କିଏ ହେବ ମୁଖ୍ୟମନ୍ତ୍ରୀ ? ଗୁଜରାଟରେ ବିଜେପିର ବିଜୟ ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା

63

କନକ ବ୍ୟୁରୋ: ଗୁଜରାଟରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିବା ପରେ ଏବେ ସମସ୍ତଙ୍କ ନଜର କିଏ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ନଜର ଏବେ ବିଜୟ ରୂପାନୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନା ଶୀର୍ଷ ନେତୃତ୍ୱ ଆଉ କାହାକୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବେ । ଗୋଟିଏ ପକ୍ଷରେ କହିବାକୁ ଗଲେ ଏହି ନିର୍ବାଚନ ବିଜୟ ରୂପାନୀଙ୍କ ପାଇଁ ଏସିଡଟେଷ୍ଟ ଥିଲା । ୧୫୦ ଆସନ ଦଖଲ କରିବାକୁ ଲକ୍ଷ୍ୟ ରଖିଥିବା ବିଜେପିକୁ ମିଳିବ ମାତ୍ର ୯୯ ଆସନ । ତେଣୁ ବିଜୟ ରୁପାନୀଙ୍କ ପଦ ପ୍ରତି ବିପଦ ସୃଷ୍ଟି ହୋଇଛି ।

ମିଳିଥିବା ଖବର ଅନୁସାରେ, ଗୁଜରାଟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ୪ ଜଣ ରେସରେ ଅଛନ୍ତି । ସେମାନେ ହେଲେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ଓ ପଟିଦାର ନେତା ତଥା କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା । କୁହାଯାଉଛି ଡ୍ୟାମେଜ କଂଟ୍ରେଲ ପାଇଁ ପଟିଦାର ନେତାଙ୍କୁ ରାଜ୍ୟର ନେତୃତ୍ୱ ଦିଆଯାଇପାରେ । ଆଉ ଏହାକୁ ଦେଖିଲେ ରେସରେ ଅଛନ୍ତି ପଟିଦାର ନେତା ତଥା କେନ୍ଦ୍ରମନ୍ତ୍ରୀ ପୁରୁଷୋତମ ରୁପାଲା । ସୌରାଷ୍ଟ୍ରର ଆମରୋଲି ଅଂଚଳରୁ ଆସିଥିବା ରୂପାଲା ଏବେ ରାଜ୍ୟସଭା ସାଂସଦ ଅଛନ୍ତି । ତାଙ୍କର ଭଲ ଅନୁଭବ ବି ରହିଛି । ସେହିଭଳି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବି ରେସରେ ଆଗରେ ଅଛନ୍ତି । ଯଦିଓ ସେ ଏଥିପାଇଁ ମନାକରିଛନ୍ତି , କିନ୍ତୁ ମୋଦିଙ୍କ ପ୍ରଥମ ପସନ୍ଦ ବୋଲି କୁହାଯାଉଛି । ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କୁ ବି ଏହି ପଦ ମିଳିପାରେ । ତାଙ୍କର ବି ଭଲ ସାଙ୍ଗଠନିକ ଦକ୍ଷତା ରହିଛି ।

ସେପଟେ ହିମାଚଳ ପ୍ରଦେଶରେ ବି ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ସସପେନ୍ସ ଜାରି ରହିଛି । ୫ ବର୍ଷ ପରେ ହିମାଚଳରେ ବିଜେପି କ୍ଷମତାକୁ ଫେରିଛି । ହେଲେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରେମ କୁମାର ଧୁମଲ ନିର୍ବାଚନ ହାରିଯାଇଛନ୍ତି । ତେଣୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଉତ୍କଣ୍ଠା ବଢିଯାଇଛି । ରେସ ଦୁଇଜଣ ଥିବା ଚର୍ଚ୍ଚା ହେଉଛିା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଓ ଦଳର ବରିଷ୍ଠ ନେତା ଜୟରାମ ଠାକୁର ଏଥିପାଇଁ ରେସରେ ଥିବା କୁହାଯାଉଛି । ତେବେ ରେସରେ ଆଗରେ ଅଛନ୍ତି ଜୟରାମ ଠାକୁର । କୌଣସି ରାଜପୁତ ନେତାଙ୍କୁ ଏ କ୍ଷେତ୍ରରେ ବିଚାରକୁ ନିଆଗଲେ ଜୟରାମ ଠାକୁର ହିଁ ପ୍ରଥମ ଚୟନ ହେବ । ଜୟରାମ ଠାକୁର ୫ ଥର ବିଧାୟକ ରହିଲେଣି । ସେହିଭଳି ଜେ.ପି ନଡ୍ଡା ବି ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି । କେନ୍ଦ୍ରୀୟ ନେତୃତ୍ୱ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ରହିଛି ।