ନବ ବିଜେଡିକୁ ଆସିଲେ କିଶୋର କରିବେ କ’ଣ? ଶଙ୍ଖ ଚିହ୍ନରୁ କିଏ ଲଢିବ ୨୦୧୯ ନିର୍ବାଚନ, କେଉଁ ଫର୍ମୁଲା ନେଇ ଆଗଉଛନ୍ତି ବିଜେଡି ସୁପ୍ରିମୋ? 

550

କନକ ବ୍ୟୁରୋ : ଆସନ୍ତା ୨୪ରେ ବିଜେଡିରେ ଯୋଗ ଦେଇ ପାରନ୍ତି କଂଗ୍ରେସ ବିଧାୟକ ନବ ଦାସ । ଏନେଇ ପରୋକ୍ଷରେ ନବ ଇଙ୍ଗିତ କରିବା ପରେ ଜୋର ଧରିଛି ରାଜ୍ୟ ରାଜନୀତି । ପଶ୍ଚିମ ଓଡିଶାର ଟାଣୁଆ କଂଗ୍ରେସ ନେତା ଭାବେ ଜଣାଶୁଣା ନବ ଯଦି ବିଜେଡିରେ ଯୋଗ ଦିଅନ୍ତି ତେବେ ଝାରସୁଗୁଡାର ବିଜେଡି ନେତା ତଥା ନବଙ୍କ ରାଜନୈତିକ ପ୍ରତିଦ୍ୱନ୍ଦୀ କିଶୋର କୁମାର ମହାନ୍ତିଙ୍କ ପଲଟିକାଲ କ୍ୟାରିୟର କେଉଁ ମୋଡ ନେବ ତାହା ହଟ୍ ଟପିକ ଭାବେ ଉଭା ହୋଇଛି । କାରଣ ନବ ଓ କିଶୋର ପରସ୍ପରର ବିରୋଧୀ ଭାବେ ଜଣାଶୁଣା ।

ତେବେ ନବଙ୍କ ବିଜେଡିରେ ଯୋଗ ଦେବା ନେଇ କିଶୋର କହିଛନ୍ତି, ପ୍ରତି ମୁହୂର୍ତ୍ତରେ କଥା ବଦଳାଉଛନ୍ତି ନବ । କଣ ସତ କଣ ମିଛ ତାହା ନବ ହିଁ କହିପାରିବେ । କାରଣ ଗତକାଲି କଂଗ୍ରେସରୁ ଲଢିବି ବୋଲି କହୁଥିବା ବେଳେ ଆଜି ବିଜେଡିରେ ଯୋଗ ଦେବା ନେଇ କହୁଛନ୍ତି । ତେଣୁ କଣ ହେବ ତାହା ଆଗାମୀ ଦିନରେ ଜଣାପଡିବ । ବିଜେଡିକୁ ଉଭୟ କଂଗ୍ରେସ ଓ ବିଜେପିରୁ କେତେ ଲୋକ ଆସୁଛନ୍ତି । ଯଦି ଦଳୀୟ ସୁପ୍ରିମୋ ଓ କର୍ମୀ ଚାହିଁବେ ତେବେ ନବ ଯୋଗଦେବେ । ସେଥିରେ କିଛି ଅସୁବିଧା ନାହିଁ ।

ଯଦି ନବ ବିଜେଡିରେ ସାମିଲ ହୁଅନ୍ତି ତେବେ ୨୦୧୯ରେ କିଏ ଶଙ୍ଖ ଚିହ୍ନରୁ ନିର୍ବାଚନ ଲଢିବ ପ୍ରଶ୍ନର ଉତ୍ତରରେ କିଶୋର କହିଛନ୍ତି ତାହା ସମୟ କହିବ । ପୂର୍ବରୁ ଏହି ଆସନରେ ନବଙ୍କ ବିରୋଧରେ ବିଜେଡି ଟିକେଟରେ ଲଢି ଆସୁଥିଲେ କିଶୋର । ତେଣୁ ନବ ଯଦି ବିଜେଡିରେ ଯୋଗ ଦିଅନ୍ତି ତେବେ କାହାକୁ ୨୦୧୯ରେ ବିଜେଡି ଟିକେଟ ମିଳିବ ତାହାକୁ ନେଇ ସବୁଠୁ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏକଥା ଏଥିପାଇଁ ଉଠୁଛି କାରଣ ଗଣମାଧ୍ୟମକୁ ନବ ଦେଇଥିବା ବୟାନରେ କହିଛନ୍ତି, ୨୦୧୯ରେ ସେ ଶଙ୍ଖ ଚିହ୍ନରେ ଲଢନ୍ତୁ ବୋଲି ଝାରସୁଗୁଡା ବାସୀ ଚାହୁଁଛନ୍ତି । ଆଉ ଏଭଳି କହି ସେ ପରୋକ୍ଷରେ ଆଗାମୀ ନିର୍ବାଚନରେ ବିଜେଡି ଟିକେଟରୁ ଲଢିବେ ବୋଲି କର୍ମୀ ମାନଙ୍କୁ ସଂକେତ ଦେଇଛନ୍ତି ।

