ବର୍ଷା ପାଇଁ ଆଉ ୫/୬ ଦିନ ଅପେକ୍ଷା ! ମରୁଡ଼ି ସ୍ଥିତି ଉପୁଜିବାର ଆଶଙ୍କା

41

କନକ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚଳିତ ସେପ୍ଟେମ୍ବର ମାସରେ ସ୍ୱାଭାବିକ ବୃଷ୍ଟିପାତ ହେବ । ବୃଷ୍ଟିପାତ ହାର ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ପର୍ଯ୍ୟନ୍ତ ରହିବ । କିନ୍ତୁ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅସ୍ତିତ୍ୱ ପ୍ରାୟତଃ ନ ଥିବା ମନେ ହେଉଛି । ଏହାର ସ୍ଥିତି ଅତ୍ୟନ୍ତ ଦୁର୍ବଳ । ସତେ ଯେପରି ଗତ କିଛି ଦିନ ଧରି ନିରୁଦ୍ଦିଷ୍ଟ ହୋଇଯାଇଛି ମୌସୁମୀ ପ୍ରବାହ । ଆକାଶରୁ ବି ଉଭେଇ ଯାଇଛି ମୌସୁମୀ କାଳର ଖଣ୍ଡ ଖଣ୍ଡ ବାଦଲ । ଏହା କେବଳ ଓଡ଼ିଶାରେ ନୁହେଁ, ଦେଶର ଅଧିକାଂଶ ସ୍ଥାନରେ ମୌସୁମୀ ପ୍ରବାହର ଏଭଳି ଦୟନୀୟ ସ୍ଥିତି । ଏଭଳି ସ୍ଥିତି ଜାରି ରହିଲେ ମରୁଡ଼ି କବଳିତ ହେବ ରାଜ୍ୟର ଅନ୍ୟୂନ ୧୦ଟି ବର୍ଷାକ୍ଲିଷ୍ଟ ଜିଲ୍ଲା । ତେବେ ଆଶ୍ୱାସନା ଶୁଣାଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଆଗାମୀ ଦିନରେ ଘଡ଼ଘଡ଼ି ସହିତ କାଁ ଭାଁ ବର୍ଷା ହେବ । ଆଉ ୫/୬ ଦିନ ପରେ ସୃଷ୍ଟି ହେବାକୁ ଥିବା ପାଣିପାଗ ବ୍ୟବସ୍ଥା ଯୋଗୁଁ ରାଜ୍ୟରେ ପୁଣି ଫେରିବ ସ୍ୱାଭାବିକ ବର୍ଷା ।

ରାଜ୍ୟ କୃଷି ବିଭାଗର ଆକଳନ ଅନୁଯାୟୀ, ଜୁନ୍ ୧ରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ କନ୍ଧମାଳ, କେନ୍ଦୁଝର, ବରଗଡ଼, ସୋନପୁର, ନୂଆପଡ଼ା, ଯାଜପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ ଏବଂ ଢେଙ୍କାନାଳ ଆଦି ୧୦ଟି ଜିଲ୍ଲାରେ ବୃଷ୍ଟିପାତ ସ୍ୱାଭାବିକ ପରିମାଣଠାରୁ ୧୯ରୁ ୩୯ ପ୍ରତିଶତ କମ୍ ହୋଇଛି । ଅନ୍ୟପକ୍ଷରେ ଗଜପତି ଏବଂ ଗଂଜାମ ଜିଲ୍ଲାରେ ୧୯ ପ୍ରତିଶତ ଅଧିକ ବୃଷ୍ଟିପାତ ରେକର୍ଡ କରାଯାଇଛି । ୧୮ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ବ୍ଲକଓ୍ଵାରୀ ତଥ୍ୟ ଅନୁଯାୟୀ, ୯୯ଟି ବ୍ଲକରେ ସ୍ୱାଭାବିକ ବୃଷ୍ଟିପାତଠାରୁ ୧୯ରୁ ୫୯ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଛି । ସେଥିମଧ୍ୟରୁ ଢେଙ୍କାନାଳ ଜିଲ୍ଲାର ଓଡ଼ପଡ଼ା ବ୍ଲକରେ ୭୯.୧% ଏବଂ ଅନୁଗୁଳ ଜିଲ୍ଲା କଣିହା ବ୍ଲକରେ ୫୯.୫% କମ୍ ବର୍ଷା ହୋଇଛି । ଅନ୍ୟ ୬୨ଟି ବ୍ଲକରେ ୧୯%ରୁ ଅଧିକ ବୃଷ୍ଟିପାତ ହୋଇଛି । ଜୁନରୁ ଅଗଷ୍ଟ ମଧ୍ୟରେ ମୋଟ ୪୦.୭ ବର୍ଷାଦିନ ରହିଛି । ଜୁନ୍ ମାସରେ ୧୦ଟି ବର୍ଷାଦିନ ଥିବା ବେଳେ ଜୁଲାଇରେ ୧୫.୬ ଏବଂ ଅଗଷ୍ଟରେ ୧୫.୧ ବର୍ଷାଦିନ ରହିଛି ।

