ଗ୍ରୀଷ୍ମ ସହ ତାଳ ଦେଇ ବଢ଼ୁଛି ଜଳସଙ୍କଟ ! ପାଣି ବୁନ୍ଦେ ପାଇଁ ଚାହିଁ ରହିଛି ଗଂଜାମର ଜକମେରୀପଲ୍ଲୀ ଗାଁ

48

କନକ ବ୍ୟୁରୋ : ଗ୍ରୀଷ୍ମ ସହ ତାଳ ଦେଇ ବଢ଼ିବାରେ ଲାଗିଛି ଜଳସଙ୍କଟ । ଟୋପେ ପାନୀୟ ଜଳ ପାଇଁ ରାଜ୍ୟ ବାସୀ ହନ୍ତସନ୍ତ ହେଉଛନ୍ତି । କେଉଁଠି ଚୁଆ ପାଲଟିଛି ପାଣି ବୁନ୍ଦେ ପାଇବାର ଠିକଣା ତ ପୁଣି କେଉଁଠି ଜଳଉତ୍ସ ଥିବା ସତ୍ୱେ ଗାଁ ପର୍ଯ୍ୟନ୍ତ ପହଂଚିପାରୁନି ପାନୀୟ ଜଳ । ଗଞ୍ଜାମ ଦିଗପହଣ୍ଡି ବ୍ଳକ ଫାଶୀଗୁଡା ପଂଚାୟତର ଜକମେରୀପଲ୍ଲୀ ଗାଁ, ଏଠି ମଧ୍ୟ ସେହି ସମାନ ଜଳସଙ୍କଟ ।

ଅଛି ପାନୀୟ ଜଳ ପ୍ରକଳ୍ପ କିଛି ମିଳୁନି ବୁନ୍ଦାଏ ପାଣି । ଗାଁର କୂଅ ଗୁଡ଼ିକରେ ଜଳସ୍ତର ଖସି ଚାଲିଥିବା ଯୋଗୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଗାଁର ନଳକୂପ ବି ଅଚଳ ପଡ଼ିଛି ଏଭଳି ଜଳକଷ୍ଟ ସମୟରେ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କୁହାଯାଉଥିବା ଗଂଜାମ ଦିଗ ପହଣ୍ଡି ବ୍ଲକର ଜକମେରୀପଲ୍ଲୀ ଗାଁରେ ଏବେ ଉତ୍କଟ ଜଳାଭାବ । ଅନ୍ୟପଟେ ବାରମ୍ବାର ହାରିଗୁହାରି ପରେ ବି ନୀରବଦ୍ରଷ୍ଟା ସାଜିଛି ସ୍ଥାନୀୟ ପ୍ରଶାସନ । ଗ୍ରୀଷ୍ମପ୍ରକୋପ ବଢ଼ି ଚାଲିଥିବା ବେଳେ ଆଗକୁ ଜଳାଭାବର ସ୍ଥିତି ଆହୁରି ସଂଗିନ୍ ହେବା ଏବେଠୁ ଅନୁମାନ କରିହେଉଛି ।

ଗାଁର ଦୁଇଟି ୱାର୍ଡରେ ପ୍ରାୟ ୩୫୦ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି । ଆଉ ଏଥିପାଇଁ ୯ ଟି ନଳକୂପ ଓ ୩ଟି ଖୋଲା କୂପ ଅଛି । ହେଲେ ଦୁଃଖର ବିଷୟ ସମସ୍ତ ଜଳଉତ୍ସ ପାନୀୟ ଅନୁପଯୁକ୍ତ । କେବଳ ଗାଁ ଶେଷ ମୁଣ୍ଡରେ ନଦୀ ନିକଟରେ ରହିଥିବା ଖୋଲାକୂପଟି ହିଁ ପିଇବା ପାଇଁ ପ୍ରଯୁଜ୍ୟ । ଯେଉଁ କାରଣରୁ ସ୍ଥାନୀୟ ବାସିନ୍ଦା ଦେଢ କିଲୋମିଟର ବିଲହୁଡାରେ ଚାଲି ଚାଲି କୂଅରୁ ପାଣି ସଂଗ୍ରହ କରୁଛନ୍ତି । ସ୍ଥିତି କ୍ରମେ ସଙ୍ଗିନ ହେବାରେ ଲାଗିଛି ଏଠାରେ ।

ପାନୀୟ ଜଳ ସମସ୍ୟାରେ ସୁଧାର ନଆସିଲେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଦେଇଛନ୍ତି ଚେତାବନୀ । ଅନ୍ୟପଟେ ଗ୍ରୀଷ୍ମପ୍ରକୋପ କ୍ରମେ ବଢ଼ିବାରେ ଲାଗି ଥିବା ବେଳେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଉଠାଇଛନ୍ତି ଦାବି ।