ଜାଡ଼ରୁ ମିଳିବ ଆଶ୍ୱସ୍ତି ! ଉପକୂଳରେ ବଢ଼ିବ ତାପମାତ୍ରା

26

କନକ ବ୍ୟୁରୋ: ଜାଡ଼ରୁ ମିଳିଛି ଆଶ୍ୱସ୍ତି। ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ତାପମାତ୍ରା ୧ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଫଳରେ ରାଜ୍ୟର ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଉପରକୁ ଯାଇଥିବାବେଳେ ଗତକାଲି ମାତ୍ର ୫ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ପୁଣିଥରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରେକର୍ଡ ହୋଇଛି । ଏଥିସହ ଦାରିଙ୍ଗବାଡ଼ି, ହୀରାକୁଦ ଓ ସୁନ୍ଦରଗଡ଼ର ସର୍ବନିମ୍ନ ତାପମାତ୍ରା ୯ ଓ ଭବାନୀପାଟଣାରେ ୯.୫ ଡିଗ୍ରୀ ରେକର୍ଡ କରାଯାଇଛି ।

ଭୁବନେଶ୍ୱର ଓ କଟକ ପରି ସହରର ତାପମାତ୍ରା ଏକ ରୁ ଦୁଇ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ଘନ କୁହୁଡ଼ି ଜାରି ରହିବ। ରାସ୍ତାଘାଟ ଠିକ୍ ଭାବେ ଦୃଶ୍ୟମାନେ ହେବ ନାହିଁ । ଗୋପାଳପୁର, ପୁରୀ, ବାଲେଶ୍ୱର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଖୋର୍ଦ୍ଧା ପରି ସ୍ଥାନରେ ତାପମାତ୍ରା ବଢ଼ିବ ।

କୁହୁଡ଼ି ପଡ଼ିବାକୁ ଥିବାରୁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ଏବେ ସେତେଟା ପରିବର୍ତନ ହେବନି । ୨୭ ତାରିଖ ବେଳକୁ ଗୋଟିଏ ଦୁଇଟି ସ୍ଥାନରେ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।