ପାଲଲହଡ଼ା ବନ୍ଧାଭୂଇଁ ଗାଁରେ ଉତ୍କଟ ଜଳ ସଙ୍କଟ : ନଳକୂପ ଅଚଳ, ସୋଲାର ବୋରୱେଲରେ ଆସୁଥିବା ପାଣି ନିଅଣ୍ଟ

54

କନକ ବ୍ୟୁରୋ : ପାଣି ଟୋପାଏ ପାଇଁ ଲୋକେ ଡହକବିକଳ । ପାଳଲହଡା ପାବୁଡି ଭୁୟାଁ ଉନ୍ନୟନ ସଂସ୍ଥା ଅଧିନସ୍ଥ ବନ୍ଧାଭୁଇଁ ଗାଁରେ ଜଳ ସଂକଟ ଉତ୍କଟ । ତିନୋଟି ନଳକୂଅ ଅଚଳ । ସୋଲାର ବୋର ୱେଲରେ ଆସୁଥିବା ପାଣି ଲୋକଙ୍କୁ ନିଅଂଟ ହେଉଛୁ । ଫଳରେ ଅସନ୍ତୋଷ ଦେଖିବାକୁ ମିଳୁଛି ।

ଅନୁଗୁଳ ପାଳଲହଡା ବ୍ଲକର ବନ୍ଧାଭୁଇଁ ଗାଁ । ଗାଁରେ ମୋଟ ୨ଶହ ଲୋକ ରହୁଥିବା ବେଳେ ୯୦ ଭାଗ ଲୋକ ଭୁୟାଁ ସଂପ୍ରଦାୟର । ପାଉଡି ଭୁୟାଁ ଉନ୍ନୟନ ସଂସ୍ଥା ଅଧିନରେ ଥିବା ଏହି ଗାଁରେ ଉକ୍ରଟ ଜଳ ସମସ୍ୟା । ଗାଁକୁ ଜଳ ଯୋଗାଉଥିବା ୩ଟି ଯାକ ନଳକୂଅ ଅଚଳ ହେବା ପରେ ଜଳ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ । ପିବିଡିଏ ତରଫରୁ ସୋଲାର ଜରିଆରେ ଯୋଗାଇ ଦିଆଯାଉଥିବା ପାଣିରେ ଶୋଷ ମେଂଟୁନାହିଁ । ତେଣୁ ଗାଁ ଠାରୁ ୧ କିଲୋମିଟର ଦୂର ଜଙ୍ଗଲ ଭିତରେ ଥିବା ଚାଉରିଆ ନାଳରୁ ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ ।

୧୯୭୮ ମସିହାରୁ ପାଉଡି ଭୁୟାଁ ଉନ୍ନୟନ ସଂସ୍ଥା, ଆଦିବାସୀଙ୍କୁ ପାନୀୟ ଜଳ, ଗମନାଗମନ ସୁବିଧା କରିବା ପାଇଁ କାମ କରୁଛି । ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ ହେଉଛି । ହେଲେ ଏହାର ସୁଫଳ ପାଇ ପାରୁନାହାନ୍ତି ବନ୍ଧାଭୁଇଁ ଗାଁର ଆଦିବାସୀ । ସେପଟେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଧିକାରୀ ଗାଁକୁ ଯାଇ ତୁରନ୍ତ ଜଳ ସମସ୍ୟାର ଅନୁଧ୍ୟାନ କରି ସମାଧାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି ପାଲଲହଡା ଉପଜିଲ୍ଲାପାଳ । ଗାଁର ଜଳକଷ୍ଟ ସଂପର୍କରେ ରାଜନେତା ଓ ପ୍ରସାଶନିକ ଅଧିକାରୀଙ୍କୁ ଜଣାଇଲେ ବି କେହି ଶୁଣୁନଥିବା କ୍ଷୋଭର ସହ କହିଛନ୍ତି ଗ୍ରାମବାସୀ ।