କନକ ବ୍ୟୁରୋ : ରାଜ୍ୟରେ ଏବେ ନିର୍ବାଚନ ଝାଞ୍ଜି ପବନ ବହିବା ଆରମ୍ଭ ହେଲାଣି । ନିର୍ବାଚନ ଘୋଷଣାକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ରାଜ୍ୟର ୩ ପ୍ରମୁଖ ଦଳ ମୈଦାନକୁ ଓହ୍ଲାଇବାକୁ ଶେଷ ପ୍ରସ୍ତୁତି ଚଳାଇଛନ୍ତି । ୩ ପ୍ରମୁଖ ଦଳର ଦଳପତି ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି କର୍ମୀଙ୍କ ମନରେ ଜୋଶ ଭରିବା ସହ ସଙ୍ଗଠନକୁ ସଦୃଢ କରିବାରେ ଲାଗିଛନ୍ତି । ଏହିକ୍ରମରେ ଆଜି ରାହୁଲ କୋରାପୁଟର ଜୟପୁର ଗସ୍ତରେ ଆସି ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ମହିଳାଙ୍କ ପାଇଁ କଣ କରିବ ସେନେଇ ବଡ ବଡ ପ୍ରତିଶୃତି ଦେଇଛନ୍ତି । ଯାହା ଦର୍ଶାଉଛି ନିର୍ବାଚନ ଜିତିବା ପାଇଁ ରାହୁଲଙ୍କ ଫୋକସରେ ରହିଛନ୍ତି ମହିଳା । କେବଳ ରାହୁଲ ନୁହେଁ ନବୀନଙ୍କ ଫୋକସରେ ମଧ୍ୟ ମହିଳା ରହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଜୟପୁର ଗସ୍ତରେ ଆସି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇ ନବୀନ ସରକାରଙ୍କୁ ଟାର୍ଗେଟ କରିବା ସହ ରାଜ୍ୟବାସୀଙ୍କ ମନ ଜିଣିବା ପାଇଁ ସୁନେଲୀ ସ୍ୱପ୍ନ ଦେଖାଇବାକୁ ଭୁଲିନାହାନ୍ତି । ଏହାଛଡା ମହିଳା ଦିବସରେ ରାଜ୍ୟର ମହିଳା ମାନଙ୍କ ପାଇଁ ପ୍ରତିଶୃତିର ପାହାଡ ଛିଡା କରିଛନ୍ତି ରାହୁଲ । ମହିଳାଙ୍କୁ ଖୁସ୍ କରିବାକୁ ଯାଇ ରାହୁଲ କହିଛନ୍ତି, ଯଦି ରାଜ୍ୟରେ କଂଗ୍ରେସ ସରକାର ଗଢେ ତେବେ ପ୍ରତ୍ୟେକ ମହିଳାଙ୍କୁ ମାଗଣା ଶିକ୍ଷା ଦିଆଯିବା ସହ ଗରିବ ଝିଅର ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏପରିକି ବିଧବା ମହିଳା ମାନଙ୍କୁ ପେନସନ ଅର୍ଥ ୨ ହଜାର ଟଙ୍କାକୁ ବୃଦ୍ଧି କରାଯିବା ସହ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଶୁଣିବା ସହ ନ୍ୟାୟ ଦେବାକୁ ପ୍ରତି ପଞ୍ଚାୟତରେ ଜଣେ ସ୍ୱତନ୍ତ୍ର ଅଫିସର ନିଯୁକ୍ତ କରାଯିବ ବୋଲି କହିଛନ୍ତି ରାହୁଲ । ଏହାସହ ଛୋଟ ବ୍ୟବସାୟ କରୁଥିବା ମହିଳାଙ୍କ ପାଇଁ ଫାଇନାନ୍ସିଆଲ କର୍ପୋରେସନ ଗଠନ କରାଯିବା ନେଇ ସ୍ୱପ୍ନ ଦେଖାଇଛନ୍ତି ରାହୁଲ । ନିର୍ବାଚନ ପୂର୍ବରୁ ମହିଳା କାର୍ଡ ଖେଳି ଭୋଟ ହାତେଇବାକୁ ରାହୁଲ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି ।
