କେନ୍ଦୁଝରରେ ଜଳ ସଂକଟ : କେନାଲ ପୋତି ପକାଇଛି କଳକାରାଖାନା, ଶୁଖିଲା ପଡିଛି ନଳକୂଅ

39

କନକ ବ୍ୟୁରୋ : ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସରକାର । ଆଦିବାସୀଙ୍କ ଉନ୍ନତି ପାଇଁ ଉଭୟ ସରକାର କରିଛନ୍ତି ଅନେକ ଯୋଜନା । କିନ୍ତୁ ପ୍ରକୃତ ଜୀବନରେ ଆଦିବାସୀମାନେ କେମିତି ଜୀବନ ଯାପନ କରୁଛନ୍ତି ସେଥିପ୍ରତି କାହାରି ଦୃଷ୍ଟିନାହିଁ । ପିଇବା ପାଣି ଟୋପାଏ ପାଇଁ ରାତି ପାହିଲେ ମହିଳାମାନେ ଗରା ମାଠିଆ ଧରି ମାର୍ଚ କରିଥାନ୍ତି । ଏପରି ମାର୍ଚ ଦେଖିବାକୁ ମିଳିଛି କେନ୍ଦୁଝର ବାଂଶପାଳ ବ୍ଲକ ଫୁଲଝର ଗାଁରେ ।

କେନ୍ଦୁଝର ବାଂଶପାଳ ବ୍ଲକ ଫୁଲଝରର ମୁଣ୍ଡାସାହି । ୫୬ ଟି ମୁଣ୍ଡା ପରିବାରକୁ ନେଇ ଗଠିତ ସାହିରେ ରହିଛି ଅନେକ ସମସ୍ୟା । ଉକ୍ରଟ ରୂପ ଧାରଣ କରିଛି ପାନୀୟ ଜଳର ସମସ୍ୟା । ପାନୀୟ ଜଳ ଟୋପାଏ ପାଇଁ ଡହକ ବିକଳ ହେଉଛନ୍ତି ଏମାନେ । ରାତି ପାହିଲେ ଆଦିବାସୀ ମହିଳାଙ୍କୁ ଘାରେ ପାଣି ଆଣିବାର ଚିନ୍ତା । ଆଉ ଏହି ପାନୀୟ ଜଳ ସମସ୍ୟାର କାରଣ ସାଜିଛି ଗାଁରେ ଥିବା ଶିଳ୍ପ କମ୍ପାନୀ । ଗାଁ ନିକଟରେ ଯାଇଥିବା ନାଳକୁ କମ୍ପାନୀ ପୋତି ଦେବାରୁ ପାଣି ପାଇଁ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି ।

 

କମ୍ପାନୀ ପାଇଁ ବଡବଡ ନଳକୂଅ ଖୋଳା ହେବାରୁ ନାଳ ପାଣି ବନ୍ଦ ସହ ନଳକୂଅ ଅଚଳ ହୋଇଯାଇଛି । ଫଳରେ ବାଧ୍ୟ ହୋଇ କମ୍ପାନୀରୁ ବାହାରୁଥିବା ଦୂଷିତ ପାଣିକୁ ବ୍ୟବହାର କରୁଛନ୍ତି ମୁଣ୍ଡାସାହିର ଲୋକେ । ତେବେ ଏହି ଅଂଚଳରେ ୨ବର୍ଷ ମଧ୍ୟରେ ଦୁଷିତ ଜଳ ପିଇ ୧୦ରୁ ଅଧିକ ଲୋକ ମୁତ୍ୟୁବରଣ କରିଛନ୍ତି । ବିଭାଗୀୟ ଅଧିକାରୀଙ୍କୁ ପଠାଇ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।