ପାଇକଗଡର ପଲିଟିକ୍ସ । କିଏ ଆଗରେ,କିଏ ପଛରେ?

265

କନକ ବ୍ୟୁରୋ : ବଦଳିଲା ଖୋର୍ଦ୍ଧା ରାଜନୀତି ସମୀକରଣ । ବିଜେପିକୁ ବାଏ ବାଏ କରି ପୁରୁଣାଘରକୁ ଫେରିଛନ୍ତି ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋର୍ତିନ୍ଦ୍ର ନାଥ ମିତ୍ର । ଆଉ ଜ୍ୟୋତି ମିତ୍ର ଘରବାହୁଡା ପରେ ଖୋର୍ଦ୍ଧାରେ ବିଜେଡିରୁ କିଏ ବିଧାୟକ ପ୍ରାର୍ଥୀ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜ୍ୟୋତି ମିତ୍ର ନା ଏବେ ବିଧାୟକ ଥିବା ରାଜେନ୍ଦ୍ର ସାହୁ ? କାହାକୁ ଭରସା କରିବେ ବିଜେଡି ସୁପ୍ରିମୋ ।

ବିଜେପି ଛାଡି ବିଜେଡିରେ ମିଶିବା ପରେ ଜ୍ୟୋତି ନିଜର ଟିକେଟକୁ ନେଇ ଦୃଢ ଆଶାବାଦୀ ଅଛନ୍ତି । ଏପରିକି ବିଜେଡି ଏବେ ନିଜର ପୁରୁଣା ସାଥୀଙ୍କୁ ଦଳକୁ ଫେରାଇ ଆଣୁଥିବା ବେଳେ ତାଙ୍କ କଥା ଦଳ ମୁଖିଆ ନିଶ୍ଚୟ ବିଚାରକୁ ନେବେ ବୋଲି କହିଛନ୍ତି ଜ୍ୟୋତି । ତେବେ ନିର୍ବାଚନ ଲଢିବା ନେଇ ତାଙ୍କୁ କୌଣସି ଗ୍ରୀନ୍ ସିଗନାଲ ମିଳିନଥିବା ସ୍ପଷ୍ଟ କରିଥିବା ବେଳେ ଏଥର ନିର୍ବାଚନ ନିଶ୍ଚିତ ଭାବେ ଲଢିବେ ବୋଲି ଦମ୍ଭ ଦେଖାଇଛନ୍ତି ଜ୍ୟୋତି । ଯାହା ଖୋର୍ଦ୍ଧା ରାଜନୀତିକୁ ଗୋଳମାଳିଆ କରିଛି । ପୂର୍ବରୁ ଜ୍ୟୋତି ୨୦୦୦ ମସିହାରେ ସ୍ୱାଧୀନ ଭାବେ ଲଢି ବିଜୟୀ ହୋଇଥିଲେ ଏବଂ ପରେ ବିଜେଡିରେ ଯୋଗ ଦେଇଥିଲେ । ଏହାପରେ ୨୦୦୪ରେ ମଧ୍ୟ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ ଜ୍ୟୋତି । ତେବେ ୨୦୦୯ରେ ଟିକେଟ ନ ମିଳିବାରୁ ସ୍ୱାଧୀନ ଭାବେ ଛିଡା ହୋଇଥିଲେ ମଧ୍ୟ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା । ତେବେ ୨୦୧୪ରେ ବିଜେପିରେ ଯୋଗ ଦେଇ ନିର୍ବାଚନ ଲଢିଥିଲେ ମଧ୍ୟ ପଦ୍ମ ଫୁଟାଇବାକୁ ସକ୍ଷମ ହୋଇନଥିଲେ ଜ୍ୟୋତି ।

