କାଠୁଆ ଜାଡରେ ଥରୁଛି ଓଡିଶା ! ଆହୁରି ଥଣ୍ଡା ବଢ଼ିବାର ପୂର୍ବାନୁମାନ, ୧୩ଟି ସହରରେ ତାପମାତ୍ରା ୧୦ଡିଗ୍ରୀ ତଳେ

26

କନକ ବ୍ୟୁରୋ: ଶୀତରେ ଥରୁଛି ସାରା ଓଡ଼ିଶା । ୩ ଦିନ ହେଲା ସବୁଠି ପାରଦ ତଳକୁ ଖସିଛି । କୁହୁଡ଼ି ପରିମାଣ ବେଶି ନ ଥିଲେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଦିନ ୧୦ଟା ପର୍ଯ୍ୟନ୍ତ ଲୋକେ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ଅଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥିତି ଜଟିଳ ହୋଇପଡ଼ିଛି । ଲୋକେ ନିଆଁ ଜାଳି ଦିପ୍ରହର ଯାଏ ବସି ରହୁଛନ୍ତି । ଭୋର ସମୟରେ ଅଧିକ ଶୀତ ଅନୁଭୂତ ହେଉଛି । ଏଭଳି ସ୍ଥିତି ଆହୁରି ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ତାପମାତ୍ରା ଆହୁରି ଦୁଇ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ । ଉପକୂଳ ଓଡ଼ିଶାର ଆଉ କେତେକ ସ୍ଥାନରେ ପାରଦ ୧୦ ଡିଗ୍ରି ତଳକୁ ଖସିବ । ଦାରିଙ୍ଗବାଡ଼ି, ଫୁଲବାଣୀରେ ତୁଷାରପାତ ହେବାର ବି ସମ୍ଭବନା ରହିଛି ।

ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ପରି ଜିଲ୍ଲାରେ ପାରଦ ଆହୁରି ହ୍ରାସ ପାଇପାରେ। ବଙ୍ଗୋପସାଗରରେ ଲଘୁଚାପ ହୋଇଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ନାହିଁ । ତେଣୁ ତାପମାତ୍ରାରେ ସେଭଳି ବଡ଼ ଧରଣର ପରିବର୍ତନ ସମ୍ଭବନା କ୍ଷୀଣ । ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ସ୍ଥିତି ଏଭଳି ରହିବା ପରେ କିଛିଟା ପରିବର୍ତନ ହୋଇପାରେ । ଦିନ ସମୟରେ ତାପମାତ୍ରା ଅତିବେଶିରେ ୨୭ ଡିଗ୍ରି ପର୍ଯ୍ୟନ୍ତ ରହିବ । ସନ୍ଧ୍ୟାରୁ ପ୍ରବଳ ଶୀତ ଅନୁଭୂତ ହେବ।

ଗତ ୨୪ ଘଣ୍ଟାରେ ୧୩ଟି ସହର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଫୁଲବାଣୀରେ ୩.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ୪, ସୁନ୍ଦରଗଡ଼ରେ ୭, ହୀରାକୁଦରେ ୭.୨, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୭.୫, କେନ୍ଦୁଝରଗଡ଼ରେ ୭.୯, ସମ୍ବଲପୁରରେ ୮.୮, ସୋନପୁର, ଅନୁଗୁଳ ଓ କୋରାପୁଟରେ ୯, ବାରିପଦାରେ ୯.୨, ବାଲେଶ୍ୱରରେ ୯.୫ ଡିଗ୍ରି ରହିଛି। ବଲାଙ୍ଗିର, ଟିଟିଲାଗଡ଼ ଓ ଢେଙ୍କାନାଳରେ ୧୦ ଡିଗ୍ରି ଲେଖାଏ ରହିଛି । ଭୁବନେଶ୍ୱରରେ ପାରଦ ୧୦.୪ ଡିଗ୍ରିକୁ ଖସି ଆସିଛି। ଆହୁରି ଖସିବାର ସମ୍ଭାବନା ବି ରହିଛି। କଟକ ଓ ଚାନ୍ଦବାଲିରେ ୧୧, ତାଳଚେରରେ ୧୧.୫, ମାଲକାନଗିରିରେ ୧୩, ପୁରୀରେ ୧୪.୩, ଗୋପାଳପୁରରେ ୧୪.୬ ଡିଗ୍ରି ରେକର୍ଡ କରାଯାଇଛି ।