ସରକାରଙ୍କ ଉପରେ ଚାପ ପକାଇଲେଣି ।

liquorସୂଚନା ଅନୁଯାୟୀ, ୨୦୦୦ ମସିହା ବେଳକୁ ଓଡ଼ିଶାରେ ଅବକାରୀ ରାଜସ୍ୱ ପରିମାଣ ୧୩୫ କୋଟି ଟଙ୍କା ଥିଲା। ତେବେ ୨୦୧୮ରେ ସରକାର ପାଖାପାଖି ୪୦୦୦ କୋଟି ଟଙ୍କାର ଅବକାରୀ ରାଜସ୍ୱ ସ˚ଗ୍ରହ ପାଇଁ ଲକ୍ଷ୍ୟ ରଖିଛନ୍ତି। ସରକାରୀ ତଥ୍ୟ କହୁଛି, ରାଜ୍ୟରେ ସମୁଦାୟ ୪୦୭୪ ସ୍ୱୀକୃତିପ୍ରାପ୍ତ ଅବକାରୀ ଦୋକାନ ରହିଛି। ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜ୍ୟ ରାଜପଥ ପାର୍ଶ୍ବରେ ଥିବା ୧୨୪୦ଟି ମଦ ଦୋକାନ ବନ୍ଦ କରାଯାଇଥିଲା। ଏ ମଧ୍ୟରେ ବନ୍ଦ ହୋଇଥିବା ଦୋକାନଗୁଡ଼ିକ ମଧ୍ୟରୁ ସିଂହଭାଗକୁ ସ୍ଥାନାନ୍ତର କରାଯାଇସାରିଲାଣି। ରାଜପଥ କଡ଼ରୁ ଦୋକାନ ହଟିଥିଲେ ବି ଅବକାରୀ ରାଜସ୍ୱ କିନ୍ତୁ କମି ନାହିଁ। ଏପରିକି ମଦ ମୁକ୍ତ ଗ୍ରାମ ପ୍ରତିଷ୍ଠା ଲାଗି ସରକାର ଘୋଷଣା କରିବାର ୬ ବର୍ଷ ପରେ ମଧ୍ୟ ଏଯାବତ ଗୋଟିଏ ମଧ୍ୟ ଗ୍ରାମକୁ ନିଶାମୁକ୍ତ କରାଯାଇପାରି ନାହିଁ ।

ଆଉ ଏସବୁ ଭିତରେ ରାଜ୍ୟରେ ନିଶା କାରବାରକୁ ରୋକିବା ଲାଗି ବିଭିନ୍ନ ଜିଲ୍ଲାରେ ମହିଳାମାନେ ସ˚କଳ୍ପବଦ୍ଧ ହୋଇ ଉଦ୍ୟମ ଆରମ୍ଭ କରିଛନ୍ତି। ମଦ ବିରୋଧରେ ଜନ ଆନ୍ଦୋଳନ ମୁଣ୍ତ ଟେକିବାରେ ଲାଗିଛି। ଏହି ଆନ୍ଦୋଳନକୁ ସମର୍ଥନ କରିବା ପରିବର୍ତେ ପୁଲିସ, ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ବିଭାଗ ଏହାକୁ ଫୁସକାଇବା ଲାଗି ଉଗ୍ର ଷଡ୍ୟନ୍ତ୍ର କରୁଥିବା କାରଣରୁ ଆଇନଶୃଙ୍ଖଳା ମଧ୍ୟ ବିଗିଡିବା ଆରମ୍ଭ କଲାଣି। କେନ୍ଦ୍ରାପଡ଼ା ନମତରାରେ ଗୁଳିକାଣ୍ତ ଠାରୁ ଆରମ୍ଭ କରି ନିତିଦିନ ଏଭଳି ଅନେକ ଉଦାହରଣ ସରକାରଙ୍କୁ ଅକଳରେ ପକାଉଛି ଓ ବିବାଦ ଭିତରକୁ ଟାଣୁଛି।ତେଣୁ ଗାନ୍ଧି ଜୟନ୍ତୀରେ ନିଶା ମୁକ୍ତ ଓଡିଶାର ଘୋଷଣା କରି ରାଜ୍ୟବାସୀଙ୍କ ଦୀର୍ଘଦିନର ଦାବିକୁ ପୂରଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।