ମୋଦିଙ୍କ ସଭାମଞ୍ଚର ଚେୟାର ଦେବ ଇସାରା, ୨୦୧୯ରେ କିଏ ହେବ ବିଜେପିର ଚେହେରା?

992

କନକ ବ୍ୟୁରୋ : ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବର୍ଷ ଶେଷରେ ମୋଦିଙ୍କ ଏହି ଓଡିଶା ଗସ୍ତ ରାଜ୍ୟ ରାଜନୀତି ଉପରେ ବେଶ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । କେବଳ ରାଜ୍ୟ ରାଜନୀତି ନୁହେଁ ଦଳୀୟ ରାଜନୀତି ଖାସକରି ୨୦୧୯ରେ ରାଜ୍ୟରେ ବିଜେପିର ଚେହେରା କିଏ ହେବ ତାହାର ଏକ ସଂକେତ ମିଳିପାରେ । ୨୦୧୯ରେ ରାଜ୍ୟରେ ବିଜେପିର ଫେସ୍ କିଏ ହେବ? କାହା ନେତୃତ୍ୱରେ ଦଳ ନିର୍ବାଚନୀ ମୈଦାନକୁ ଓହ୍ଲାଇବ ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଆସନ୍ତାକାଲି ମଞ୍ଚରେ ପଡିଥିବା ଚେୟାର ହିଁ କହିବ ବିଜେପିରେ ପାୱାରଫୁଲ କିଏ ?

ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ରାଜ୍ୟ ରାଜନୀତିରେ ସେହିଭଳି ବଡଧରଣର ହଲଚଲ ସୃଷ୍ଟି କରିପାରିନାହିଁ । କିନ୍ତୁ ଆସନ୍ତାକାଲି ମୋଦିଙ୍କ ଓଡିଶା ଗସ୍ତ ଦଳୀୟ ରାଜନୀତିର ପାରାକୁ ବଢାଇ ଦେଇପାରେ । ପୂର୍ବରୁ ମୋଦିଙ୍କ ଓଡିଶା ଗସ୍ତ ସମୟରେ ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳୁଥିଲା । ଏହାଛଡା ଜୁଏଲ ଓରାମ, କେ.ଭି ସିଂହଦେଓ, ସମ୍ବିତ ପାତ୍ର, ପ୍ରତାପ ଷଡଙ୍ଗୀଙ୍କ ଭଳି ନେତାଙ୍କ ଚାରିପାଖରେ ଘୂରି ବୁଲୁଥିଲା ବିଜେପିର ରାଜ୍ୟ ରାଜନୀତି । କିନ୍ତୁ ମୋଦିଙ୍କ ପୂର୍ବ ଗସ୍ତ ଓ ଆସନ୍ତାକାଲିର ଗସ୍ତ ମଧ୍ୟରେ ବଡ ଫରକ ରହିଛି । କାରଣ ଏହା ଭିତରେ ଦଳରେ ସାମିଲ ହୋଇଛନ୍ତି ଅପରାଜିତା ଷଡଙ୍ଗୀ । ପ୍ରଶାସିକାରୁ ପଲିଟିସିଆନ ପାଲଟିଥିବା ଅପରାଜିତା ପଦ୍ମ ଧରିବା ପରେ ତୃଣମୂଳସ୍ତରର କର୍ମୀ ୨୦୧୯ ପାଇଁ ତାଙ୍କୁ ବିଜେପିର ଚେହେରା ବୋଲି ଧରି ନେଇଥିବା ଚର୍ଚ୍ଚା ହେଉଛି ।

ନଭେମ୍ବର ୨୭ରେ ଗେରୁଆ ଶିବିରରେ ଅପରାଜିତା ଏଣ୍ଟ୍ରି ମାରିବା ପରେ ରାଜ୍ୟରେ ବିଜେପି ଶିବିରରେ ନୂଆ ମୋଡ ଆସିଛି । ଅପରାଜିତା ପଦ୍ମ ଧରିବା ଠାରୁ ଆରମ୍ଭ କରି ଏବେ ପର୍ଯ୍ୟନ୍ତ ବିଜେପି ରାଜନୀତିକୁ ତର୍ଜମା କଲେ ଗୋଟିଏ କଥା ସାମ୍ନାକୁ ଆସୁଛି । ଗୋଟିଏ ପଟେ ରାଜ୍ୟ ବିଜେପି ଶିବିରରୁ ଧର୍ମେନ୍ଦ୍ରଙ୍କ ପତିଆରା କମୁଥିବା ବେଳେ ଅନ୍ୟପଟେ ଅପରାଜିତାଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଅନ୍ୟପଟେ ଅପରାଜିତା ନିଜକୁ ଦଳର ଜଣେ ସାଧାରଣ କର୍ମୀ ବୋଲି କହୁଛନ୍ତି । ସବୁଠୁ ବଡ କଥା ହେଲା, ଅପରାଜିତାଙ୍କ ବିଜେପିର ଯୋଗଦାନ ପଛରେ ପିଏମଓର ହାତ ଥିବା ଶୁଣିବାକୁ ମିଳୁଛି । ଅଥାର୍ତ ଅପରାଜିତାଙ୍କ ପଛରେ ପିଏମଓର ଆର୍ଶୀବାଦ ରହିଛି । ତେଣୁ ଦଳର ତୃଣମୁଳସ୍ତରର ନେତା ଏବେ ଅନ୍ୟ ହେଭିୱେଟଙ୍କ ଅପେକ୍ଷା ଅପରାଜିତାଙ୍କୁ ଅଧିକ ବିଶ୍ୱାସ କରୁଛନ୍ତି । ଆଉ ଏଭଳି ସମୟରେ ଓଡିଶା ଆସୁଛନ୍ତି ମୋଦି ।