ବର୍ଷା କମ୍ ହୋଇଥିବା ୧୦ଟି ଜିଲ୍ଲାରେ କୃଷି କାର୍ଯ୍ୟ ଅନେକାଂଶରେ ବ୍ୟାହତ ହୋଇଛି । ବିଶେଷ କରି ଢିପ ଜମି ବହୁଳ ଜିଲ୍ଲାଗୁଡ଼ିକରେ ବୃଷ୍ଟିପାତର ଅଭାବରୁ ମରୁଡ଼ି ପରିସ୍ଥିତି ଉପୁଜିଲାଣି । ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ପରିମାଣଠାରୁ ୯ ପ୍ରତିଶତ କମ୍ ବର୍ଷା ହୋଇଛି । ଆଗକୁ ପାଖାପାଖି ଆହୁରି ଏକ ସପ୍ତାହ ଧରି ବର୍ଷା ପ୍ରାୟତଃ ହେବ ନାହିଁ ବା କମ୍ ହେବ । ଫଳରେ ଜମିକୁ ଘୋର ଅଭାବ ହେବ ପାଣି । ଏଣୁ ଗଜା ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।

ପାଣିପାଗ କେନ୍ଦ୍ର ସୂଚନା ମୁତାବକ, ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ହୋଇପଡ଼ିଛି । ଦିନରେ ତାତି ବଢ଼ୁଛି । ଗୁଳୁଗୁଳି ବି ଅଧିକ ଅନୁଭୂତ ହେଉଛି । ତାତି ପ୍ରଭାବରେ କାଁ ଭାଁ ବର୍ଷା ହୋଇପାରେ । ତେବେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଅଧିକ । ୫/୬ ଦିନ ପରେ ପାଣିପାଗ ବ୍ୟବସ୍ଥା ବଦଳିବ ଏବଂ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ । ସୂଚନାନୁସାରେ ଗତ ୨୪ ଘଣ୍ଟାରେ ଗୁଣୁପୁରରେ ସର୍ବାଧିକ ୭୦ ମିଲିମିଟର ବର୍ଷା ହୋଇଥିଲା । ଦାନଗଦୀରେ ୫୦ ମି.ମି., ଜଗନ୍ନାଥପ୍ରସାଦରେ ୪୦ ମି.ମି., ଘଟଗାଁ, ଦେବଗଡ଼ରେ ୩୦ ମି.ମି. ବର୍ଷା ହୋଇଥିଲା । ଗତକାଲି ସନ୍ଧ୍ୟା ସୁଦ୍ଧା ଦାରିଙ୍ଗିବାଡ଼ିରେ ୨୯ ମି.ମି. ବର୍ଷା ହୋଇଥିବା ବେଳେ ଭବାନୀପାଟଣାରେ ୧୫ ମି.ମି., ତାଳଚେରରେ ୧୦ ମି.ମି. ବର୍ଷା ହୋଇଛି ।