ଅନ୍ୟପଟରେ ଜ୍ୟୋର୍ତିନ୍ଦ୍ର ବିଜେଡିକୁ ଫେରିବା ପରେ ଏବେ ବିଜେଡି ବିଧାୟକ ଥିବା ରାଜେନ୍ଦ୍ର ସାହୁଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ରାଜେନ୍ଦ୍ର ନିଜ ଟିକେଟକୁ ନେଇ କନଫ୍ୟୁଜନରେ ପଡିଛନ୍ତି । ତେବେ ବିଜେଡି ସୁପ୍ରିମୋଙ୍କ ଉପରେ ଭରସା ଥିବା କହିଛନ୍ତି ରାଜେନ୍ଦ୍ର । ନବୀନ ଯାହା ନିଷ୍ପତି ନେବେ ତାହାକୁ ମାନି ନେବି କହିବା ସହ ଟିକେଟ ମିଳିବା ନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ରାଜେନ୍ଦ୍ର । ଯାହା ଦ୍ୱାରା ଖୋର୍ଦ୍ଧାରେ ବିଜେଡି ଟିକେଟ କାହାକୁ ମିଳିବ ତାହା ପୁଣିଥରେ ସସପେନ୍ସ ଘେରକୁ ଚାଲିଯାଇଛି । ଏହାଛଡା ନବୀନଙ୍କୁ ଭଲ ପାଇ ୨୦୦୯ରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲି ବୋଲି କହି ଇମୋସନାଲ କାର୍ଡ ଖେଳିଛନ୍ତି ରାଜେନ୍ଦ୍ର ।

ବିଜେଡି ବିଧାୟକ ରାଜେନ୍ଦ୍ର ସାହୁ ପୂର୍ବରୁ ୨୦୦୯ରେ ସ୍ୱାଧୀନ ଭାବେ ଲଢି ଜ୍ୟୋତିନ୍ଦ୍ର ମିତ୍ରଙ୍କୁ ମାତ୍ ଦେଇଥିବା ବେଳେ ୨୦୧୪ରେ ବିଜେଡି ଟିକେଟରେ ପୁଣିଥରେ ଜ୍ୟୋତିନ୍ଦ୍ରଙ୍କୁ ପରାଜୟର ସ୍ୱାଦ ଚଖାଇଥିଲେ । ତେବେ ଗତ ଦୁଇଟି ନିର୍ବାଚନରେ ପ୍ରତିଦ୍ୱନ୍ଦୀ ସାଜି ଆସୁଥିବା ଜ୍ୟୋର୍ତିନ୍ଦ୍ର ଶଙ୍ଖ ଶିବିରରେ ଯୋଗ ଦେବା ପରେ ରାଜେନ୍ଦ୍ରଙ୍କ ଟିକେଟ ଉପରେ କଳାବାଦଲ ଢାଙ୍କି ହୋଇପଡିଥିବା ଚର୍ଚ୍ଚା ହେଉଛି । ତେବେ ଜ୍ୟୋର୍ତିନ୍ଦ୍ରଙ୍କୁ ବିଜେଡିରେ ସାମିଲ କରାଇବା ପଛର ଅନ୍ୟ ଏକ କାରଣ ହେଉଛି, ଗତ ୫ ବର୍ଷ ମଧ୍ୟରେ ରାଜେନ୍ଦ୍ରଙ୍କୁ ନେଇ ବିଜେଡି ଶିବିରରେ ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ ଗୋଷ୍ଠୀ ବିବାଦ ବଢି ଚାଲିଛି । ତେଣୁ ଏହି ଗୋଷ୍ଠୀ ବିବାଦକୁ ପ୍ରଶମିତ କରିବାକୁ ଜ୍ୟୋର୍ତିନ୍ଦ୍ରଙ୍କୁ ବିଜେଡିରେ ସାମିଲ କରାଯାଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ସବୁ ବେଳେ ଶେଷ ମୁହୂର୍ତ୍ତରେ କାର୍ଡ ଖୋଲୁଥିବା ନବୀନ ଖୋର୍ଦ୍ଧାରେ କାହାକୁ ଟିକେଟ ଦେବେ ତାହା ଉପରେ ସମସ୍ତଙ୍କର ନଜର ରହିବ ।