ନବଙ୍କ ଯୋଗଦାନ ପରେ କିଶୋରଙ୍କ ରାଜନୈତିକ ଭବିଷ୍ୟତ କଣ ହେବ? ନିର୍ବାଚନ ପୂର୍ବରୁ ଅନ୍ୟ ଦଳକୁ ଯିବେ କି କିଶୋର? ଏଭଳି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ କିଶୋର କହିଛନ୍ତି, ଏତେ ଜଲଦି ସେମିତି କିଛି ହେବାର ନାହିଁ । ଦଳ ତିଆରି ହେବା ଠାରୁ ମୁଁ ଦଳରେ ଅଛି, ଦଳରେ ଯେତେବେଳେ ଝଣ୍ଡା ଉଠାଇବାକୁ କେହି ନଥିଲେ ସେତେବେଳେ ଝଣ୍ଡା ଉଠାଇ ଜେଲ ଯାଇଛି । ୧୯୮୦ ମସିହାରୁ ଦଳ ସହ ଅଛି ଓ ଦଳ ପ୍ରତି ଆସକ୍ତି ଅଛି । ତେଣୁ ସେମିତି କିଛି ହେବାର ନାହିଁ । ଏହାଛଡା ୨୦୧୯ ନିର୍ବାଚନ ଟିକେଟକୁ ନେଇ କିଶୋର କହିଛନ୍ତି, ନିର୍ବାଚନକୁ ଆହୁରି ବହୁତ ଦିନ ବାକି ଅଛି । ତେଣୁ ସେତେବେଳେ କଣ ହେବ ଦେଖାଯିବ । ଏଭଳି କହି କିଶୋର ବିଜେଡି ଟିକେଟର ପ୍ରମୁଖ ଦାବିଦାର ବୋଲି ଦର୍ଶାଇ ଦେଇଛନ୍ତି । ଏହାଛଡା ନିର୍ବାଚନରେ ପରାସ୍ତ ହେବା ପରେ ମଧ୍ୟ ବିଜେଡି ସୁପ୍ରିମୋଙ୍କ ଗୁଡବୁକରେ ରହି ଆସିଛନ୍ତି କିଶୋର । ଏପରିକି ନିର୍ବାଚନ ପରେ କିଶୋରଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଥଇଥାନ ମଧ୍ୟ କରାଯାଇଛି । ଯାହା ଦର୍ଶାଉଛି ବିଜେଡିରେ କିଶୋରଙ୍କ କାଟତି କେତେ ।

ଯଦି ଝାରସୁଗୁଡା ଆସନ କଥା କହିବା ତେବେ ଗତ ୪ଟି ନିର୍ବାଚନରେ ଝାରସୁଗୁଡା ଆସନ ୨ ଥର ବିଜେଡି ହାତରେ ରହିଥିବା ବେଳେ ୨ ଥର କଂଗ୍ରେସ ହାତରେ ରହିଥିଲା । ୨୦୦୪ରେ ବର୍ତ୍ତମାନର ବିଧାୟକ ନବ ଦାସ , ବିଜେଡି ନେତା କିଶୋର ମହାନ୍ତିଙ୍କ ଠାରୁ ପରାସ୍ତ ହୋଇଥିବା ବେଳେ ୨୦୦୯ ଓ ୨୦୧୪ରେ କିଶୋର ମହାନ୍ତିଙ୍କୁ ହରାଇ ନବ ଦାସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବଡ କଥା ହେଉଛି କିଶୋର ମହାନ୍ତି କେବଳ ବିଜେଡି-ବିଜେପି ମେଂଟ ସମୟରେ ହିଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ଏବେ ନବ ଦାସ ବିଜେଡିରେ ସାମିଲ ହେବା ପରେ ଝାରସୁଗୁଡା ସମେତ ପଶ୍ଚିମ ଓଡିଶାର ସମୀକରଣ ବଦଳିପାରେ ବୋଲି ଅନୁମାନ କରାଯାଉଛି ।

ଏହାଛଡା ଯଦି ନବ ବିଜେଡିରେ ମିଶନ୍ତି ତେବେ ଝାରସୁଗୁଡାବାସୀ ଏକ ଅପୂର୍ବ ଦୃଶ୍ୟ ଦେଖିବାକୁ ପାଇବେ । ଦୀର୍ଘ ୧୫ ବର୍ଷ ଧରି ଦୁଇ ରାଜନୈତିକ ପ୍ରତିଦ୍ୱନ୍ଦୀ ରହି ଆସିଥିବା ନବ ଓ କିଶୋରଙ୍କୁ ଗୋଟିଏ ମଞ୍ଚରେ ପାଖାପାଖି ଆସନରେ ଦେଖିବାକୁ ପାଇବେ ଝାରସୁଗୁଡା ବାସୀ । କିନ୍ତୁ ଏହାକୁ ଉଭୟଙ୍କ ସମର୍ଥକ କେତେ ଗ୍ରହଣ କରିବେ ତାହା ଦେଖିବା ବାକି ରହିଲା । ଆଉ ଏହାଦ୍ୱାରା ପଶ୍ଚିମ ଓଡିଶା ପାଇଁ ବିଜେଡି ଯେଉଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ତାହା ସଫଳ ହେଉଛି କି ନାହିଁ ତାହା ୨୦୧୯ ନିର୍ବାଚନ ପରେ ସ୍ପଷ୍ଟ ହୋଇଯିବ ।