ମୋଦି ଯେଉଁ ବରୁଣେଇ ପାହାଡ ପାଦଦେଶରେ ସଭା କରିବାକୁ ଯାଉଁଛନ୍ତି ତାହା ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ଆସୁଛି । ଆଉ ମୋଦିଙ୍କ ଏହି ସଭାକୁ ମଧ୍ୟ ଅପରାଜିତାଙ୍କ ରାଜନୈତିକ କ୍ୟାରିୟର ସହ ଯୋଡାଯାଉଛି । କାରଣ ଆଗାମୀ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରୁ ଅପରାଜିତା ବିଜେପିରୁ ଲଢିପାରନ୍ତି ବୋଲି ଦଳୀୟ ଅନ୍ଦର ମହଲରେ ଚର୍ଚ୍ଚା ହେଉଛି । ତେଣୁ ମୋଦିଙ୍କ ଏହି ସଭା ଅପରାଜିତାଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଏପରି କୁହାଯାଉଛି ଯେ, ଏହି ଦଳୀୟ ସଭାରେ ଅପରାଜିତାଙ୍କ ବାବଦରେ ଏକ ସ୍ପଷ୍ଟ ସଂକେତ ଦେଇପାରନ୍ତି ମୋଦି । ପ୍ରଶାସନିକ ସେବାକୁ ବାଏ ବାଏ କରି ପଦ୍ମ ପୋଖରୀକୁ ଡେଇଁଥିବା ଅପରାଜିତାଙ୍କ ବାବଦରେ ମୋଦି କେଇପଦ କଥା ପ୍ରଂଶସା କରିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି । ଆଉ ଏହି ପ୍ରଂଶସା କରିବା ଆଳରେ ହୁଏତ କର୍ମୀ ମାନଙ୍କୁ କିଛି ନୂଆ ସଂକେତ ଦେଇପାରନ୍ତି ମୋଦି ।

ଏହାଛଡା ଏହି ସଭାରେ ମଞ୍ଚରେ ପଡିଥିବା ଚେୟାର ମଧ୍ୟ ଅନେକ କଥା କହିବ । ଖାସକରି ମୋଦିଙ୍କ ଦୁଇ ପାଶ୍ୱର୍ରେ ପଡିଥିବା ଚେୟାର ହିଁ ସବୁଠୁ ଅଧିକ ଗୁରୁତ୍ୱବହନ କରିବ । ଚେୟାର ହିଁ କହିବ ବିଜେପିର ଚେହେରା କିଏ ? କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ଓ ଜୁଏଲଙ୍କ ସିଟ୍ ମୋଦିଙ୍କ ପାଖରେ ରହିବ ଏକଥା ସ୍ପଷ୍ଟ । କିନ୍ତୁ ଆଗଧାଡି ଓ ମୋଦିଙ୍କ ପାଖରେ ଯଦି ଅପରାଜିତାଙ୍କୁ ଦେଖିବାକୁ ମିଳେ ତେବେ ଏହା ମାଧ୍ୟମରେ ମଧ୍ୟ କିଛି ନୂଆ ସଂକେତ ଦେଇପାରନ୍ତି ମୋଦି ।

କାରଣ ଅପରାଜିତା ନିଜକୁ ଜଣେ ସାଧାରଣ କର୍ମୀ କହୁଥିବା ବେଳେ ଏଯାଏଁ ଦଳର କୌଣସି ପଦପଦବୀରେ ମଧ୍ୟ ନାହାନ୍ତି । ଏଭଳି ସ୍ଥଳେ ଜଣେ ସାଧାରଣ କର୍ମୀଙ୍କୁ ମଞ୍ଚର ଆଗଧାଡିରେ ଯଦି ଚେୟାର ମିଳେ ହୁଏତ ଅପରାଜିତାଙ୍କୁ ନେଇ ଲାଗି ରହିଥିବା ଚର୍ଚ୍ଚାକୁ ଆହୁରି ଦୃଢୀଭୂତ କରିପାରେ । ଆଉ ଯଦି ଏଭଳି ହୁଏ ତେବେ ତୃଣମୁଳସ୍ତରରେ ଅପରାଜିତାଙ୍କୁ ନେଇ ମଧ୍ୟ ଏକ ଭିନ୍ନ ବାର୍ତ୍ତା ଯିବ । ତେଣୁ ମୋଦି ନିଜ ଗସ୍ତ ସମୟରେ ଓଡିଶାର ଡୋରି କାହାକୁ ଦେବାକୁ ଇଙ୍ଗିତ କରୁଛନ୍ତି ତାହା ଉପରେ ଏବେ ରାଜ୍ୟବାସୀଙ୍କ ନଜର ରହିଛି ।