ତେବେ ରାହୁଲଙ୍କ ଘୋଷଣା ପୂର୍ବରୁ ନବୀନଙ୍କ ଫୋକସରେ ରହି ଆସିଛନ୍ତି ମହିଳା । ମହିଳାଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଥିବା ବେଳେ ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଉଥିବା ପ୍ରମାଣିତ କରିଛନ୍ତି । ଏସଏଚଜିଙ୍କୁ ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବାକୁ ନବୀନ ସରକାର ଘୋଷଣା କରିଥିବା ବେଳେ ବ୍ଲକସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଓ ଡିଜିଟାଲ ସଶକ୍ତୀକରଣ ପାଇଁ ସହାୟତା ଦିଆଯିବା ସହ ରାଜ୍ୟର ୭୦ ଲକ୍ଷ ମହିଳାଙ୍କୁ ଏସଏଚଜି ମାଧ୍ୟମରେ ଆତ୍ମନିର୍ଭରଶୀଳ କରିଥିବା ରାଜ୍ୟ ସରକାର କହି ଆସୁଛନ୍ତି । ସେହିଭଳି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ଅତିରିକ୍ତ ୨ ଲକ୍ଷ ଟଙ୍କାର ସୁବିଧା, ବିଧାନସଭା, ଲୋକସଭାରେ ୩୩% ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବାକୁ ୨୨ଟି ରାଜନୈତିକ ଦଳକୁ ଚିଠି ଲେଖି ମହିଳାଙ୍କୁ ହକ୍ ଦେବା ପାଇଁ ଲଢେଇ ଜାରି ରଖିଥିବା ସଂକେତ ଦେଇଛନ୍ତି ନବୀନ । ଏହାଛଡା ସଶକ୍ତ ମହିଳା, ସୁଦୃଢ ଓଡିଶା ଆହ୍ୱାନ ଦେଇ ନବୀନ ସରକାର ଆଗକୁ ବଢୁଛନ୍ତି ।
ତେବେ ମହିଳାଙ୍କ ଉପରେ କାହିଁକି ଫୋକସ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏହା ପଛର ମୁଖ୍ୟ କାରଣ ହେଉଛି ମହିଳା ଭୋଟବ୍ୟାଙ୍କ । ମହିଳା ଭୋଟବ୍ୟାଙ୍କ ହିଁ ଆଗାମୀ ନିର୍ବାଚନରେ ନିର୍ଣ୍ଣାୟକ ସାଜିବ । ଅଥାର୍ତ ଯିଏ ମହିଳାଙ୍କ ମନ ଜିଣିପାରିଲା ସେହି ଦଳ ହିଁ ବିଜୟ ବାନା ଉଡାଇବ । ଏଭଳି କହିବା ପଛର କାରଣ ହେଉଛି, ରାଜ୍ୟରେ ୧ କୋଟି ୫୪ ଲକ୍ଷ ୬୦ ହଜାର ୫୪୫ ଜଣ ମହିଳା ଭୋଟର ରହିଛନ୍ତି । ଯାହା ମୋଟ ଭୋଟରଙ୍କ ୪୮.୬୨ ପ୍ରତିଶତ । ତେଣୁ ମହିଳା ଆଗାମୀ ନିର୍ବାଚନରେ ଗେମଚେଞ୍ଜର ସାଜିପାରନ୍ତି । ଯଦି ୨୦୧୪ ନିର୍ବାଚନ କଥା କହିବା ତେବେ ଅଧିକାଂଶ ଭୋଟ ଶିବିରକୁ ଯାଇଥିଲା । ଯାହା ବିଜେଡିକୁ ଚତୁର୍ଥ ଥର ପାଇଁ ଶାସନଗାଦିରେ ବସିବାରେ ସାହାଯ୍ୟ କରିଥିଲା ।